ସାମ୍ବାଦିକତାର ମୂଲ୍ୟବୋଧ, ନିର୍ଭିକତା ଓ ତଥ୍ୟଭିତ୍ତିକ ଖବର ପରିବେଷଣ ଉପରେ ଗୁରୁତ୍ବ
ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ପ୍ରେସ୍ ଦିବସ ୨୦୨୫ ପାଳିତ
ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ଥିମ ଥିଲା କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଯୁଗରେ ସାମ୍ବାଦିକତାର ଦାୟିତ୍ବବୋଧ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଏବଂ ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଅତିଥି ଭାବେ ଯୋଗଦେଇଥିଲେ। ସାମ୍ବାଦିକତାର ମୂଲ୍ୟବୋଧ, ନିର୍ଭିକତା ଓ ତଥ୍ୟଭିତ୍ତିକ ଖବର ପରିବେଷଣ ଉପରେ ଗୁରୁତ୍ବ ଦେଇଥିଲେ।
ଛାତ୍ରଛାତ୍ରୀମାନେ ସାମ୍ବାଦିକ କ୍ଷେତ୍ରରେ କ୍ୟାରିୟର ଓ ଦାୟିତ୍ବକୁ ନେଇ ଅତିଥିମାନଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଅତିଥିମାନେ ସାମ୍ବାଦିକତା କ୍ଷେତ୍ରରେ ଅନେକ ଦିଗକୁ ନେଇ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ସମାଜରେ ନୀରବି ଯାଇଥିବା ମଣିଷର ସ୍ୱର ହେବାପାଇଁ ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିବା, ଆଗ୍ରହ ଏବଂ ପ୍ରତିବଦ୍ଧତାର ସହିତ ନିଜର କ୍ୟାରିଅରକୁ ଆଗେଇ ନେବା ଦିଗରେ ଉତ୍ସାହିତ କରିଥିଲେ।
ଲୋକ ପ୍ରଶାସନ ବିଭାଗର ମୁଖ୍ୟ ଡ. ପ୍ରତିମା ଷଡ଼ଙ୍ଗୀଙ୍କ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଏକ ଗଣତାନ୍ତ୍ରିକ ସମାଜରେ ଗଣମାଧ୍ୟମର ଅପରିହାର୍ଯ୍ୟ ଭୂମିକା ଉପରେ ଆଲୋକପାତ କରିଥିଲେ। ପ୍ରତିଟି ନାଗରିକର ଅବଗତି ଏବଂ ଦେଶ ଗଠନ ପ୍ରୟାସରେ ଅର୍ଥପୂର୍ଣ୍ଣ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।
ବିଭାଗର ସହକାରୀ ପ୍ରଫେସର ଡ. ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭାଗର ଅଧ୍ୟାପକ ରାଜୀବ ମିଲନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।