ସୁନ୍ଦରଗଡ଼: ଦେଖୁ ଦେଖୁ ବଢିଗଲା ଇବ ନଦୀ ଜଳସ୍ତର, ନଦୀ ମଝିରେ ଫସିଲେ ଯୁବକ। ହଠାତ ବର୍ଷା ପରେ ଇବ ନଦୀର ଜଳସ୍ତର ବଢ଼ିଯିବାରୁ ଏକ ଟାପୁରେ ଫସିଥିବା ଜଣେ ଯୁବକଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଘଟଣା ସୁନ୍ଦରଗଡ଼ ସଦର ଭଷ୍ମା ଥାନା ଅନ୍ତର୍ଗତ କୁଡ଼ାବଗା ନିକଟ ଘଟିଛି।
ଯୁବକଙ୍କ ନାମ ଅତିଶ ପଣ୍ଡା ବୋଲି ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି। ସେ ଏକ ବ୍ୟାରେଜରେ ଜଗୁଆଳି କାମ କରୁଥିଲେ। ଗତ ରାତିରେ ସେ ତାଙ୍କ ସହଯୋଗୀଙ୍କ ସହ ବ୍ୟାରେଜ କାମ ପରିଦର୍ଶନ କରିବାକୁ ଯାଇଥିଲେ ଓ ନଦୀ ମଝିରେ ଥିବା ଏକ ଟାପୁରେ ରହିଥିଲେ।
ହେଲେ ରାତିରେ ପ୍ରବଳ ବର୍ଷା ହେବାରୁ ଇବ ନଦୀରେ ହଠାତ ଜଳସ୍ତର ବଢ଼ିଯିବା ଫଳରେ ସେ ଟାପୁରେ ଫସି ଯାଇଥିଲେ। ଦୀର୍ଘ ସମୟ ଧରି ସହଯୋଗୀ ଓ ଗାଁ ଲୋକ ତାଙ୍କ ସହିତ ସଂଯୋଗ କରିପାରିନଥିଲେ।
ପରେ ଗ୍ରାମବାସୀମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ସାମ୍ପ୍ରତିକ ବର୍ଷାରୁ ନଦୀ-ନାଳରେ ଜଳସ୍ତର ବଢ଼ୁଥିବାରୁ ପ୍ରଶାସନ ଦ୍ୱାରା ସତର୍କ ରହିବାକୁ ଅନୁରୋଧ କରାଯାଇଛି।