ସମୟ, ପରମ୍ପରା ଏବଂ ଆସନ୍ତାକାଲି, ଇତିହାସକୁ ବୁଝିବା ଏବଂ ଐତିହ୍ୟକୁ ସଂରକ୍ଷଣ କରିବା
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଚୀନ ଭାରତୀୟଇତିହାସ, ସଂସ୍କୃତିଏବଂ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସ୍ନାତୋକତ୍ତର ପରିଷଦରେ ‘ସମୟ, ପରମ୍ପରା ଏବଂ ଆସନ୍ତାକାଲି, ଇତିହାସକୁ ବୁଝିବା ଏବଂ ଐତିହ୍ୟକୁ ସଂରକ୍ଷଣ କରିବା’ ଶୀର୍ଷକ ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି।
ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ଯୋଗଦେଇ ଐତିହ୍ୟ ସହିତ କିପରି ଭାବରେ ଏକ ଜାତିର ଗୌରବମୟ ଅତୀତ ଜଡିତ ହୋଇ ରହିଛି ସମାଜ, ଜୀବନଧାରା, ଜୀବନ ଚର୍ଚ୍ଚାରେ ସ୍ଥାପତ୍ୟ ଐତିହ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ବିଜ୍ଞାନ ସହିତ ସଂସ୍କୃତି ଐତିହ୍ୟର ସଂରକ୍ଷଣ ଦିଗରେ ଆଧୁନିକଜ୍ଞାନ କୌଶଳର ପ୍ରୟୋଗ ଦ୍ୱାରା ଅତୀତର ସ୍ଥାପତ୍ୟକୁ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ଐତିହ୍ୟ ସଂରକ୍ଷଣର ଏହି ବାର୍ତ୍ତାକୁ ପ୍ରଚାର ପ୍ରସାର କରି ଏଥିପ୍ରତି ଜନ ମାନସରେ ସଚେତନତା ସୃଷ୍ଟିକରିବାର ଦାୟିତ୍ୱ ଅଧ୍ୟୟନରତ ଏବଂ ଗବେଷଣା ଜାରି ରଖିଥିବା ଛାତ୍ରଛାତ୍ରୀ ତଥା ଯୁବସମ୍ପ୍ରଦାୟର ଭୂମିକା ରହିଛ ବୋଲି ପ୍ରଫେସର ଦଣ୍ଡପାଟ କହିଥିଲେ।
ମୁଖ୍ୟବକ୍ତା ଭାବରେ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ ସ୍ଥାପତ୍ୟ ବିଭାଗର ସହାୟକ ପ୍ରଫେସର ଅମିତ ଚାଟାର୍ଜୀ ଯୋଗଦେଇ ସ୍ଥାପତ୍ୟ କଳାର ବିଭିନ୍ନ ଦିଗ ଉପରେ ପୁଙ୍ଖାନପୁଙ୍ଖ ଭାବରେ ଆଲୋଚନା କରିଥିଲାେ। ପ୍ରାଚୀନ ସ୍ଥାପତ୍ୟଠାରୁ ଆରମ୍ଭ କରି ଆଧୁନିକ ସ୍ଥାପତ୍ୟ ପର୍ଯ୍ୟନ୍ତ ଏହାର ବ୍ୟବହାରିକ ଆବଶ୍ୟକତାର ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ଏଥି ସହିତ ପ୍ରାଚୀନ ସ୍ଥାପତ୍ୟର ଅତୀତ ଏବଂ ଏହାର ଭବିଷ୍ୟତ ଉପରେ ଆଲୋକପାତ କରି ଏହାର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ।
ପ୍ରଫେସର ସଞ୍ଜୟ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଜୟନ୍ତୀ ଦୋରା, ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଅସୀମ ରଞ୍ଜନ ପାଢ଼ୀ, ନୃତତ୍ତ୍ବ ବିଭାଗର ପ୍ରଫେସର କାହ୍ନୁ ଚରଣ ଶତପଥି, ପ୍ରଫେସର ପ୍ରସନ୍ନ କୁମାର ପାତ୍ର, ଜଗନ୍ନାଥ ପ୍ରଧାନ ଏବଂ ପାରେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ସହକାରୀ ପ୍ରଫେସର ଡ. ଅନାମ ବେହେରା ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସହକାରୀ ପ୍ରଫେସର ସୁଶାନ୍ତ କୁମାର ପାତ୍ର ସ୍ବାଗତ ଅଭିଭାଷଣ ରଖିଥିବାବେଳେ ସବ୍ୟସାଚୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
‘ସମୟ, ପରମ୍ପରା ଏବଂ ଆସନ୍ତାକାଲି, ଇତିହାସକୁ ବୁଝିବା ଏବଂ ଐତିହ୍ୟକୁ ସଂରକ୍ଷଣ କରିବା’ ଶୀର୍ଷକ ଏକ ଦିବସୀୟ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ବିଭିନ୍ନ ସ୍ନାତକତ୍ତୋର ବିଭାଗ ଯଥା-ଇତିହାସ, ନୃତତ୍ତ୍ୱ, ସମାଜବିଜ୍ଞାନ, ପ୍ରାଚୀନ ଭାରତଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଏବଂ ଗବେଷକ ଯୋଗଦେଇଥିଲେ।