BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦ୍ରୁତ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ସତ୍ତ୍ୱେ ସାମାଜିକ ଏକତାକୁ ବଜାୟ ରଖିଛି ପାର୍ବତ୍ୟାଞ୍ଚଳର ଶସ୍ୟ ଚାଷ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ପାର୍ବତ୍ୟାଞ୍ଚଳ ଶସ୍ୟ ସଂସ୍କୃତି ଉପରେ ଦୁଇ ଦିନିଆ ଆଲୋଚନାଚକ୍ର ଓ ଚଳଚ୍ଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ନୃତତ୍ତ୍ୱ ବିଭାଗ ଏବଂ ଆନ୍ତର୍ଜାତୀୟ ବ୍ୟାପାର କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଫେବୃଆରୀ ୬ ଏବଂ ୭ ତାରିଖରେ “କ୍ରପ୍‌ସ ଅଫ୍ ଲାଇଫ୍: ସିରିଏଲ୍ କଲଚର୍ସ ଇନ୍ ଦି ହାଇଲାଣ୍ଡସ୍ ଅଫ୍ ଓଡ଼ିଶା” ଶୀର୍ଷକ ଏକ ଦୁଇ ଦିନିଆ ଆଲୋଚନାଚକ୍ର ଏବଂ ସ୍ୱତନ୍ତ୍ର ଚଳଚ୍ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପାର୍ବତ୍ୟାଞ୍ଚଳରେ ଶସ୍ୟ ଚାଷ, ସାଂସ୍କୃତିକ ପରମ୍ପରା ଏବଂ ଗୋଷ୍ଠୀଗତ ଜୀବନ ମଧ୍ୟରେ ଥିବା ଗଭୀର ସମ୍ପର୍କ ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ଜୀବିକା, ସ୍ଥାନୀୟ ଜ୍ଞାନ କୌଶଳ ଏବଂ ସ୍ଥାୟୀ ଖାଦ୍ୟ ପ୍ରଣାଳୀ ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଆଲୋଚନାଚକ୍ରରେ ପାର୍ବତ୍ୟ ସମୁଦାୟର ସାମାଜିକ ସଂଗଠନ, ରୀତିନୀତି ଏବଂ ସେମାନଙ୍କ ଜୀବନଶୈଳୀକୁ ପାରମ୍ପରିକ ଶସ୍ୟ ଚାଷ କିପରି ପ୍ରଭାବିତ କରେ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶିଷ୍ଟ ଅନ୍ତର୍ଜାତୀୟ ନୃତତ୍ତ୍ୱବିତ୍‌ ଏଥିରେ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ସମସ୍ୟାଗୁଡ଼ିକ ଉପରେ ଏକ ବିଶ୍ୱସ୍ତରୀୟ ଶିକ୍ଷାଭିତ୍ତିକ ଦୃଷ୍ଟିକୋଣ ପ୍ରଦାନ କରିଥିଲେ।

ଜର୍ମାନୀର ଗୋଏଥେ ବିଶ୍ୱବିଦ୍ୟାଳୟର ପ୍ରଫେସର ରୋଲାଣ୍ଡ ହାର୍ଡେନବର୍ଗ ଓଡ଼ିଶାରେ ତାଙ୍କର ଦୀର୍ଘକାଳୀନ ନୃତତ୍ତ୍ୱ ଗବେଷଣାର ଅନୁଭୂତି ଉପରେ ଆଲୋକପାତ କରିଥିଲେ। ପାର୍ବତ୍ୟାଞ୍ଚଳ ସମାଜରେ ଧାର୍ମିକ ରୀତିନୀତି, ସ୍ଥାନୀୟ ଅର୍ଥନୀତି ଏବଂ ଶସ୍ୟ ସଂସ୍କୃତି ମଧ୍ୟରେ ଥିବା ସମ୍ପର୍କ ଉପରେ ସେ ନିଜର ମତ ରଖିଥିଲେ। ସେହିପରି ନେଦରଲ୍ୟାଣ୍ଡର ଗ୍ରୋନିଞ୍ଜେନ ବିଶ୍ୱବିଦ୍ୟାଳୟର ପ୍ରଫେସର ପିଟର ବର୍ଗର କହିଥିଲେ ଯେ, ଦ୍ରୁତ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ସତ୍ତ୍ୱେ ପାର୍ବତ୍ୟାଞ୍ଚଳର ଶସ୍ୟ ଚାଷ ଗୋଷ୍ଠୀଗତ ପରିଚୟ ଓ ସ୍ବୀକୃତି ଲାଭ କରିଥିବାବେଳେ ଏହା ସମ୍ପୃକ୍ତ ଅଞ୍ଚଳର ଧାର୍ମିକ ପରମ୍ପରା ଏବଂ ସାମାଜିକ ଏକତାକୁ ବଜାୟ ରଖିବାରେ ସହାୟକ ହେଉଛି।

ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ଚାଲିଥିବା ଏହି ଶିକ୍ଷାଭିତ୍ତିକ ସହଯୋଗକୁ ପ୍ରଶଂସା କରିଥିଲେ। ସେ ଆଗାମୀ ଦିନରେ ଅଧିକରୁ ଅଧିକ ଆନ୍ତଃ-ବିଭାଗୀୟ ଗବେଷଣା ଏବଂ ନୂତନ ଅଂଶୀଦାରିତା ପାଇଁ ଅଧ୍ୟାପକ ଓ ଗବେଷକମାନଙ୍କୁ ଉତ୍ସାହିତ କରିଥିଲେ। ଆଲୋଚନାଚକ୍ର ପ୍ରାରମ୍ଭରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନାରା  ସ୍ୱାଗତ ଅଭିଭାଷଣ ରଖିଥିଲେ।

ନୃତତ୍ତ୍ୱ ବିଭାଗର ମୁଖ୍ୟ ଡକ୍ଟର ସୁରେଶ ଚନ୍ଦ୍ର ମୁର୍ମୁ ଆଲୋଚନାଚକ୍ରର ଆଭିମୁଖ୍ୟ ଉପସ୍ଥାପନ କରିବା ସହ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ରର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ଡକ୍ଟର ବିଜୟିନୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ “କ୍ରପ୍‌ସ ଅଫ୍ ଲାଇଫ୍: ସିରିଏଲ୍ କଲଚର୍ସ ଇନ୍ ଦି ହାଇଲାଣ୍ଡସ୍ ଅଫ୍ ଓଡ଼ିଶା, ଇଣ୍ଡିଆ” ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ପାର୍ବତ୍ୟ ସମୁଦାୟର ଦୈନନ୍ଦିନ ଶ୍ରମ, ଋତୁଚକ୍ର, ଧାର୍ମିକ ରୀତିନୀତି ଏବଂ ସ୍ଥାନୀୟ ପରିବେଶ ସମ୍ବନ୍ଧୀୟ ଜ୍ଞାନ ସହ ଶସ୍ୟ ଚାଷ କିପରି ଜଡ଼ିତ, ତାହାର ଏକ ଜୀବନ୍ତ ଚିତ୍ର ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଦର୍ଶନୀକୁ ସମସ୍ତେ ବେଶ୍ ପ୍ରଶଂସା କରିଥିବାବେଳେ ଏହା ଶିକ୍ଷାଦାନ, କ୍ଷେତ୍ରଭିତ୍ତିକ ଗବେଷଣା ଏବଂ ରାଜ୍ୟର ଖାଦ୍ୟ ସୁରକ୍ଷା ତଥା ସ୍ଥାୟୀ କୃଷି ସମ୍ପର୍କିତ ନୀତି ନିର୍ଦ୍ଧାରଣରେ ସହାୟକ ହେବ ବୋଲି ଅଂଶଗ୍ରହଣକାରୀମାନେ ମତ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ନୃତତ୍ତ୍ୱ ବିଭାଗର ପ୍ରଫେସର ପ୍ରସନ୍ନ କୁମାର ପାତ୍ର, ପ୍ରଫେସର କାହ୍ନୁ ଚରଣ ଶତପଥୀ, ଡକ୍ଟର ପରମାନନ୍ଦ ନାୟକ, ସୁବ୍ରତ କୁମାର ନାୟକ ଏବଂ ଆନ୍ତର୍ଜାତୀୟ କାର୍ଯ୍ୟାଳୟର ଡକ୍ଟର ସଞ୍ଜୟ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ସଂସ୍କୃତି, ସ୍ଥାୟୀ ବିକାଶ ଏବଂ ସ୍ଥାନୀୟ ଜ୍ଞାନ କୌଶଳ ଉପରେ ଗବେଷଣାଭିତ୍ତିକ ଆଲୋଚନାକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ଏହି କାର୍ଯ୍ୟକ୍ରମ ପୁନର୍ବାର ପ୍ରମାଣିତ କରିଛି।