ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ମାଲ୍ୟାର୍ପଣ, ଲକ୍ଷ୍ମଣ ନାୟକଙ୍କ ତ୍ୟାଗ, ସାହସ ଓ ଦେଶପ୍ରେମକୁ ସ୍ମରଣ
ଭୁବନେଶ୍ୱର: ସମଗ୍ର ଆଦିବାସୀ ସମାଜର ଗୌରବ, ମାତୃଭୂମିର ପରମ ପୂଜକ, ବୀର ଓ ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳୀ ପୂର୍ବକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
୧୮୯୯ ମସିହା ନଭେମ୍ବର ୨୨ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି ଉପଖଣ୍ଡସ୍ଥିତ ବଣପାହାଡ଼ ଘେରା ତେନ୍ତୁଳୀଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ମହାନ ସ୍ୱାଧୀନତା ସେନାନୀ ପ୍ରତି ଆଜି ସମଗ୍ର ରାଜ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛି ।
ସକାଳ ୯.୩୦ରେ ଓଡ଼ିଶା ବିଧାନସଭା ପାର୍ଶ୍ୱ ଗେଟ୍ ନମ୍ବର–୧ ନିକଟସ୍ଥ ପ୍ରତିମୂର୍ତ୍ତି ନିକଟରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢୀ, ଓଡ଼ିଶା ବିଧାନ ସଭା, ଏବଂ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ଏହା କାର୍ଯ୍ୟକ୍ରମ ରେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ, ଶବରୀ ସାଂସ୍କୃତିକ ସଂସଦର ସମ୍ପାଦକ ନୀଳମାଧବା ଦାସ, ସାଧାରଣ ସମ୍ପାଦକ ଇଂ. ଗୋଦାବରୀଶ ମହାପାତ୍ର, ପୂର୍ବତନ ସଭାପତି ଅରବିନ୍ଦ ଢାଳି, ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସହ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।
ସେହିପରି ସକାଳ ୮.୦୦ ଘଟିକାରେ ଆଦିବାସୀ ପଡ଼ିଆ, ଭୁବନେଶ୍ୱର ଏବଂ ୮.୩୦ରେ କଳିଙ୍ଗ ହସ୍ପିଟାଲ ଛକସ୍ଥ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ, ବିଭାଗୀୟ ଅଧିକାରୀ ଓ ଶବରୀ ସାଂସ୍କୃତିକ ସଂସଦର କର୍ମକର୍ତ୍ତାମାନଙ୍କ ଦ୍ୱାରା ମଧ୍ୟ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମଗ୍ର ଆୟୋଜନରେ ଶହୀଦଙ୍କ ତ୍ୟାଗ, ସାହସ ଓ ଦେଶପ୍ରେମକୁ ସ୍ମରଣ କରାଯାଇଥିଲା।