BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏସିଆ କପ୍‌ ଟ୍ରଫି ସହ ଭାରତକୁ ବିଶ୍ବକପ୍‌ ଟିକେଟ୍‌

ଫାଇନାଲ୍‌ରେ ଦକ୍ଷିଣ କୋରିଆକୁ ୪-୧ରେ ହରାଇ ଚମ୍ପିଆନ ହେଲା ଭାରତ

ରାଜଗିର୍‌: ଏସିଆ କପ୍‌ ଟ୍ରଫି ସହିତ ଭାରତୀୟ ହକି ଦଳ ସିଧାସଳଖ ଆସନ୍ତାବର୍ଷ ହେବାକୁ ଥିବା ଏଫ‌୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍‌ ପାଇଁ ଟିକେଟ୍ ହାସଲ କରିଛି। ରବିବାର ରାତିରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚରେ ଅପ୍ରତିଦ୍ବନ୍ଦ୍ବୀ ଭାରତ ୪-୧ ଗୋଲ୍‌ରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ପରାସ୍ତ କରି ଚତୁର୍ଥ ଥର ପାଇଁ ଚମ୍ପିଆନ ହୋଇଛି। ପୂର୍ବରୁ ଭାରତ ୨୦୦୩ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୪-୨ରେ, ୨୦୦୭ରେ ପ୍ରବୋଧ ତିର୍କିଙ୍କ ଦଳ ୭-୨ରେ କୋରିଆକୁ ଏବଂ ୨୦୧୭ରେ ମାଲେସିଆକୁ ୨-୧ରେ ହରାଇ ବିଜେତା ହୋଇଥିଲା। ଏବେ ହର୍ମନପ୍ରୀତ୍ ସିଂହଙ୍କ ଦଳ ୮ ବର୍ଷ ପରେ ଭାରତକୁ ପୁଣି ଏସିଆ କପ୍‌ ବିଜୟର ସଫଳତା ଦେଇଛି। ଅନ୍ୟପକ୍ଷରେ ଷଷ୍ଠ ଥର ପାଇଁ ଏସିଆ କପ୍‌ ଜିତିବା ଲକ୍ଷ୍ୟରେ ଥିବା ଦକ୍ଷିଣ କୋରିଆର ସ୍ନପ୍ନକୁ ଭାରତ ଚୂରମାର୍ କରି ଦେଇଛି। ସମ୍ପୂର୍ଣ୍ଣ ମ୍ୟାଚରେ ଭାରତ  ପ୍ରାଧାନ୍ୟ ବିସ୍ତାର କରି ଅପରାଜେୟ ଭାବେ ବିଜେତା ହୋଇଛି।

ଏସିଆ କପ୍‌ ବିଜୟରେ ଯୁବ ଫରୱାର୍ଡ ଶିଳାନନ୍ଦ ଲାକ୍ରା ଏବଂ ଅଭିଜ୍ଞ ଅଲିମ୍ପିଆନ୍‌ ଅମିତ ରୋହିଦାସ ଅଂଶବିଶେଷ ଥିଲେ। ଶିଳାନନ୍ଦ ପ୍ରଥମ ଥର ଏବଂ ଅମିତ ତୃତୀୟ ଥର ଏସିଆ କପ୍‌ ପଦକ ଜିତିଥିଲେ। ଏହି ମ୍ୟାଚରେ ଅମିତ ରୋହିଦାସ ଗୋଟିଏ ଗୋଲ ସ୍କୋର କରିଥିଲେ। ଅମିତ ପୂର୍ବରୁ ୨୦୧୩ରେ ରୌପ୍ୟ ଏବଂ ୨୦୧୭ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବିଜୟୀ ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଭିନନ୍ଦନ ଜଣାଇଛନ୍ତି।

ବିଶ୍ବକପ୍‌ର ସିଧାସଳଖ ଯୋଗ୍ୟତାକୁ ନଜରରେ ରଖି ଭାରତୀୟ ହକି ଦଳ ଫାଇନାଲ ମ୍ୟାଚରେ ସଙ୍କଳ୍ପବଦ୍ଧ ଭାବେ ପଡ଼ିଆକୁ ଓହ୍ଲାଇଥିଲା। ଦଳକୁ  ପ୍ରଥମ ମିନିଟ୍‌ରେ ହିଁ ସଫଳତା ମିଳିଥିଲା। ମାତ୍ର ୩୧ ସେକେଣ୍ଡ୍‌ରେ ଏହି ସୁନ୍ଦର ଫିଲ୍ଡ ଗୋଲ୍‌ଟି ଦେଇଥିଲେ ସୁଖଜିତ୍ ସିଂହ। ଭାରତ ପାଇଁ ଏହା ଥିଲା ସବୁଠାରୁ ଦ୍ରୁତତମ ଗୋଲ ଥିଲା। ଦ୍ବିତୀୟ କ୍ବାର୍ଟରରେ ଦିଲପ୍ରୀତ୍‌ ସିଂହ (୨୮ ମିନିଟ୍‌)ଙ୍କ ଗୋଲ୍ ଭାରତକୁ ୨-୦ରେ ଆଗୁଆ କରି ଦେଇଥିଲା। ସଂଜୟଙ୍କଠାରୁ ପାଇଥିବା ଫିଡ୍‌ରୁ ଫିକା ହେବାକୁ ‌ଦେଇ ନଥିଲେ ଦିଲପ୍ରୀତ୍‌। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୦ରେ ଆଗୁଆ ହୋଇ ଟ୍ରଫିରେ ଗୋଟିଏ ହାତ ରଖି ଦେଇଥିଲା। ତୃତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟ ବିତିବାକୁ ଯାଉଥିବା ବେଳେ ଅଧିନାୟକ ହର୍ମନପ୍ରୀତ୍ ସିଂହଙ୍କ ଅଗ୍ନେୟ ହିଟ୍‌ ସର୍କଲ ଭିତରେ ପହଞ୍ଚିବା ପରେ ଦିଲପ୍ରୀତ୍‌ (୪୫ ମିନିଟ୍‌) ଏହାକୁ କୋରିଆ ଗୋଲ୍‌ ପୋଷ୍ଟକୁ ପଠାଇ ଦେଇଥିଲେ।

ଚତୁର୍ଥ କ୍ବାର୍ଟରରେ ଓଡ଼ିଆ ପୁଅ ଅମିତ ରୋହିଦାସ (୫୦ ମିନିଟ୍‌) ପେନାଲ୍ଟି କର୍ଣ୍ଣରରୁ ମାରିଥିବା ହିଟ୍‌ ଗୋଲିଙ୍କ ବାମ କର୍ଣ୍ଣରକୁ ପ୍ରବେଶ କରିବା ପୂର୍ବରୁ ଅନ୍ୟୁନ ୩/୪ ଜଣ କୋରିଆ ଡିଫେଣ୍ଡରଙ୍କୁ ଚକ୍‌ମା ଦେଇଥିଲା। କୋରିଆ ପାଇଁ ଶେଷକୁ ଏକମାତ୍ର ସାନ୍ତ୍ବନାମୂଳକ ଗୋଲଟି ପେନାଲ୍ଟି କର୍ଣ୍ଣରରୁ ଦେଇଥିଲେ ଡାଏନ୍‌ ସନ୍ (୫୧ ମିନିଟ୍‌)। ସୁଖଜିତ୍ ଫାଇନାଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।