ଶ୍ରୀକ୍ଷେତ୍ର ପାଇଁ ଚାଲିଲା ଅଣସର ଫଳଭାର, କାକଟପୁର ଦେଉଳି ମଠରୁ ପାରମ୍ପରିକ ଶଗଡ଼ ଯାତ୍ରା
ପୁରୀ: ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା କାକଟପୁର ଦେଉଳିମଠରୁ ପାରମ୍ପରିକ ତିନୋଟି ଶଗଡ଼ ଗାଡ଼ିରେ ମହାପ୍ରଭୁ ଜଗନ୍ନାଥଙ୍କ ଅଣସର ସେବା ପାଇଁ ଫଳ ଓ ଭୋଗ ସାମଗ୍ରୀ ଶ୍ରୀକ୍ଷେତ୍ରକୁ ପଠାଯାଇଛି। ଏହି ଫଳଭାର କାକଟପୁର ଅଞ୍ଚଳର ପ୍ରାଚୀନ ଦେଉଳି ମଠରୁ ତିନୋଟି ଶଗଡ଼ ଗାଡ଼ି ମାଧ୍ୟମରେ ପଠାଯାଇଛି। ପ୍ରାଚୀ ସଂସ୍କୃତି ସୁରକ୍ଷା ସମିତିର ସଦସ୍ୟମାନେ ଶଗଡ଼ ଓ ବଳଦକୁ ପୂଜା କରି ପାରମ୍ପରିକ ପଦ୍ଧତିରେ ଅଣସର ଫଳ ଭାର ଶ୍ରୀକ୍ଷେତ୍ର ପଠାଇଛନ୍ତି ।
ଦଇତା ପତି ସେବାୟତଙ୍କ ଦ୍ୱାରା ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କ ଜ୍ୱର ଉପଚାର ଚାଲିଛି। ଜ୍ୱରରେ ପୀଡିତ ଚତୃର୍ଦ୍ଧାବିଗ୍ରହଙ୍କୁ ସୁସ୍ଥ କରିବା ପାଇଁ ଦଇତା ପତି ସେବାୟତ ଦଶ ମୂଳପଥି ସେବା କରୁଛନ୍ତି। ଏହି ଅବସରରେ ମହାପ୍ରଭୁଙ୍କୁ ଦଶମୂଳ ଔଷଧ ଦିଆଯାଉଛି ଓ ଭିତରେ ଅନେକ ପ୍ରକାର ଫଳ ଭୋଗ ଲାଗି କରାଯାଉଛି। ଏଥିପାଇଁ କାକଟପୁର, ଅସ୍ତରଙ୍ଗ, ନୟାହାଟ, କୋଣାର୍କ ଅଞ୍ଚଳର ଭକ୍ତମାନେ ନିଜ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, କଦଳୀ, ପିଜୁଳି, ଖଜୁରୀ ଭଳି ବିଭିନ୍ନ ପ୍ରକାର ଫଳ, ତୁଳସୀ ଓ ପଦ୍ମଫୁଲକୁ ସୁସଜ୍ଜିତ ତିନୋଟି ଶଗଡ଼ ଗାଡ଼ିରେ ଦେଉଳି ମଠରୁ ପୁରୀକୁ ପଠାଇଛନ୍ତି।
ଫଳଭାରରେ ଆମ୍ବ, ପଣସ, କଦଳୀ, ନଡ଼ିଆ, ପିଜୁଳି, ଖଜୁରୀ ଓ ଅନ୍ୟାନ୍ୟ ସ୍ଥାନୀୟ ଫଳ, ତୁଳସୀ,ପଦ୍ମଫୁଲ ଆଦିକୁ ଭକ୍ତମାନେ ସ୍ଵଇଚ୍ଛାରେ ଦାନ କରିଛନ୍ତି। ଅସ୍ତରଙ୍ଗ, କୋଣାର୍କ, ନୟାହାଟ ଓ ଅଞ୍ଚଳବାସୀ ଆପଣା ଭାବେ ଏହି ପାବନ କାର୍ଯ୍ୟରେ ଅଂଶ ଗ୍ରହଣ କରିଛନ୍ତି।
ପ୍ରାଚୀ ସଂସ୍କୃତି ସୁରକ୍ଷା ସମିତିର ସଦସ୍ୟମାନେ ପାରମ୍ପରିକ ଶୈଳୀରେ ବଳଦ ଓ ଶଗଡ଼ରେ ପୂଜା କରି ଏହି ଫଳଭାର ଯାତ୍ରା ଆରମ୍ଭ କରିଥିଲେ। ଏହି ପରମ୍ପରା ଦୀର୍ଘ ଦିନରୁ ଚାଲିଆସୁଥିବାବେଳେ ଏହା ଏକ ଅମୂଳ୍ୟ ସଂସ୍କୃତି ଓ ଶ୍ରଦ୍ଧାର ପ୍ରତୀକ ଭାବେ ପରିଗଣିତ।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ