BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରେଭେନ୍ସା ଯାହା ଆଜି ଭାବେ, ସେହି କଥାକୁ ଓଡ଼ିଶା ପରବର୍ତ୍ତୀ ସମୟରେ ଭାବେ – ରାଷ୍ଟ୍ରପତି

ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

  • ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ – ଧର୍ମେନ୍ଦ୍ର ପ୍ରଧାନ
  • ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗଦେଲେ
  • ସମ୍ମାନସୂଚକ ଉପାଧି ଏବଂ ପିଏଚଡି ଉପାଧି ଗ୍ରହଣ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଲେ
  • ରେଭେନ୍ସା ଅତୀତରେ ଭାଷାଭିତ୍ତିକ ଆନ୍ଦୋଳନ ସହ ଓଡ଼ିଶାରେ ନବସୃଜନର କଳ୍ପନା କରିଛି
  • ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ଓଡ଼ିଶାର ଇତିହାସକୁ ବ୍ୟାପକ କରିବା
  • ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ହାସଲ କରିବା ଦିଗରେ ରେଭେନ୍ସା ଉତପ୍ରେରକ ଭଳି କାର୍ଯ୍ୟ କରିବ
  • ଆମର ଯୁବପିଢି ଚାକିରି ଅନ୍ୱେଷଣରେ ନରହି ଚାକିରି ଦେବାର ଅଭିମୁଖ୍ୟ ଆପଣାନ୍ତୁ
  • ବୌଦ୍ଧ ଧର୍ମ ଏବଂ କଳିଙ୍ଗ ଯୁଦ୍ଧର ଇତିହାସ ଓ ବାସ୍ତବ ଯଥାର୍ଥତାକୁ ଏଆଇ ମାଧ୍ୟମରେ ପ୍ରତିପାଦିତ କରିପାରିଲେ ହିଁ ଏକବିଂଶ ଶତାବ୍ଦୀରେ ଓଡ଼ିଶା ବୈଶ୍ୱିକ ନେତୃତ୍ୱର ପ୍ରୟୋଗଶାଳା ହେବ

କଟକ: ରେଭେନ୍‌ସା ହେଉଛି ଶିକ୍ଷାର ଶାଳଗ୍ରାମ। ଆମ ଆସ୍ଥା, ବିଶ୍ବାସ, ସ୍ନେହ ଓ ସଂପତ୍ତି ବଳରେ ଶିଳା ଏହା ଶାଳଗ୍ରାମ ପାଲଟିଛି। ରେଭେନ୍‌ସା ବିଶ୍ବବିଦ୍ୟାଳୟ ଓଡ଼ିଶାର ଜୀବନ୍ତ ଇତିହାସର ପ୍ରାଣ ସ୍ପନ୍ଦନ। ଏହା ହେଉଛି ଭାରତ ଓ ଓଡ଼ିଶା ଇତିହାସର ସକ୍ରିୟ ଅଂଶୀଦାର। ରେଭେନ୍ସା ଯାହା ଆଜି ଭାବେ, ସେହି କଥାକୁ ଓଡ଼ିଶା ପରବର୍ତ୍ତୀ ସମୟରେ ଭାବେ। ରେଭେନ୍‌ସା ଶିକ୍ଷାର ବିକାଶ ଓ ନାରୀ ଜାଗୃତିର ଏକ ପ୍ରମୁଖ କେନ୍ଦ୍ର ହୋଇ ରହିଛି ବୋଲି ରେଭେନ୍‌ସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମ ସମସ୍ତ ଓଡ଼ିଆ ଲୋକଙ୍କ ପାଇଁ ଏକ ସଂସ୍କୃତି, ପରମ୍ପରା ଏବଂ ସ୍ପନ୍ଦନ ସଦୃଶ । ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ ବୋଲି ମଙ୍ଗଳବାର ଏହି ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ -୨୦୨୫ରେ  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜିର ଭବ୍ୟ ସମାରୋହରେ ମାନ୍ୟବର ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନସୂଚକ ଉପାଧି ଏବଂ ପିଏଚଡି ଉପାଧି ଗ୍ରହଣ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଓଡ଼ିଶାର ବହୁ ଐତିହାସିକ ଘଟଣାର ବହୁ ଉତ୍‌ଥାନ ପତନର ଜୀବନ୍ତ ସାକ୍ଷୀ ଭାବରେ ବିଦ୍ୟମାନ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଆସିବା ମୋ ପାଇଁ ବହୁତ ଆନନ୍ଦର ମୁହୂର୍ତ୍ତ । ବିଶ୍ୱରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଯୋଗଦାନ ରଖିଥିବା ଏହି ବିଶ୍ୱବିଦ୍ୟାଳୟ ଏକ ସମ୍ମାନସ୍ପଦ ଅନୁଷ୍ଠାନ । ଇଂରେଜମାନଙ୍କୁ ବିତାଡ଼ିତ କରିବା ପାଇଁ ବଡ ଜନଆନ୍ଦୋଳନ ହୋଇଥିଲା ଏହି ଅନୁଷ୍ଠାନରେ । ତତ୍କାଳୀନ ମହାପୁରୁଷଙ୍କ ନେତୃତ୍ୱରେ ଏହି ଅନୁଷ୍ଠାନ ଭାଷାଭିତ୍ତିକ ଆନ୍ଦୋଳନ ସହ ଓଡ଼ିଶାରେ ନବସୃଜନର କଳ୍ପନା କରିଛି ।  ମହାପ୍ରଭୁଙ୍କ ତୀର୍ଥକ୍ଷେତ୍ର ଯେତେ ପବିତ୍ର ରେଭେନ୍ସା ବି ସେତେ ପବିତ୍ର । ରେଭେନ୍ସା ଯାହା ଆଜି ଭାବେ, ସେହି କଥାକୁ ଓଡ଼ିଶା ପରବର୍ତ୍ତୀ ସମୟରେ ଭାବେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ସମସାମୟିକ ଜୀବନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ଚାହିଦା ବଢିଛି, ଯେଉଁ ଏଆଇକୁ ରେଭେନ୍ସା ଏବଂ ଜାତୀୟତାବାଦର ସମ୍ପର୍କ ଉପରେ ପ୍ରଶ୍ନ କଲେ ଉତ୍ତର ଆସୁଛି, ଓଡ଼ିଆ ଜାତୀୟତାବାଦ ଓ ରେଭେନ୍ସାର ଅନନ୍ୟ ସମ୍ପର୍କ ରହିଛି । ଓଡ଼ିଆ ଜାତୀୟତାବାଦୀ ଆନ୍ଦୋଳନର ମୁଖ୍ୟ ମଞ୍ଚ ହେଉଛି ରେଭେନ୍ସା ବିଶ୍ୱବିଦ୍ୟାଳୟ ।

୨୦୩୬ ମସିହାରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ ମସିହାରେ ଭାରତ ଏହାର ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ହାସଲ କରିବା ଦିଗରେ ରେଭେନ୍ସା ଏକ ଉତପ୍ରେରକ ଭଳି କାର୍ଯ୍ୟ କରିବ । ଏଥିପାଇଁ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏ ଦିଗରେ ସ୍ୱପ୍ନ ଦେଖିବା ପାଇଁ ସେ ଆହ୍ୱାନ କରିଛନ୍ତି । ସେ ଆହୁରି କହିଛନ୍ତି, ଆମର ଯୁବପିଢି ଚାକିରି ଅନ୍ୱେଷଣରେ ନରହି ଚାକିରି ଦେବାର ଅଭିମୁଖ୍ୟ ଆପଣାଇବାକୁ ହେବ । ଓଡ଼ିଶାରେ ବୌଦ୍ଧ ଧର୍ମ ଏବଂ କଳିଙ୍ଗ ଯୁଦ୍ଧର ଇତିହାସ ଓ ବାସ୍ତବ ଯଥାର୍ଥତାକୁ ଏଆଇ ମାଧ୍ୟମରେ ପ୍ରତିପାଦିତ କରିପାରିଲେ ହିଁ ଏକବିଂଶ ଶତାବ୍ଦୀରେ ଓଡ଼ିଶା ବୈଶ୍ୱିକ ନେତୃତ୍ୱର ପ୍ରୟୋଗଶାଳା ହେବ । ଆଜିର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିବାରୁ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରେଭେନ୍‌ସା ସେଭେନ୍‌ ପିଲାର୍ସସ୍ଥିତ ସମ୍ମିଳନୀ କକ୍ଷରେ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍‌ପାଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଥିଲେ ଯେ, ୧୫୭ ବର୍ଷ ଧରି ରେଭେନ୍‌ସା ଦେଶକୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଇ ତାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୨୦୨୦ ଜାତୀୟ ଶିକ୍ଷା ନୀତି ଉପରେ ଆଲାେକପାତ କରିଥିଲେ ଏବଂ ଏହା ଗୁଣାତ୍ମକ ଶିକ୍ଷା ବିକାଶରେ ସହାୟକ ହୋଇପାରିବ ବୋଲି କହିଥିଲେ।

ରେଭେନ୍‌ସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ଡକ୍ଟର ଅଫ୍‌ ସାଇନ୍ସ,, ସାଂସଦ ଭର୍ତ୍ତୃହରି ମହତାବ, ପରିବେଶ ସଂରକ୍ଷକ ପଦ୍ମଶ୍ରୀ ସାବରବତୀ ଓ ଦୃଷ୍ଟିହୀନ ସାମାଜିକ କର୍ମୀ ବିଜୟ କୁମାର ରଥଙ୍କୁ ଡକ୍ଟର ଅଫ୍‌ ଲିଟରେଚର୍‌ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି। ଏହାସହ ୨୦୨୩, ୨୦୨୪ ଓ ୨୦୨୫ ବର୍ଷ ପାଇଁ ସ୍ନାତକରେ ୮୪ ଜଣ ଛାତ୍ରଛାତ୍ରୀ, ସ୍ନାତକୋତ୍ତରରେ ୮୬ଜଣଙ୍କୁ ସ୍ବର୍ଣ୍ଣପଦକ, ୧୪୫ଜଣଙ୍କୁ ପିଏଚ୍‌ଡି ଡିଗ୍ରି ପ୍ରଦାନ କରାଯାଇଛି। ଗଲା ୩ ବର୍ଷର ୬ଜଣ ବେଷ୍ଟ ଗ୍ରାଜୁଏଟ୍‌ ଓ ୭ଜଣ ବୋରାସମ୍ବର ସେନାପତି ତର୍କ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଛି। ସଭାରେ କୁଳପତି ପ୍ରଫେସର ସଂଜୟ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୁଳସଚିବ କାହ୍ନୁଚରଣ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ସ୍ବର୍ଣ୍ଣପଦକ ଓ ଡିଗ୍ରି ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପିଜି କାଉନସିଲ୍‌ ଅଧ୍ୟକ୍ଷା ପ୍ରଫେସର ଲୁନା ସାମନ୍ତ ଶପଥପାଠ କରାଇଥିଲେ।

 

ରିପୋର୍ଟ : ଶୁଭସ୍ମିତା ପ୍ରଧାନ