ଭୁବନେଶ୍ବର: ଥାଲାସେମିଆ ନିବାରଣ, ପରିଚାଳନା ଏବଂ ଯତ୍ନ ସହିତ ଜଡିତ କାର୍ଯ୍ୟ ଏବଂ ସମର୍ଥନକୁ ପ୍ରୋତ୍ସାହିତ କରିବା ପାଇଁ ଆସନ୍ତା ମେ’ ୮ ତାରିଖରେରେ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯିବ। ଏହି ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଥାଲାସେମିଆ ଓ ସିକଲସେଲ୍ ସୋସାଇଟି ଓଡିଶା(ଟିଏସଏସଓ) ପକ୍ଷରୁ ଅସ୍ତର ସିଏମଆଇ ହସ୍ପିଟାଲ ବେଙ୍ଗାଲୁରୁ ସହଯୋଗରେ ବିଶ୍ବ ଥାଲାସେମିଆ ଦିବସ ପାଳିତ ହୋଇଯାଇଛି।ଥାଲାସେମିଆ ଦିବସ ରୋଗର ସଚେତନତା ପାଇଁ ଥାଲାସେମିଆ ଓ ସିକଲସେଲ୍ ସୋସାଇଟି ଓଡିଶା(ଟିଏସଏସଓ) ପକ୍ଷରୁ ଅସ୍ତର ସିଏମଆଇ ହସ୍ପିଟାଲ ବେଙ୍ଗାଲୁରୁ ସହଯୋଗରେ ବିଶ୍ବ ଥାଲାସେମିଆ ଦିବସ ପାଳନ ଅବସରରେ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଉଛି ଥାଲାସେମିଆଙ୍କ ଯତ୍ନ ଓ ଚିକିତ୍ସା ପାଇଁ ଲୋକଙ୍କୁ ସଂଯୋଗ କରିବା ବୋଲି କୁହାଯାଇଛି।
ମୁଖ୍ୟଅତିଥି ଭାବେ ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ କହିଥିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଛନ୍ତି ସୁସ୍ଥ ଭାରତ, ଶ୍ରେଷ୍ଠ ଭାରତ। ସଚେତନତା ପାଇଁ କୋଭିଡକୁ ମୁକାବିଲା କରିପାରିଲୁ। ଯେଉଁମାନେ ଥାଲାସେମିଆ ରୋଗରେ ପୀଡିତା ଅଛନ୍ତି ସେମାନେ ସାହସର ସହ ମୁକାବିଲା କରନ୍ତୁ। ପ୍ରତି ରୋଗ ପାଇଁ ସଚେତନର ଆବଶ୍ୟକ ରହିଛି। କେବଳ ସଚେତନ ହିଁ ରୋଗକୁ ଦୂର କରିପାରିବା। ସରକାର ରୋଗ ଦୂର ପାଇଁ ଅନେକ ଯୋଜନା କରୁଛନ୍ତି। କିନ୍ତୁ ରୋଗ ହେଲେ କେବଳ ଡାକ୍ତରଖାନା ଗଲେ ହେବ ନାହିଁ। ଆମକୁ ଖାଦ୍ୟ ଓ ଶରୀର ପାଇଁ ସଚେତନ ହେବାକୁ ପଡିବ। ଆମେ ପୂର୍ବରୁ ଢିଙ୍କିକୁଟା ଚାଉଳ ଓ ଶିଳରୁ ବଟା ମସଲା ଖାଉଥିଲୁ। ଏବେ ସମୟ ବଦଳିଛି ଲୋକେ ସେସବୁ ଭୁଲି ଯାଇଁ ପାଶ୍ଚାତ ସଭତ୍ୟକୁ ଆପଣାଇଲେଣି। ରକ୍ତଦାନ କେବଳ କଥାରେ ରହିଯାଇଛି। ସବୁ ଯୁବବର୍ଗ ଏକାଠି ହୁଅନ୍ତୁ।

ଡକ୍ଟର ଷ୍ଟାଲିନ୍ ରାମପ୍ରକାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥାଲାସେମିଆ ରୋଗୀଙ୍କ ଯତ୍ନ ବିଷୟରେ ଆଲୋଚନା କରିଥିଲେ। ଭାରତୀୟ ଥାଲାସେମିଆ ଫେଡେରେସନ ଅଧ୍ୟକ୍ଷ ଶୋଭା ତୁଲି ଅନଲାଇନରେ ଯୋଡି ହୋଇ କହିଥିଲେ ଏହି ରୋଗକୁ ଅଧିକ ସଚେତନ କରିବାକୁ ସବୁ କମ୍ୟୁନିଟିକୁ ଯୋଡା ଯାଉ। ସରକାର, ରୋଗୀ ଓ ସମ୍ପର୍କୀୟ ଏକାଠି ହୋଇ ଏହି ରୋଗ ବିଷୟରେ ଅବଗତ ହେବା ଆବଶ୍ୟକ।
କୋଲ୍ ଇଣ୍ଡିଆ ସିଏସଆର ଜିଏମ୍ ରେଣୁ ଚର୍ତୁବେଦୀ କହିଲେ ପରିବାର ଭିତରେ ସହଯୋଗ ଓ ସଚେତନ ରହିଲେ ରୋଗରୁ ଆମେ ମୁକ୍ତି ପାଇପାରିବା। ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର କହିଲେ ଥାଲାସେମିଆ ଭୟବହତା ବଢୁଛି। କେବଳ ସଚେତନ ଦ୍ବାରା ଏହି ରୋଗରୁ ମୁକ୍ତି ମିଳିପାରିବ। ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଜଗନ୍ନାଥ ପ୍ରଧାନ କହିଥିଲେ ଥାଲାସେମିଆ ରୋଗ ଦୂର ପାଇଁ ସମସ୍ତଙ୍କ ଭିତରେ ସହଯୋଗର ଆବଶ୍ୟକ ରହିଛି। ଅଧିକରୁ ଅଧିକ ଏହାର ସଚେତନ କଲେ ନିଶ୍ଚୟ ଏହି ରୋଗ ରାଜ୍ୟରୁ କମିବ।
ଟିଏସଏସଓର ସଭାପତି ନିରାକାର ପଣ୍ଡା କହିଥିଲେ ଯେ ଆମ ରାଜ୍ୟରୁ ଥାଲାସେମିଆ ରୋଗକୁ ଦୂର କରିବା ଆମର ମୁଖ୍ୟ ଉଦେଶ୍ୟ। ୨୦୧୧ ମସିହାରେ ଓଡିଶାରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ୫ ହଜାର ଥିଲା। ବର୍ତ୍ତମାନ ୩୧ ହଜାରରେ ପହଞ୍ଚିଲାଣି। ସବୁ ବର୍ଗରେ ଥାଲାସେମିଆ ରୋଗର ସଚେତନତା ଅବଶ୍ୟକ ଅଛି। ଏହି ରୋଗର ଭୟବହତା ବହୁତ। ଆମେ ଯଦି ସଚେତନ ନହେବା ଅକାଳରେ ଅନେକ ଜୀବନ ଚାଲିଯିବ। ରକ୍ତଦାନ କିଭଳି ଅଧିକ ହେବ ତା ସହ ସ୍କ୍ରିନିଂ ହୋଇପାରିବ ତାହା ଉପରେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ । ଏହି କାର୍ଯ୍ୟକ୍ରମଟି ଟିଏସଏସଓ ସଚିବ ଦୀପକ କୁମାରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଉପ-ସଭାପତି ମାନସ ରଞ୍ଜନ ସାହୁ, କୋଷାଧ୍ୟକ୍ଷ ନିହାରିକା ପଣ୍ଡା,ଡ. ବିଜୟ ମିଶ୍ର, ଡକ୍ଟର ପ୍ରକାଶ ତ୍ରିପାଠି, ଗୁଞ୍ଜନ ଅଗ୍ରଓ୍ବାଲ ଓ ସୌମ୍ୟ ରଞ୍ଜନ ପ୍ରଧାନ ଏବଂ ଅନ୍ୟ ସମସ୍ତ ସ୍ୱେଚ୍ଛାସେବୀମାନେ ପରିଚାଳନା କରିଥିଲେ।