BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପଦ୍ମସମ୍ଭବ ହେଉଛନ୍ତି ଦ୍ୱିତୀୟ ବୁଦ୍ଧ ଏବଂ ତାଙ୍କର ଜନ୍ମସ୍ଥାନ ହେଉଛି ଓଡ଼ିଶା

ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗର “ଓଡ଼ିଶାର ବଜ୍ରଜାନ ବୌଦ୍ଧ ଧର୍ମ” ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ “ଓଡ଼ିଶାର ବଜ୍ରଯାନ ବୌଦ୍ଧ ଧର୍ମ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମିତାଲି ଚିନାରା, ମୁଖ୍ୟବକ୍ତା ଫରାସୀ ଗବେଷକ ଡ. ଫ୍ରେଡେରିକ୍ ମୋରନଭାଲ, ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ପ୍ରଫେସର ଜୟନ୍ତୀ ଦୋରା, ଡ. ଅନାମ ବେହେରା, ଡ. ସୁଶାନ୍ତ କୁମାର ପାତ୍ର, ଡ. ଅଜିତ ସାହୁ ଏବଂ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ତାଙ୍କ ଅଭିଭାଷଣରେ ଭାରତୀୟ ଜ୍ଞାନ ପରମ୍ପରାରେ ଓଡ଼ିଶାର ଅବଦାନର ଭୂୟସୀ ପ୍ରଶଂସା କରିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ନୂତନ ଭାବେ ଖୋଲାଯାଇଥିବା ଐତିହ୍ୟ ସଂରକ୍ଷଣ ଉତ୍କର୍ଷ କେନ୍ଦ୍ର ଏହି ଦିଗରେ ଗବେଷଣା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ଆଶାବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ପ୍ରଫେସର ମିତାଲି ଚିନାରା ତାଙ୍କ ବକ୍ତବ୍ୟରେ ଫରାସୀ ଗବେଷକ ଡ. ଫ୍ରେଡେରିକଙ୍କ ଉପସ୍ଥିତି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସୁଯୋଗ ବୋଲି କହିଥିଲେ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ବିଶ୍ୱର ଜଣେ ଲବ୍ଧପ୍ରତିଷ୍ଠିତ ଗବେଷକଙ୍କ ବକ୍ତବ୍ୟରୁ ଅନେକ କିଛି ଶିଖିବାକୁ ପାଇବେ। ଭବିଷ୍ୟତରେ ଡ. ଫ୍ରେଡେରିକଙ୍କ ସହିତ ମିଶି ଓଡ଼ିଶା ସମ୍ବନ୍ଧରେ ଅଧିକ ଗବେଷଣା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ମୁଖ୍ୟବକ୍ତା ଡ. ଫ୍ରେଡେରିକ୍ ମୋରନଭାଲ ତାଙ୍କ ବକ୍ତବ୍ୟରେ ବଜ୍ରଯାନ ବୌଦ୍ଧ ଧର୍ମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ସହିତ ଏହାର ସମ୍ପର୍କକୁ ଯୋଡ଼ି ଅନେକ ନୂତନ ପ୍ରମାଣଗତ ତଥ୍ୟ ଉପରେ ସେ ବିବରଣୀ ପ୍ରଦାନ କରିଥିଲେ। ସେ କହିଥିଲେ ଯେ ଲୁମ୍ବିନୀ ହେଉଛି ସିଦ୍ଧାର୍ଥଙ୍କ ଜନ୍ମସ୍ଥାନ ଏବଂ ସେ ହେଉଛନ୍ତି ପ୍ରଥମ ବୁଦ୍ଧ; ପଦ୍ମସମ୍ଭବ ହେଉଛନ୍ତି ଦ୍ୱିତୀୟ ବୁଦ୍ଧ ଏବଂ ତାଙ୍କର ଜନ୍ମସ୍ଥାନ ହେଉଛି ଓଡ଼ିଶା (ସମ୍ବଲପୁର)। ଏହାକୁ ପ୍ରମାଣିତ କରିବାକୁ ଯାଇ ସେ ଅନେକ ଗ୍ରନ୍ଥ ଏବଂ ପରିବ୍ରାଜକଙ୍କ ଲେଖନୀ ଉପସ୍ଥାପନ କରିଥିଲେ।

ଏଥିସହିତ ଜଳବାୟୁ ଓ ଉଭିଦ ବିଜ୍ଞାନ ପ୍ରଭୃତିର ଉଦାହରଣ ଦେଇ ସେ କହିଥିଲେ ଯେ, ପୂର୍ବରୁ ପ୍ରଚଳିତ ଥିବା ଉଡ୍ଡୀୟାନ ପୀଠ ‘ସ୍ୱାଟ ଭ୍ୟାଲି’ ପାକିସ୍ତାନର ନୁହେଁ, ବରଂ ଏହା ଓଡ଼ିଶାର ମହାନଦୀ କୂଳରେ ଅବସ୍ଥିତ। ପଦ୍ମସମ୍ଭବ ପଦ୍ମରୁ ଜନ୍ମିତ, ଯେଉଁ ପଦ୍ମଫୁଲ ଓଡ଼ିଶାର ପୁଷ୍କରିଣୀମାନଙ୍କରେ ପ୍ରସ୍ଫୁଟିତ ହୋଇଥାଏ; ତାହା ‘ସ୍ୱାଟ ଭ୍ୟାଲି’ ପରି ବରଫାବୃତ ଅଞ୍ଚଳରେ ପ୍ରସ୍ଫୁଟିତ ହୁଏନାହିଁ।

ସେହିଭଳି ଭାବରେ ସେ ଚମ୍ପାଫୁଲର ଉଦାହରଣ ମଧ୍ୟ ଉପସ୍ଥାପନ କରିଥିଲେ। ଉଡ୍ଡୀୟାନ ପୀଠ ବୌଦ୍ଧ ଧର୍ମର ଉତ୍ପତ୍ତିସ୍ଥଳ ସହିତ ରାଜା ଇନ୍ଦ୍ରଭୂତିଙ୍କ ସମ୍ପୃକ୍ତି ଏବଂ ଜଗନ୍ନାଥଙ୍କ ଉଲ୍ଲେଖ ପ୍ରଭୃତି ବୌଦ୍ଧଧର୍ମ ଓ ତନ୍ତ୍ର ଧର୍ମ ଗ୍ରନ୍ଥରେ ରହିଅଛି। ଏହିସବୁ କାରଣ ଯୋଗୁଁ ଉଡ୍ଡୀୟାନ ପୀଠ ଓଡ଼ିଶା ଏବଂ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ଓଡ଼ିଶାର ସମ୍ବଲପୁର ଅଞ୍ଚଳ ବୋଲି ସେ ଉଲ୍ଲେଖ କରିଥିଲେ।

ଏହି ଆଲୋଚନାଚକ୍ରରେ ବିଭାଗୀୟ ସଂଯୋଜକ ଡ. ଅନାମ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ. ସୁଶାନ୍ତ କୁମାର ପାତ୍ର ବିଷୟବସ୍ତୁ ବିବରଣୀ ପାଠ କରିଥିଲେ। ଜଗନ୍ନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରରେ ଅନେକ ଗବେଷକ ଏବଂ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।