- ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ-ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କୋ-ବ୍ରାଣ୍ଡେଡ କାର୍ଡକୁ ଓଡ଼ିଶାର ହିତାଧିକାରୀଙ୍କ ପାଇଁ ଉନ୍ମୋଚନ ଏବଂ ବଣ୍ଟନ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶାରେ ଆୟୁଷ୍ମାନ ବୟ ବନ୍ଦନା ଯୋଜନାର ମଧ୍ୟ ଶୁଭାରମ୍ଭ
- ଓଡ଼ିଶା ପାଇଁ ଐତିହାସିକ ଦିନ କାରଣ ପ୍ରାୟ ୧ କୋଟି ପରିବାର ଓ ପ୍ରାୟ ୩.୫୨ କୋଟି ଲୋକ ଏବି-ପିଏମଏଜେୱାଇ ଅଧୀନରେ ସାମିଲ ହେବେ: ଶ୍ରୀ ଜେ. ପି. ନଡ୍ଡା
- ‘‘ଏହି ଯୋଜନା ଅଧୀନରେ ୮.୧୯ କୋଟିରୁ ଅଧିକ ଲୋକ ଚିକିତ୍ସା ସୁବିଧା ଗ୍ରହଣ କରିସାରିଛନ୍ତି ଏବଂ ସରକାର ସମୁଦାୟ ଏଥି ପାଇଁ ୧.୨୬ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି’’
- ଓଡ଼ିଶାର ବିକାଶ ଗାଥାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି : ଶ୍ରୀ ମୋହନ ଚରଣ ମାଝୀ
- ‘‘ଆୟୁଷ୍ମାନ ଭାରତ ଯୋଜନା ସମଗ୍ର ଦେଶର ଲୋକଙ୍କୁ, ବିଶେଷ କରି ଗରିବ ଏବଂ ଅବହେଳିତ ବର୍ଗଙ୍କୁ ଉପକୃତ କରୁଛି’’
- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁରୋଗ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନରେ ବହୁମୁଖି ଡାକ୍ତରଖାନା, ଛାତ୍ରାବାସ ଏବଂ ମାଇକ୍ରୋବାୟୋଲୋଜି ପ୍ରୟୋଗଶାଳାକୁ ଉଦଘାଟନ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
କଟକ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି କଟକରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଧାନମନ୍ତ୍ରୀ-ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କୋ-ବ୍ରାଣ୍ଡେଡ କାର୍ଡକୁ ଓଡ଼ିଶାର ହିତାଧିକାରୀଙ୍କ ପାଇଁ ଉନ୍ମୋଚନ ଏବଂ ବଣ୍ଟନ କରିଛନ୍ତି। ରାଜ୍ୟରେ ଏହି ଦୁଇଟି ସ୍ୱାସ୍ଥ୍ୟ ବୀମା ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ ହେବ । ଓଡ଼ିଶାରେ ଆୟୁଷ୍ମାନ ବୟ ବନ୍ଦନା ଯୋଜନାର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଓଡ଼ିଶାର ସାଂସଦ ତଥା ବିଧାନସଭା ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।
ସମାବେଶକୁ ସମ୍ବୋଧିତ କରି ଶ୍ରୀ ଜେ.ପି. ନଡ୍ଡା କହିଥିଲେ ଯେ, ‘‘ଆଜି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ, କାରଣ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ଏବି-ପିଏମଏଜେୱାଇ ଅଧୀନରେ ବର୍ତ୍ତମାନ ୬୨ କୋଟି ଲୋକ ଉପକୃତ ହେଉଛନ୍ତି । ଏହାଦ୍ୱାରା ଓଡ଼ିଶାର ପ୍ରାୟ ୧ କୋଟି ୩୦ ଲକ୍ଷ ପରିବାର ଅର୍ଥାତ୍ ରାଜ୍ୟର ପ୍ରାୟ ୩.୫୨ କୋଟି ଲୋକ ଉପକୃତ ହୋଇପାରିବେ।’’

ଶ୍ରୀ ନଡ୍ଡା ସୂଚନା ଦେଇଥିଲେ ଯେ ଏହି ଯୋଜନା ଅଧୀନରେ ୮.୧୯ ନିୟୁତରୁ ଅଧିକ ଲୋକ ସେବା ଗ୍ରହଣ କରିଛନ୍ତି ଏବଂ ଦେଶର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ୧.୨୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପ୍ରାୟ ୬୧ କୋଟି ଲୋକଙ୍କୁ ଏହି ଯୋଜନା ଅଧୀନରେ ସାମିଲ କରାଯାଇଛି। ପୂର୍ବରୁ ଏହି ଯୋଜନାରେ ୫୫ କୋଟିରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା। ଏହାପରେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସେମାନଙ୍କ ପରିବାର ଅର୍ଥାତ୍ ପାଖାପାଖି ୩୬ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ଯୋଡ଼ା ଯାଇଥିଲା। ଗତ ବର୍ଷ ଅକ୍ଟୋବରରେ ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଥିଲା । ବର୍ତ୍ତମାନ ଓଡ଼ିଶାରେ ଆୟୁଷ୍ମାନ ବୟ ବନ୍ଦନା କାର୍ଯ୍ୟକାରୀ ହେବା ସହିତ ୭୦ ବର୍ଷ ଏବଂ ତଦୁର୍ଦ୍ଧ୍ବ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଆର୍ଥିକ ସ୍ଥିତି ନିର୍ବିଶେଷରେ ଏଥିରେ ସାମିଲ ହୋଇପାରିବେ।

ଶ୍ରୀ ନଡ୍ଡା ସୂଚନା ଦେଇଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନାର ଫଳସ୍ୱରୂପ ଚିକିତ୍ସା ବାବଦ ବ୍ୟୟ ୬୨ ପ୍ରତିଶତରୁ ୩୮ ପ୍ରତିଶତକୁ ହ୍ରାସ ପାଇଛି। ସେ ଏହା ମଧ୍ୟ ସୂଚନା ଦେଇଥିଲେ ଯେ ୧୦୦ ଦିନିଆ ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମରେ ଓଡ଼ିଶା ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲା ଏବଂ ୧୬,୫୦୦ ନୂତନ ମାମଲା ଚିହ୍ନଟ କରିଥିଲା। ପ୍ରଧାନମନ୍ତ୍ରୀ ଏବିଏଚଆଇଏମ ଅଧୀନରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୧,୪୧୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉନ୍ମୋଚନ କାର୍ଯ୍ୟକ୍ରମକୁ ‘‘ଓଡ଼ିଶାର ଅଭିବୃଦ୍ଧି କାହାଣୀରେ ଆଉ ଏକ ନୂଆ ଫର୍ଦ୍ଦ’’ ବୋଲି ବର୍ଣ୍ଣନା କରିଥିଲେ। ‘‘ଆଜିଠାରୁ ଓଡ଼ିଶାର ହିତାଧିକାରୀମାନେ ମାଗଣା ସ୍ୱାସ୍ଥ୍ୟସେବା ସୁବିଧା ପାଇବେ। ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଲୋକମାନେ ମଧ୍ୟ ଏହାଦ୍ୱାରା ଉପକୃତ ହେବେ। ସେମାନେ ରାଜ୍ୟ ବାହାରେ ଥିବା ଡାକ୍ତରଖାନାଗୁଡ଼ିକରେ ଏହି ସୁବିଧାର ଲାଭ ଉଠାଇପାରିବେ ବୋଲି ସେ କହିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆୟୁଷ୍ମାନ ଭାରତ ଯୋଜନା ସମଗ୍ର ଦେଶର ଜନସାଧାରଣ, ବିଶେଷ କରି ଗରିବ ଏବଂ ବଞ୍ଚିତ ବର୍ଗଙ୍କୁ ଉପକୃତ କରୁଛି।
ଶ୍ରୀ ମାଝୀ ସୂଚନା ଦେଇଥିଲେ ଯେ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳରେ ୪ ହଜାରରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ୫ ହଜାରରୁ ଅଧିକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ସେ ରେଖାଙ୍କିତ କରିଥିଲେ ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଥିବା କହିଥିଲେ ।
Launched and distributed co-branded cards of Ayushman Bharat Pradhan Mantri Jan Arogya Yojana (AB PM-JAY) to beneficiaries in Cuttack, Odisha.
This launch is a historic moment for the state, as nearly 1.3 crore families — around 3.52 crore people — will now benefit under AB… pic.twitter.com/utJFWqJKIe
— Jagat Prakash Nadda (@JPNadda) April 11, 2025
କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଯେ ଏହି ଯୋଜନା ଓଡ଼ିଶାର ଆଦିବାସୀମାନଙ୍କୁ ବ୍ୟାପକ ଭାବେ ଲାଭାନ୍ୱିତ କରିବ। ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ରାଜ୍ୟର ଲୋକମାନେ ବହୁତ ଖୁସି ଅଛନ୍ତି ବୋଲି ସେ କହିଥିଲେ ।
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ତିନି କୋଟି ଲୋକ ସ୍ୱାସ୍ଥ୍ୟ ବୀମା କାର୍ଡ ପାଇବେ ଏବଂ ଓଡ଼ିଶାର ୨୩ ଲକ୍ଷ ବୟସ୍କ ବ୍ୟକ୍ତି ମଧ୍ୟ ବୟ ବନ୍ଦନା ଯୋଜନା ଅଧୀନରେ ଉପକୃତ ହେବେ।
କଟକସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁରୋଗ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ ଠାରେ ନୂଆ ବହୁମୁଖି ଡାକ୍ତରଖାନା, ଛାତ୍ରାବାସ ଏବଂ ମାଇକ୍ରୋବାୟୋଲୋଜି ପ୍ରୟୋଗଶାଳାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିଲେ।