BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଐତିହ୍ୟ ସମ୍ପନ୍ନ ନଦୀ ଏବେ ଗଙ୍ଗୁଆ ନାଳ

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଏକାମ୍ର କ୍ଷେତ୍ରର ଐତିହ୍ୟ ନଦୀ ଗଙ୍ଗୁଆ’ ଆଲୋଚନାଚକ୍ର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ‘ଏକାମ୍ର କ୍ଷେତ୍ରର ଐତିହ୍ୟ ନଦୀ ଗଙ୍ଗୁଆ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଭୁବନେଶ୍ୱର ଯାହାକି ଦିନେ ଏକାମ୍ର କ୍ଷେତ୍ର ନାମରେ ପରିଚିତ ଥିଲା ଏବଂ ଯେଉଁ ନଦୀ ଅବବାହିକାରେ ସହରଟି ଗଢ଼ି ଉଠିଥିଲା ସେହି ନଦୀଟିର ନାମ ହେଉଛି ‘ଗଙ୍ଗୁଆ’, ଯାହାକି ସର୍ପିଳ ଆକାରରେ ଭୁବନେଶ୍ୱର ଚତୁଃପାର୍ଶରେ ପରିବେଶିଷ୍ଟ ଥିଲା। ଏହି ନଦୀର ଅବବାହିକାରେ ପ୍ରାଚୀନ ମନ୍ଦିରଗୁଡ଼ିକ ଗଢ଼ି ଉଠିଥିଲା, ଯେଉଁ କାରଣରୁ ଭୁବନେଶ୍ୱରକୁ ଭାରତର ମନ୍ଦିର ମାଳିନୀ ସହର ଭାବରେ କୁହାଯାଉଥିଲା।

ବିଭିନ୍ନ ପୁରାଣରେ ‘ଗଙ୍ଗୁଆ ନଦୀ’ର ବିଶେଷତ୍ତ୍ୱ ବର୍ଣ୍ଣନା କରାଯାଇଛି। ସ୍କନ୍ଦ ପୁରାଣରେ ଗଙ୍ଗୁଆ ନଦୀର ନାମ ‘ଗନ୍ଧବାହ’, କପିଳ ସଂହିତାରେ ‘ଗନ୍ଧବତି’, ଗଙ୍ଗବଂଶ ରାଜତ୍ୱ ସମୟରେ ସମ୍ଭବତଃ ଅପଭ୍ରଂଶ ହୋଇ ‘ଗଙ୍ଗୁଆ’ ନାମରେ ନାମିତ ହୋଇଛି। ସର୍ପିଳାକୃତି ଗତିପଥ ଦେଇ ଏହା ପ୍ରବାହିତ ହୋଇଛି। ଯେଉଁଥିରେ ୧୫ରୁ ଅଧିକ ଝରଣା ବିଭିନ୍ନ ସ୍ଥାନରେ ଏଥି ମଧ୍ୟରେ ଯୋଡ଼ି ହୋଇଛନ୍ତି। ଯଥା ଚନ୍ଦକା ଅଞ୍ଚଳର ଝୁମୁକା ଡେରାସ, କୁମାର ଖୁଣ୍ଟି ଏବଂ ଭରତପୁର ଅଞ୍ଚଳର ଯୋଗ ନଦୀ, ବାଣୀବିହାର ଝରଣା; କନିଆର ଖୁଣ୍ଟି ଝରଣାଗୁଡ଼ିକରେ ସ୍ୱଚ୍ଛ ପାଣି ପ୍ରବାହିତ ହେଉଥିଲା। ଯେଉଁ ପାଣିରେ ତୀର୍ଥ କ୍ଷେତ୍ରକୁ ଆସୁଥିବା ଯାତ୍ରୀମାନେ ଏହି ପାଣିକୁ ପିଇବାଠାରୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତ ସବୁ କିଛି ପାଇଁ ବ୍ୟବହାର କରୁଥିଲେ। ଏପରିକି କି ପୂରାତନ ଐତିହାସିକ କାଳର ସମୃଦ୍ଧ ସହର ‘ଶିଶୁପାଳ ଗଡ଼’ ଚାରିପାଖରେ ଉଭୟ ଗଡ଼ଖାଇ ଏବଂ ଜଳପଥ ଭାବରେ ବ୍ୟବହୃତ ହେଉଥିଲା। ଯେଉଁଥିରେ ବୋଇତ ମାଧ୍ୟମରେ ବାଣିଜ୍ୟ କରାଯାଉଥିଲା। ଯାହାକି ୧୯୪୮ ମସିହା ବିବି ଲାଲଙ୍କ ପ୍ରତ୍ନତାତ୍ତ୍ୱିକ ଖନନରୁ ଭୂମଧ୍ୟ ସାଗର ସଂଲଗନ୍ନ ଗ୍ରୀକ୍ ଏବଂ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କର ପ୍ରତ୍ନତାତ୍ତ୍ୱିକ ଅବଶେଷ ଉଦ୍ଧାର କରାଯାଇଛି।

ଏହିଭଳି ଏକ ଐତିହ୍ୟ ସମ୍ପନ୍ନ ନଦୀ ବିଗତ ୨୦ ଓ ୨୫ ବର୍ଷର ସହରୀକରଣ ମଧ୍ୟରେ ଏକ ନର୍ଦ୍ଦମାରେ ପରିବର୍ତ୍ତିତ ହୋଇଛି, ଯାହାକୁ ଏବେ ଗଙ୍ଗୁଆ ନାଳ ବୋଲି କହୁଛୁ। ସମ୍ଭବତଃ ଗଙ୍ଗୁଆ ନାଳର ବିଷାକ୍ତ ପାଣି ଦୟାନଦୀର ତଳବର୍ତ୍ତି କଣାସ ଅଞ୍ଚଳରେ ମହାମାରୀ ବ୍ୟାପିବାରେ କାରଣ ହୋଇଥାଇପାରେ। ଏବେଠାରୁ ଭବିଷ୍ୟତରେ ଏସିଆର ସର୍ବବୃହତ୍ତ ଲବଣାକ୍ତ ହ୍ରଦର ମତ୍ସ୍ୟ ସମ୍ପଦ ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ଏହାର ସୁଦୂରକୁ ପ୍ରଭାବ ପଡ଼ିପାରେ ବୋଲି ପ୍ରଫେସର ରଥ ପ୍ରକାଶ କରିଥିଲେ।

ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ମିତାଲି ଚିନ୍ନାରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ପ୍ରଫେସର ଜୟନ୍ତୀ ଦୋରା, ବିପିନ ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।
ଆଲୋଚନାଚକ୍ରରେ ସହକାରୀ ପ୍ରଫେସର ଅନାମ ବେହେରା ଅତିଥି ପରିଚୟ ସହିତ ବିଷୟବସ୍ତୁ ଉପରେ ଟିପ୍ପଣୀ ପ୍ରଦାନ କରିଥିଲେ ଏବଂ ରମେଶଚନ୍ଦ୍ର ମହନ୍ତ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ.ସୁଶାନ୍ତ କୁମାର ପାତ୍ର, ସବ୍ୟସାଚ୍ଚୀ ନାୟକ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।