ବିକଶିତ ଭାରତ-ବିକଶିତ ଓଡ଼ିଶାର ପରିକଳ୍ପନାରେ ଅଗ୍ରଣୀ ଭୂମିକା ନିର୍ବାହ କରିବ ଗଞ୍ଜାମ
-
ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟା
-
ଓଡ଼ିଆ ସିନେ କଳାକାରଙ୍କ ଯାଦୁକରୀ ପ୍ରଦର୍ଶନରେ ଝୁମିଲେ ଦର୍ଶକ
-
ଗଞ୍ଜାମର ଗର୍ବ ଓ ଓଡ଼ିଆର ଗୌରବ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ନାମରେ ମଞ୍ଚ ସମର୍ପିତ
ଗୋପାଳପୁର: ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଓଡ଼ିଶାର ଭାଷା ଓ ସଂସ୍କୃତି ଉପରେ ଯେତେବେଳେ ବି ଆକ୍ରମଣ ହୋଇଛି ସେତେବେଳେ ଗଞ୍ଜାମ ମାଟିରୁ ପ୍ରଥମେ ସଂଗ୍ରାମର ସ୍ୱର ଉତ୍ପନ୍ନ ହୋଇଛି। ତେଣୁ ବିକଶିତ ଭାରତ-ବିକଶିତ ଓଡ଼ିଶାର ପରିକଳ୍ପନାରେ ଗଞ୍ଜାମ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟଅତିଥି ବାଚସ୍ପତି ସୁରମା ପାଢୀ।
ମହୋତ୍ସବର ଶୁଭାରମ୍ଭ ବର୍ଷଗୁଡ଼ିକରେ ମୁଁ ଏହି ମହୋତ୍ସବକୁ ଦେଖିଛି। ଆଜିର ସମୁଦ୍ର ବନ୍ଦନା, ମଞ୍୍ଚର କଳେବର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜନ ସମୁଦ୍ର ମୋତେ ଅଭିଭୂତ କରିଛି। ଗଞ୍ଜାମର ଗର୍ବ ଓ ଓଡ଼ିଆର ଗୌରବ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ନାମରେ ସମର୍ପିତ ମଞ୍ଚ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମୃଦ୍ଧ ସଂସ୍କୃତିର ପ୍ରଭୁତ ପ୍ରସାର ସହ ଆଞ୍ଚଳିକ ଓ ଦେଶର ବିଭିନ୍ନ ଅଞ୍ଚଳର କଳା ଉପସ୍ଥାପିତ ହୋଇପାରିଛି ବୋଲି ସେ କହିଥିଲେ। ସାମଗ୍ରିକ ବେଳାଭୂମି ମାନବ ସମାଜର ଜୀବନଶୈଳୀ ପାଇଁ ଆବଶ୍ୟକ ରହିଛି। ଓଡ଼ିଶାର ବେଳାଭୂମିଗୁଡ଼ିକ କିପରି ପରିଷ୍କାର ପରିଚ୍ଛନ ରହିବ ସେଥିପ୍ରତି ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ରହିଛି ବୋଲି ସେ ମଧ୍ୟ କହିଥିଲେ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗୋପାଳପୁର ମହୋଦଧି କୂଳରେ ମହାପ୍ରଭୁ ଓ ଦେବାଦେବୀଙ୍କ ମହାବନ୍ଦନା ଏବଂ ତା’ ମଧ୍ୟରେ କଚ୍ଛପ ଦେବତାଙ୍କ ଆଗମନର ଦିବ୍ୟ ଓ ଭବ୍ୟ ଅନୁଭୂତି ସମ୍ପର୍କରେ ଶବ୍ଦ ମାଧ୍ୟମରେ ବର୍ଣ୍ଣନା କରାଯାଇପାରିବ ନାହିଁ ବୋଲି କହିଥିଲେ। ଏହି ମହୋତ୍ସବ କେବଳ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିକୁ ବୟାନ କରୁନି ଏହା ଓଡ଼ିଶାର ସୌନ୍ଦର୍ଯ୍ୟ ଓ ସମୃଦ୍ଧତାକୁ ବୟାନ କରୁଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଉଲ୍ଲେଖ କରିଥିଲେ।
ମହୋତ୍ସବର ଉଦ୍ୟୋକ୍ତା ତଥା ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସମସ୍ତଙ୍କର ସହଯୋଗରେ ଆଗାମୀ ଦିନରେ ଏହି ମହୋତ୍ସବକୁ ବିଶ୍ୱର ଏକ ଅନନ୍ୟ ମହୋତ୍ସବରେ ପରିଣତ କରାଯିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ଦିଗପହଣ୍ଡି ବିଧାୟକ ତଥା ସୁପ୍ରସିଦ୍ଧ କଳାକାର ଡ. ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ, ଗୋପାଳପୁର ବେଳାଭୂମି ମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଉ। ଯାହାଫଳରେ ଏହାର ସୁଦୂର ପ୍ରସାର ହୋଇପାରିବ ଓ ଅଧିକରୁ ଅଧିକ ପର୍ଯ୍ୟଟକ ଏ ମାଟିକୁ ଆସିପାରିବେ।
ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ କହିଛନ୍ତି ଯେ ଦିନେ ଉତ୍ସବ ଭାବରେ ପରିଗଣିତ ହେଉଥିବା ଏହି ଅନୁଷ୍ଠାନ ଆଜି ଏ ବର୍ଷ ଏକ ବିଶାଳ ମହୋତ୍ସବରେ ପରିଣତ ହୋଇଛି। ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ମାନଙ୍କର ଆଶୀର୍ବାଦ ଏବଂ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଜିଲ୍ଲା ପ୍ରଶାସନର ଉଦ୍ୟମ ଫଳରେ ଏହା ସମ୍ଭବ ହୋଇପାରିଛି।
ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଗୋପାଳପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଏ. ଜାନକୀରାମ, ଦକ୍ଷିଣାଞ୍ଚଳ ପୋଲିସ ମହାନିରୀକ୍ଷକ ନିତି ଶେଖର, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଅତିଥି ଭାବେ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଓଡ଼ିଶା ଚଳଚ୍ଚିତ୍ର ଜଗତର ଅଗ୍ରଣୀ ଅଭିନେତା/ଅଭିନେତ୍ରୀ ସିଦ୍ଧାନ୍ତ ମହାପାତ୍ର, ଅରିନ୍ଦମ ରୟ, ବୁଦ୍ଧାଦିତ୍ୟ ମହାନ୍ତି, ଉଷସୀ ମିଶ୍ର, ଶ୍ରୀତମ ଦାସ, ପୁପିନ୍ଦର ସିଂ, ସତ୍ୟଜିତ ପ୍ରଧାନ, ପ୍ରଜ୍ଞାନ ରଞ୍ଜନ ଖଟୁଆ, ଶଙ୍କର ପ୍ରଧାନ, ଶୀତଲ ପାତ୍ର ପ୍ରମୁଖଙ୍କ ଚିତାକର୍ଷକ ଅଭିନୟ, ନୃତ୍ୟ ଓ ସଙ୍ଗୀତ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।
ଉତ୍କଳିକା ନୃତ୍ୟ ଅନୁଷ୍ଠାନ, ସୋଲ୍ ଡ୍ୟାନ୍ସ ଏକାଡେମୀ, ଲଳିତ କଲ୍ଚୁରାଲ୍ ଏକାଡେମୀ, ଜେ.ଡି.ଟି. ଡ୍ୟାନ୍ସ ଏକାଡେମୀ, ଆରାଧ୍ୟା ଡ୍ୟାନ୍ସ ଏକାଡେମୀ, ରକ୍ଷ୍ଟାର୍ ଡ୍ୟାନ୍ସ ଏକାଡେମୀ, କଳାଞ୍ଜଳି ଆର୍ଟିଷ୍ଟ୍ରି, ପ୍ରତିମା ରଥ ଏଣ୍ଡ୍ ଟ୍ରୁପ୍, କୋରାପୁଟ, ବନ୍ କପୌ ସଂସ୍କୃତି ଗୋଷ୍ଠୀ (ଆସାମ), ଢୋଲ ମହୁରୀ କଳା ପରିଷଦ (ବଲାଙ୍ଗୀର), ବୀଣାପାଣି ରୂପଚାନ୍ଦ ଛଉ ନାଟୁଆ ଡ୍ୟାନ୍ସ ଗ୍ରୁପ୍ (ପଶ୍ଚିମବଙ୍ଗ), ଏମ୍.ଇ.ଏମ୍. (MEM) ଏଣ୍ଟରଟେନମେଣ୍ଟ ଓ ଚେଣ୍ଡାମେଲମର ଲୋକ ନୃତ୍ୟ ଲୋକଙ୍କୁ ବିଭୋର କରିଥିଲା।
ଏହି ଅବସରରେ ଗଞ୍ଜାମ ମାଟିକୁ ଗୌରବନ୍ୱିତ କରିଥିବା ବିଭିନ୍ନ କ୍ଷେତ୍ରର ସଫଳ ବ୍ୟକ୍ତିବିଶେଷଙ୍କୁ ଓ ବେଳାଭୂମି କ୍ରୀଡ଼ାରେ ବିଜୟ ଲାଭ କରିଥିବା କ୍ରୀଡ଼ାବିତମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।
ଗୋପାଳପୁର ବେଳାଭୂମି ମହୋତ୍ସବ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ତାଲିକା: ୧. ଶ୍ରୀ ଶିଶିର ପାଢ଼ୀ, ବରିଷ୍ଠ ଆଇନଜୀବୀ, ବ୍ରହ୍ମପୁର ୨. ଶ୍ରୀ ନାର୍ସୁ ବେହେରା, ପ୍ରଖ୍ୟାତ କୁମ୍ଭକାର, ଚାନ୍ଦପୁର, ରଙ୍ଗେଇଲୁଣ୍ଡା ୩. ଶ୍ରୀ ଏସ. ସନ୍ତୋଷ, ଗୋଲାନାଟ ଗୁରୁ, କନିଷି ୪. ଶ୍ରୀ ପର୍ଶୁରାମ ନାହାକ, ସଂକୀର୍ତ୍ତନ ଏବଂ ମୃଦଙ୍ଗ ବାଦକ, ହଂସରାଳି, ପୋଲସରା ୫. ଶ୍ରୀ ଅଧମ ନାୟକ, ଢୋଲିଆ, ଗାଲେରୀ, ଭଞ୍ଜନଗର ୬. ଶ୍ରୀ ବିପିନ ଚନ୍ଦ୍ର ପାତ୍ର, ବାଘନାଟ, ରଜାସାହି, ବ୍ରହ୍ମପୁର ୭. ଶ୍ରୀ ଏନ. ବାଲକ୍ରିଷ୍ଣା ରେଡ୍ଡୀ, ସମରକଳା, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର।