BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଜୀବନ୍ତ ଇତିହାସ ଥିଲା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନ

ରାଜ୍ୟସ୍ତରୀୟ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନ ଥିଲା ଏକ ଜୀବନ୍ତ ଇତିହାସ। ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମଧୁବାବୁ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କର ଦୂରଦୃଷ୍ଟି ଓ ଜାତୀୟ ଦୃଷ୍ଟି ପାଇଁ ସେ ଚିରକାଳ ପାଇଁ ଓଡ଼ିଶାବାସୀଙ୍କ ହୃଦୟରେ ବଞ୍ଚିରହିବେ। ଓଡ଼ିଶାର ହସ୍ତଶିଳ୍ପ ଓ ସ୍ୱଦେଶୀ କାରିଗରୀ ଜରିଆରେ ଅର୍ଥନୈତିକ ଅଭିବୃଦ୍ଧି ଆଣିବା ସହ ଓଡ଼ିଶାର ଖ୍ୟାତିକୁ ବିଶ୍ୱଦରବାରରେ ପହଞ୍ଚାଇବା ପାଇଁ ତାଙ୍କର ଉଦ୍ୟମ ପ୍ରଣିଧାନଯୋଗ୍ୟ। ଓଡ଼ିଆ ଲୋକଟିଏ ଯେତେବେଳେ କିଛି ନୂଆ କରିବାକୁ ଚେଷ୍ଟା କରିବ ସେତିକିବେଳେ ମଧୁବାବୁଙ୍କ ପ୍ରେରଣା ତାଙ୍କୁ ପ୍ରୋତ୍ସାହିତ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

“ଓଡ଼ିଆ ଅସ୍ମିତା ଏବଂ ମଧୁବାବୁ” ବିଷୟବସ୍ତୁକୁ ନେଇ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦୈନିକ ସମ୍ବାଦପତ୍ର “ସମୟ”ର ମୁଖ୍ୟ ସମ୍ପାଦକ ତଥା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୌତ୍ର ଶ୍ରୀଯୁକ୍ତ ଗୁରୁକଲ୍ୟାଣ ମହାପାତ୍ର କହିଛନ୍ତି ଯେ ଓଡ଼ିଶାର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ନବଜାଗରଣ ପାଇଁ ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ। ସେ ମଧୁବାବୁଙ୍କୁ ପ୍ରଥମ ରାଜନୈତିଜ୍ଞ ପୁରୁଷ ବୋଲି ସମ୍ବୋଧନ କରି କହିଥିଲେ ଯେ ମଧୁବାବୁ ହେଉଛନ୍ତି ଆଧୁନିକ ଓଡ଼ିଶାର ରାଜନୈତିକ ଇତିହାସର ଅଗ୍ରଗଣ୍ୟ ଓ ଅନନ୍ୟ ବ୍ୟକ୍ତିତ୍ୱ । ବ୍ୟକ୍ତିଗତ ସଫଳତାକୁ ପ୍ରାଧାନ୍ୟ ନଦେଇ ଓଡ଼ିଶାର ପରିଚୟକୁ ବିଶ୍ୱବିଦିତ କରିବାକୁ ସେ ସବୁବେଳେ ଚେଷ୍ଟା କରୁଥିଲେ ବୋଲି ଶ୍ରୀଯୁକ୍ତ ମହାପାତ୍ର ମତପ୍ରକାଶ କରିଛନ୍ତି।

ଅତିଥି ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଗାନ୍ଧିବାଦୀ ଚିନ୍ତକ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ପ୍ରହଲ୍ଲାଦ କୁମାର ସିଂହ ମଧୁବାବୁଙ୍କ ଓଡ଼ିଆ ଅସ୍ମିତାର ଯୁଗ ପୁରୁଷ ବୋଲି ବିବେଚିତ କରି କହିଛନ୍ତି ଯେ ମଧୁସୂଦନ ଦାସଙ୍କ ନୀତି ଆଦର୍ଶକୁ ଆଜିର ଦିନରେ ଆମେ କେତେ ଦୂର ପ୍ରତିଫଳିତ କରିପାରିଛେ, ତାହାର ଆତ୍ମଚିନ୍ତନର ଆବଶ୍ୟକତା ରହିଛି। ୧୮୪୮ରେ ଜନ୍ମ ଓ ୧୯୩୪ ଫେବୃଆରୀ ୪ ରେ ପରଲୋକ ଗମନ କରିଥିବା ମଧୁବାବୁଙ୍କ ଜୀବନୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ସେ। ଊନବିଂଶ ଶତାବ୍ଦୀ ପୂର୍ବରୁ ଏବଂ ପ୍ରାରମ୍ଭରେ ଓଡ଼ିଶାର ରାଜନୈତିକ ପରିସ୍ଥିତି, ଅର୍ଥନୈତିକ ଅବସ୍ଥା, ଉତ୍କଳ ସମ୍ମିଳନୀ, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନର ସୁରକ୍ଷା ଏବଂ ସର୍ବୋପରି ଓଡ଼ିଶାରେ ନବଜାଗରଣର ଅଭ୍ୟୁଦୟରେ ତାଙ୍କର ଭୂମିକା ଥିଲା ଅପରିସୀମ ବୋଲି ସେ ପ୍ରକାଶ କରିଛନ୍ତି । ଓଡ଼ିଆ ଜାତିର ଉନ୍ନତି ପାଇଁ ସେ ନିଜର ସବୁକିଛି ଉତ୍ସର୍ଗ କରିଦେଇଥିଲେ । ଫଳ ସ୍ୱରୂପ ଶେଷ ଜୀବନରେ ସେ ଦେବାଳିଆ ହୋଇଯାଇଥିଲେ । ସେଭଳି ଜଣେ ବରପୁତ୍ରଙ୍କ ଜୀବନାଦର୍ଶକୁ ପାଥେୟ କରି ଓଡ଼ିଶାର ଯୁବପିଢ଼ି ଅଗ୍ରସର ହେଲେ ବିଶ୍ୱ ମାନଚିତ୍ରରେ ଓଡ଼ିଶାର ପରିଚିତି ଅଧିକ ଜାଜ୍ଜ୍ୱଲ୍ୟମାନ ହେବ ଏ କଥାରେ ସନ୍ଦେହ ନାହିଁ ବୋଲି ଶ୍ରୀଯୁକ୍ତ ସିଂହ ପ୍ରକାଶ କରିଛନ୍ତି।

ମଧୁବାବୁ ବହୁକ୍ଷେତ୍ରରେ ଥିଲେ ପ୍ରଥମ ଓଡ଼ିଆ। ଓଡ଼ିଶାର ପ୍ରଥମ ସ୍ନାତକ, ପ୍ରଥମ ଏମ୍‌.ଏ, ପ୍ରଥମ ଓକିଲ, ବିହାର ଓଡ଼ିଶା ଲେଜିସ୍‌ଲେଟିଭ୍‌ କାଉନ୍‌ସିଲର ପ୍ରଥମ ମନ୍ତ୍ରୀ ଭାବେ ସେ ନିଜର ସ୍ୱକୀୟ ପରିଚୟ ସୃଷ୍ଟି କରିଯାଇଛନ୍ତି । ଓଡ଼ିଶାର ଅର୍ଥନୈତିକ ବିକାଶ ସହ ଜନଜାତି ଓ ନାରୀ ଶିକ୍ଷା ସହ ସେମାନଙ୍କର ଉତ୍‌ଥାନ ପାଇଁ ମଧୁବାବୁଙ୍କର ଅବଦାନ ଅବିସ୍ମରଣୀୟ ବୋଲି ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡଃ ଭାରତୀ ପାଲ କହିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ ଅତିଥିମାନଙ୍କ ସହ ଯୋଗ ଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନୁହେଁ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତିଷ୍ଠା ଓ ପରିଚିତି ନିମନ୍ତେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବହୁମୁଖୀ ଅବଦାନ ପ୍ରାତଃସ୍ମରଣୀୟ ବୋଲି କହିଛନ୍ତି। କାର୍ଯ୍ୟକ୍ରମକୁ ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଭାଗର ଅନୁଶାସନ ସଚିବ ସୁଶ୍ରୀ ମୌସୁମୀ ଦାସ ଅତିଥି ପରିଚୟ ଓ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ବୈଷୟିକ ଗୁରୁବୀର ସିଂ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ, ସହକାରୀ ବିତ୍ତ ପରାମର୍ଶଦାତା  ପୃଥ୍ବୀରାଜ ପାଣି, ଯୁଗ୍ମ ନିର୍ଦ୍ଦେଶକ ବିଶ୍ବଜିତ ଦାଶ ଓ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ କର୍ମଚାରୀଙ୍କ ସମେତ ପ୍ରମୁଖ ବୁଦ୍ଧିଜୀବୀ ସଭାରେ ଯୋଗ ଦେଇଥିଲେ।