ସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର
ଭୁବନେଶ୍ୱର : ଓଡ଼ିଶା ପାଇଁ ଏହା କେବଳ ଏକ ସମ୍ମାନ ନୁହେଁ, ବରଂ ଏକ ଗର୍ବର ମୁହୂର୍ତ୍ତ। ପ୍ରଫେସର ମନୋରଞ୍ଜନ କର ଓ ରଶ୍ମି ରେଖା କରଙ୍କ ପୁତ୍ର ତଥା ଲଣ୍ଡନସ୍ଥିତ ଓଡ଼ିଆ ଉଦ୍ୟୋଗୀ ଏବଂ ଅବସରପ୍ରାପ୍ତ କ୍ୟାପ୍ଟେନ୍ ଅରୁଣ କର ନ୍ୟୁୟର୍କସ୍ଥିତ ସଂଯୁକ୍ତ ରାଷ୍ଟ୍ର ସଂଘ (ୟୁଏନ୍) ମୁଖ୍ୟାଳୟରେ ତାଙ୍କର ନିରନ୍ତର ଜନହିତୈଷୀ କାର୍ଯ୍ୟ ପାଇଁ ଆନୁଷ୍ଠାନିକ ଭାବେ ସମ୍ମାନିତ ହୋଇଛନ୍ତି। ମାନବ ମର୍ଯ୍ୟାଦା, ସାର୍ବଜନୀନ ସ୍ୱାସ୍ଥ୍ୟ, ପରିଷ୍କାର-ପରିଚ୍ଛନ୍ନତା, ଲିଙ୍ଗ ସମାନତା ଓ ସ୍ଥାୟୀ ବିକାଶକୁ ଆଗେଇ ନେବାରେ ତାଙ୍କର ଯୋଗଦାନକୁ ଏହି ଅବସରରେ ମାନ୍ୟତା ଦିଆଯାଇଛି। ସାମୂହିକ ମାନବ ପ୍ରଗତିକୁ ପ୍ରତିନିଧିତ୍ୱ କରୁଥିବା ବିଶ୍ୱର ଏହି ପ୍ରମୁଖ ଅନୁଷ୍ଠାନରେ ଅରୁଣ କର ଜଣେ ଓଡ଼ିଆ ପୁଅ ଭାବେ ନିଜର ସାଂସ୍କୃତିକ ମୂଳ ଓ ପରିବାରର ଗୌରବକୁ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ସଂଯୁକ୍ତ ରାଷ୍ଟ୍ର ପ୍ରତିନିଧି ତଥା ରାଷ୍ଟ୍ରଦୂତ ଲୁଇସ୍ ସୁଆରେଜ୍ ହର୍ନାଣ୍ଡେଜ୍ ଓ ସଂଯୁକ୍ତ ରାଷ୍ଟ୍ର ବିଶ୍ଵ ଶାନ୍ତି ପରିଷଦର ଅଧ୍ୟକ୍ଷା ଡ଼କ୍ଟର ବର୍ଖା ଭର୍ଷାଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରଶଂସା ପତ୍ରରେ ତାଙ୍କର କାର୍ଯ୍ୟକ୍ରମଗୁଡ଼ିକ ସଂଯୁକ୍ତ ରାଷ୍ଟ୍ରର ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ଯଥା- ଏସଡିଜି ୩, ୫, ୬, ୧୦ ଓ ୧୭ ସହିତ ସମାନ୍ତର ବୋଲି ଉଲ୍ଲେଖ କରାଯାଇଛି।
ଗତ କିଛି ବର୍ଷ ଧରି ଅରୁଣ କର ତାଙ୍କ ପତ୍ନୀ ନିଧି କର ଏବଂ ଭାରତ ଓ ଲଣ୍ଡନରେ ଥିବା ସହଯୋଗୀମାନଙ୍କ ସହ ଅନେକ ସମୁଦାୟ କେନ୍ଦ୍ରିକ କାର୍ଯ୍ୟକ୍ରମ ଆଗକୁ ନେଇଛନ୍ତି। ତାଙ୍କର ଉଲ୍ଲେଖନୀୟ ଉଦ୍ୟମ ମଧ୍ୟରେ ଓଡ଼ିଶାରେ ଆଦିବାସୀ ଝିଅମାନଙ୍କ ପାଇଁ ପରିମଳ ସୁବିଧା ଓ ମାସିକ ଋତୁସ୍ରାବ ସ୍ୱଚ୍ଛତାକୁ ସୁଦୃଢ଼ କରିବା, ଉତ୍ତରାଖଣ୍ଡରେ ଦୁର୍ବଳ ସମୁଦାୟକୁ ରିଲିଫ୍ ସହାୟତା ପ୍ରଦାନ ଏବଂ ଲଣ୍ଡନରେ ମହିଳାମାନଙ୍କୁ କ୍ରୀଡ଼ା ମାଧ୍ୟମରେ ସଶକ୍ତ କରିବା ଅନ୍ତର୍ଭୁକ୍ତ। ଏହା ସହିତ ହାଉସ୍ ଅଫ୍ ଲର୍ଡସ୍ରେ ବାଲିଯାତ୍ରା-୨୦୨୫ ମାଧ୍ୟମରେ ସାଂସ୍କୃତିକ କୂଟନୀତି ଏବଂ ‘ଆର୍ଥନେଷ୍ଟ ମିଶନ’ ଜରିଆରେ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ସେ କାର୍ଯ୍ୟ କରିଆସୁଛନ୍ତି। ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ସେ ସ୍ୱାସ୍ଥ୍ୟ, ସମାନତା, ପରିବେଶ ସୁରକ୍ଷା ଓ ଆନ୍ତର୍ଜାତୀୟ ସହଯୋଗକୁ ଅଧିକ ମଜବୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଫେବୃଆରୀ ୨୦୨୬ରେ ସଂଯୁକ୍ତ ରାଷ୍ଟ୍ର ବିଶ୍ଵ ଶାନ୍ତି ପରିଷଦ, ୟୁଏନଜିଏମ୍ ଓ ୟୁଏନଏସଡିଜି ସହଯୋଗରେ ଆୟୋଜିତ ଏକ ଆନ୍ତର୍ଜାତିକ ମଞ୍ଚରେ ସେ ‘ନ୍ୟୁୟର୍କ ଟାଇମ୍ସ୍ ଆଓ୍ୱାର୍ଡ ୨୦୨୬’ରେ ମଧ୍ୟ ସମ୍ମାନିତ ହୋଇଥିଲେ। ପୂର୍ବତନ ଭାରତୀୟ ସେନା ଅଧିକାରୀ ଓ ୧୯୯୯ ଓଡ଼ିଶା ମହାବାତ୍ୟାର ଜୀବିତ ସାକ୍ଷୀ ଅରୁଣ କର ପ୍ରତିକୂଳ ଅବସ୍ଥାରୁ ଉଠିଆସିଥିବା ସହନଶୀଳତା ଓ ସେବାଭାବନାର ପ୍ରତୀକ। ୟୁପିଏସସି ସିଡିଏସ୍ ପରୀକ୍ଷାରେ ପ୍ରଥମ ପ୍ରୟାସରେ ସର୍ବ ଭାରତୀୟ ସ୍ତରରେ ୧୫୨ତମ ସ୍ଥାନ ପାଇବା ଠାରୁ ଆରମ୍ଭ କରି ଜଣେ ସଫଳ ଉଦ୍ୟୋଗୀ ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟୀ। ଅରୁଣଙ୍କ ମତରେ, ପ୍ରକୃତ ସେବା ସମ୍ମାନରେ ନୁହେଁ ବରଂ ଦାୟିତ୍ୱରେ ମାପାଯାଏ। ଓଡ଼ିଶାର ସହନଶୀଳତା ଓ ନମ୍ରତା ଭଳି ମୂଲ୍ୟବୋଧକୁ ସେ ନିଜର ପରିଚୟ ଭାବେ ଗ୍ରହଣ କରି ବିଶ୍ୱସ୍ତରରେ ମାନବ ମର୍ଯ୍ୟାଦା ଓ ସ୍ଥାୟୀ ବିକାଶ ପାଇଁ ନିଜର ଯୋଗଦାନ ଜାରି ରଖିଛନ୍ତି।