ରାଉରକେଲା/ବୀରମିତ୍ରପୁର: ଠାକୁର ଦର୍ଶନ ସାରି ଫେରୁଥିଲେ ନବଦମ୍ପତି, ପାଦର ଅଳତା ଲିଭିବା ପୂର୍ବରୁ ଲିଭିଗଲା ଜୀବନ। ଏଥିସହିତ ନିଜ ମା’ ଓ ପିଉସୀଙ୍କ ମଧ୍ୟ ଜୀବନ ଯାଇଛି। ପଡ଼ୋଶୀ ଝାଡ଼ଖଣ୍ଡର ରାଞ୍ଚିରେ ଏମିତି ଦୁଃଖଦ ଘଟଣା ଘଟିଛି। ଆଜି ଅପରାହ୍ନ ପ୍ରାୟ ୩ଟାରେ ଠାକୁର ଦର୍ଶନ ସାରି ଗୃହରକ୍ଷୀ ନବଦମ୍ପତି ତାଙ୍କ ଶ୍ବଶୁରଘର ପରିବାର ସହ ଫେରୁଥିବା ଏକ ସ୍କର୍ପିଓ (ଜେଏଚ୍ ୨ଇ ୩୬୮୫) ଝାଡ଼ଖଣ୍ଡ ରାଞ୍ଚି ଗନ୍ଧାରିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ବ ଗଛରେ ପିଟିହେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ନବବିବାହିତା ମହିଳା ପ୍ରୀତି କୁମାରୀ (୨୩), ତାଙ୍କ ପିଉସୀ ପିଙ୍କି କୁମାରୀ (୩୦), ମା’ ବିମଳା ଦେବୀ (୬୦)। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଗୃହରକ୍ଷୀ ରଶ୍ମିକାନ୍ତ ଓ ତାଙ୍କର ଦୁଇ ଶାଳିକା ପ୍ରିୟା, ପ୍ରିୟଙ୍କା, ଶାଳକ ରାହୁଲ ପ୍ରସାଦ ଓ ଅନ୍ୟ ଦୁଇ ନାବାଳିକା। ସମସ୍ତ ଗୁରୁତରଙ୍କୁ ହଜାରିବାଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।
ରାଏବଗା ଥାନାରେ ରାଏବଗାର ରଶ୍ମିକାନ୍ତ(ବୁତୁରୁ) ସାହୁ ଗୃହରକ୍ଷୀ ଭାବେ କାର୍ଯ୍ୟ କରନ୍ତି। ଏପ୍ରିଲ ୨୦ରେ ତାଙ୍କର ତାଙ୍କର ଝାଡ଼ଖଣ୍ଡ ଲମଟାର ଅମରଦୀପ ପ୍ରସାଦଙ୍କ ଝିଅ ପ୍ରୀତି କୁମାରୀଙ୍କ ସହ ବିବାହ ହୋଇଥିଲା। ଦୁଇଦିନ ପୂର୍ବରୁ ଅର୍ଥାତ୍ ଗତ ଗୁରୁବାର ପତ୍ନୀଙ୍କ ସହ ନିଜ ସ୍କର୍ପିଓରେ ଶ୍ବଶୁରଘରକୁ ବୁଲିବାକୁ ଯାଇଥିଲେ। ଆଜି ପତ୍ନୀ, ଦୁଇ ଶାଳିକା, ଶାଶୂ, ପିଉସୀଶାଶୂ, ଶାଳକ ଓ ଦୁଇଶିଶୁଙ୍କ ସହ ଝାଡ଼ଖଣ୍ଡର ଚତରା ନିକଟସ୍ଥ ଇଟଖୋରି ମା’ ଭଦ୍ରକାଳୀଙ୍କ ଦର୍ଶନ ପାଇଁ ସକାଳ ପ୍ରାୟ ୧୦ଟାରେ ଘରୁ ବାହାରିଥିଲେ। ତାଙ୍କ ଶାଳକ ସ୍କର୍ପିଓ ଚଳାଉଥିଲେ। ଠାକୁର ଦର୍ଶନ କରିବା ପରେ ଅପରାହ୍ନ ପ୍ରାୟ ୩ଟାରେ ଶ୍ବଶୁରଘରକୁ ଫେରୁଥିଲେ। ଗନ୍ଧାରିଆ ସହର ନିକଟରୁ କିଛି ଦୂରରେ ସ୍କର୍ପିଓ ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ବ ଗଛରେ ପିଟି ହୋଇଥିଲା। ସ୍ଥାନୀୟଲୋକେ ପହଞ୍ଚି ଗୁରୁତର ଗୃହରକ୍ଷୀଙ୍କ ସମେତ ୬ ଜଣଙ୍କୁ ଉଦ୍ଧାରକରି ଡାକ୍ତରଖାନା ପଠାଇଥିଲେ।