ଫରିଦାବାଦ (ହରିୟାଣା): ହରିୟାଣାର ଫରିଦାବାଦ ଜିଲ୍ଲାର ବଲ୍ଲଭଗଡ଼ ରେଲ ଷ୍ଟେସନ ନିକଟରେ ଏକ ହୃଦୟବିଦାରକ ଘଟଣା ଘଟିଛି। ବିହାରର ଲଖିସରାଇ ଜିଲ୍ଲା ବାସିନ୍ଦା ମନୋଜ ମାହୋତା (୪୦) ନିଜର ଚାରି ଶିଶୁ ସହିତ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
ପ୍ରତ୍ୟକ୍ଷଦର୍ଶୀ ଅନୁସାରେ, ମନୋଜ ଏହି ଘଟଣା ପାଇଁ ଘରୁ ଚାରି ପିଲାଙ୍କୁ “ପାର୍କ ନେବା” ବାହାନାରେ ବାହାରି ନେଇଯାଇଥିଲେ। ସେ କାନ୍ଧରେ ଦୁଇ ଜଣ ଓ ହାତରେ ଦୁଇ ଜଣ ପିଲାକୁ ଧରି ରେଳ ଟ୍ରାକକୁ ନେଇଯାଇଥିଲେ। ଦିଲ୍ଲୀ ଅଭିମୁଖେ ଯାଉଥିବା ସ୍ବର୍ଣ୍ଣ ମନ୍ଦିର ଏକ୍ସପ୍ରେସ ଟ୍ରେନ୍ ଆସୁଥିବା ବେଳେ ସେ ତାଙ୍କୁ ଧରି ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ।
ପିଲାମାନେ ବଞ୍ଚିବା ପାଇଁ ଚେଷ୍ଟା କରିଥିବା ବେଳେ ବାପା ତାଙ୍କୁ ଜବରଦସ୍ତି ଧରି ରଖିଥିଲେ ବୋଲି ସାକ୍ଷୀମାନେ କହିଛନ୍ତି। ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା ଓ ଶରୀର ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଟ୍ରାକ ଉପରେ ମିଳିଥିଲା।
ଟ୍ରେନ ଲୋକୋ ପାଇଲଟ ଘଟଣା ସମ୍ୱନ୍ଧରେ GRP (Government Railway Police)କୁ ସୂଚନା ଦେଇଥିଲେ। ପରେ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ।
ମନୋଜଙ୍କ ପକେଟରେ ମିଳିଥିବା ଏକ କାଗଜ ଉପରେ ସ୍ତ୍ରୀଙ୍କ ମୋବାଇଲ ନମ୍ବର, ପିଲାମାନଙ୍କ ନାମ ଓ ବୟସ ଲେଖା ଥିଲା। ଏଥିରୁ ଅନୁମାନ କରାଯାଉଛି ଯେ ଘଟଣା ପୂର୍ବରୁ ସେ ଏହି ପଦକ୍ଷେପ ନେବା ନିଷ୍ପତ୍ତି ନେଇଥିଲେ। ଏହି ଦୁଃଖଦ ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ଛାଇଦେଇଛି।
ରିପୋର୍ଟ୍: ଶୁଭସ୍ମିତା ପ୍ରଧାନ