ସ୍ବର୍ଣ୍ଣାଭ ଉତ୍କଳର ସ୍ବର୍ଣ୍ଣିମ ଇତିହାସ: ସ୍ବଳ୍ପ ଖର୍ଚ୍ଚରେ ଅତ୍ୟୁଚ୍ଚ ମାନର ଶିକ୍ଷାଦାନ, ନବ ପ୍ରତିଭାଙ୍କ ସ୍ବପ୍ନ ଓ ସମ୍ଭାବନାକୁ କରୁଛି ସାକାର
୮୩ ବର୍ଷର ଚିର ତାରୁଣ୍ୟରେ ‘ଉତ୍କଳ ବିଶ୍ୱବିଦ୍ୟାଳୟ’
ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ପ୍ରାଚୀନତମ ବିଶ୍ବବିଦ୍ୟାଳୟ। ବାଣୀ ଆାରାଧନା ପୀଠ ବାଣୀବିହାର ଏହି ବିଶ୍ୱବିଦ୍ୟାଳୟରେ ନିଜସ୍ୱ ଶିକ୍ଷା ବ୍ୟବସ୍ଥା ଥିବା ସାଙ୍ଗରେ ଅନ୍ୟ ବହୁ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି। ସଂପ୍ରାତିକ ପ୍ରଯୁକ୍ତିବିଦ୍ୟା ଓ ନବ ଅଧ୍ୟୟନର ଧାରା ସହିତ ତାଳଦେଇ ଏହି ବିଶ୍ୱବିଦ୍ୟାଳୟ ନବପ୍ରତିଭାଙ୍କୁ ଆକର୍ଷିତ ସହ ସେମାନଙ୍କ ପାଇଁ ବହୁ ସମ୍ଭାବନା ସୃଷ୍ଟି କରୁଛି। ଛାତ୍ରଛାତ୍ରୀଙ୍କ ସ୍ବପ୍ନ ଓ ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ଉତ୍କଳ ବିଶ୍ବବିଦ୍ୟାଳୟ।
ଉଚ୍ଚତର ଶିକ୍ଷା ପ୍ରଦାନ ସହିତ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଆତ୍ମବଳ, ଆତ୍ମବିକାଶ ତଥା ଆତ୍ମଶୁଦ୍ଧି ନିମିତ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ବାଣୀଆରାଧନାର ପୀଠ ଉତ୍କଳ ବିଶ୍ୱବିଦ୍ୟାଳୟ କେବଳ ଓଡ଼ିଶାରେ ନୁହେଁ, ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ବିଦିତ। ଏହି ପୀଠର ସୁରଭିରେ ସମଗ୍ର ବିଶ୍ୱର ବାତାବରଣ ଆଜି ସୁରଭିଯୁକ୍ତ।
ଅତି ସ୍ୱଳ୍ପରୁ ଅଧିକ ସ୍ୱଳ୍ପ ଖର୍ଚ୍ଚରେ ଅତ୍ୟୁଚ୍ଚ ମାନର ଶିକ୍ଷା ଏବଂ ଜ୍ଞାନ କୌଶଳ ପ୍ରଦାନ, ସମୟୋପଯୋଗୀ ଗବେଷଣା ତଥା ଉଦ୍ଭାବନ ଏବଂ ଦେଶବିଦେଶରେ ଆଦୃତ ଲାଭ କଲାଭଳି ନୂଆ ତଥା ସୃଜନଶୀଳ ଚିନ୍ତାଧାରାରେ ଗବେଷଣା ଏବଂ ଗୁଣାତ୍ମକ ଶିକ୍ଷାଦାନ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟର ମୂଳଲକ୍ଷ୍ୟ। ରାଜ୍ୟର ମେଧାବୀ, ଆର୍ଥିକ ଅନଗ୍ରସର, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଛାତ୍ରଛାତ୍ରୀଙ୍କ ତୀର୍ଥସ୍ଥାନ ‘ବାଣୀବିହାର’ର ବିକାଶ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସହାୟତା ‘ଉତ୍କଳ ବିଶ୍ୱବିଦ୍ୟାଳୟ’ର ଜୀବନରେଖା ସଦୃଶ।

ଗୁଣାତ୍ମକ ଶିକ୍ଷାଦାନ ଓ ଗବେଷଣା, ନିଯୁକ୍ତି ସୁଯୋଗ ପାଇଁ ଦକ୍ଷତା ବୃଦ୍ଧି, ପ୍ରତିଭା ବିକାଶ, ବିଶ୍ୱରେ ଶ୍ରେଷ୍ଠ ୧୦୦ ଏବଂ ଦେଶର ଶ୍ରେଷ୍ଠ ୨୫ ବିଶ୍ୱବିଦ୍ୟାଳୟରେ ସ୍ଥାନିତ କରିବା, ଆନ୍ତବିଷୟକ ଗବେଷଣା, ଶିକ୍ଷାବିନିମୟ, ସାଂସ୍କୃତିକ ବିନିମୟ, ଦ୍ୱିତୀୟ କ୍ୟାମ୍ପସ ଚଣ୍ଡିଖୋଲର ଭିତ୍ତିଭୂମି ବିକାଶ ଆଦି ପାଇଁ ପଦକ୍ଷେପ ନିଆଯାଉଛି। ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ପାଇଁ ବିଭିନ୍ନ ସ୍ତରରୁ ଦାବି ହୋଇ ଆସୁଛି। ଏହି ପୁରାତନ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ମିଳିବା ଦରକାର। କିନ୍ତୁ ଏହା ଦେଶ ବିଦେଶରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ କିଭଳି ପ୍ରତିଷ୍ଠା ଲାଭ କରିବ ସେଥିପାଇଁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ତଥା ଅଂଶୀଦାରଙ୍କ ମିଳିତ ସହଯୋଗର ଆବଶ୍ୟକତା ରହିଛି।
୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାପରେ ୧୯୩୭ ମସିହାରେ ପ୍ରଥମ କଂଗ୍ରେସ ମନ୍ତ୍ରୀମଣ୍ଡଳ ଶାସନ ଭାର ଗ୍ରହଣ କଲା। ଏଇ ସରକାର ଓଡ଼ିଶାରେ ଗୋଟିଏ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ନେତୃତ୍ୱରେ ଏକ କମିଟି ଗଠନ କଲେ। ମାତ୍ର ଏହି ସରକାରର ମନ୍ତ୍ରୀମଣ୍ଡଳ ୧୯୩୯ରେ ଇସ୍ତଫା ପ୍ରଦାନ କରିବାରୁ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ପରେ ୧୯୪୧ ମସିହାରେ ପାରଳା ମହାରାଜାଙ୍କ ନେତୃତ୍ୱରେ ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହେଲା। ଏହି ମନ୍ତ୍ରୀମଣ୍ଡଳରେ ସେତେବେଳେ ଶିକ୍ଷା ଓ ଅର୍ଥ ବିଭାଗର ଦାୟିତ୍ୱରେ ଥାଆନ୍ତି ପଣ୍ଡିତ ଗୋଦାବରୀଶ ମିଶ୍ର।
ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷାଭାଷି ଲୋକମାନଙ୍କର ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବା ନିମନ୍ତେ ୧୯୩୮ ମସିହା ମାର୍ଚ୍ଚ ୨ ତାରିଖରେ ଓଡ଼ିଶାର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସଓଡ଼ିଶାରେ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯେଉଁ ପବିତ୍ର ଉଦ୍ୟମ ଆରମ୍ଭ କରିଥିଲେ, ତାହା ଗୋଦାବରୀଶ ମିଶ୍ରଙ୍କ ଉଦ୍ୟମରେ ୩୦ ଜୁନ୍ ୧୯୪୩ରେ ଚୂଡ଼ାନ୍ତ ରୂପପାଇ ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।ତତ୍କାଳିନ ଶିକ୍ଷାବିଭାଗ ନିର୍ଦ୍ଦେଶକ ଶ୍ୟାମଚନ୍ଦ୍ର ତ୍ରିପାଠୀଙ୍କ ସହଯୋଗ ଏବଂ ମନ୍ତ୍ରୀ ଗୋଦାବରୀଶଙ୍କ ପ୍ରତ୍ୟକ୍ଷ ଆଗ୍ରହ ଓ ଉଦ୍ୟମରୁ୧୯୪୩ ମସିହା ଅଗଷ୍ଟ ୨ ତାରିଖରେ ବିଶ୍ୱବିଦ୍ୟାଳୟର ଶୁଭ ଉଦ୍ଘାଟନ କରାଯାଇ ଏହାର ନାମ ରଖାଯାଇଥିଲା ‘ଉତ୍କଳ ବିଶ୍ୱବିଦ୍ୟାଳୟ’। ଏହା ପରାଧିନ ଭାରତରେ ପ୍ରତିଷ୍ଠା ଲାଭ କରିଥିବା ଶେଷ ବିଶ୍ୱବିଦ୍ୟାଳୟ ଥିଲା।ସେହିବର୍ଷ ଶେଷ ଭାଗରେ ରେଭେନ୍ଶା କଲେଜର ପଶ୍ଚିମ ଛାତ୍ରାବାସରେ ୱାଡେନ ଖାଲି କରିଥିବା କ୍ୱାର୍ଟର୍ସରେ ବିଶ୍ୱବିଦ୍ୟାଳୟ ଅଫିସ ଖୋଲିଲା। ଡକ୍ଟର ପ୍ରାଣକୃଷ୍ଣ ପରିଜା ବିଶ୍ୱବିଦ୍ୟାଳୟର କୁଳପତି ଓ ଅଧ୍ୟାପକ ଭି. ଭି. ଜନ୍ କୁଳସଚିବ ହେଲେ।
ସେତେବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାକ୍ଷଣି ପ୍ରଥମେ ତତ୍କାଳୀନ ଓଡ଼ିଶାର ଶିକ୍ଷାଧାରାରେ ବହୁ ସଂସ୍କାର ହୋଇପାରିଲା। ସେ ପର୍ଯ୍ୟନ୍ତ ସ୍କୁଲ ଶିକ୍ଷାବର୍ଷ ଇଂରେଜ ଆଇ.ସି.ଏସ୍.ଇ ଢାଞ୍ଚାରେ ଜାନୁୟାରୀରେ ଆରମ୍ଭ ହୋଇ ଡିସେମ୍ବରରେ ସରୁଥିଲା। ଛାତ୍ରମାନେ ଡିସେମ୍ବରରେ ମାଟ୍ରିକ ପାସ କରି କଲେଜ ଆଡମିଶନ ନିମନ୍ତେ ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍କୁଲ ଶିକ୍ଷାବର୍ଷକୁ କଲେଜ ଶିକ୍ଷାବର୍ଷ ସହ ସମାନ କରି ଜୁଲାଇରୁ ଶିକ୍ଷାବର୍ଷ ଆରମ୍ଭ କଲେ। ଦ୍ୱିତୀୟରେ ସ୍କୁଲରେ ଦୁଇଟି ଇଂଲିଶ ପତ୍ର ବ୍ୟତୀତ ବାକି ସମସ୍ତ ବିଷୟ ଓଡ଼ିଆରେ ଶିକ୍ଷାଦାନ ବ୍ୟବସ୍ଥା ପ୍ରଚଳନ ହେଲା।

ଉତ୍କଳ ବିଶ୍ୱବିଦ୍ୟାଳୟ ତାହାର ପ୍ରତିଷ୍ଠା ଦିବସରୁ ଏହା ଭିତରେ ସଫଳତାର ୮୩ ବର୍ଷରେ ପ୍ରଦାର୍ପଣ କରିବାର ଅନନ୍ୟ ଗୌରବର ଅଧିକାରୀ ହୋଇଛି। ପରାଧିନ ଭାରତରେ ୧୭ତମ ପ୍ରାଚୀନ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାପନା ହୋଇଥିବା ଏହି ମହାନ ବିଶ୍ୱବିଦ୍ୟାଳୟ ଆଜି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଅନନ୍ୟ ଅଗ୍ରଣୀ ଶିକ୍ଷାନୁଷ୍ଠାନରୂପେ ନିଜର କାୟା ଓ କଳ୍ପରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି। ସେଦିନର ସେହି ଶିକ୍ଷା ଓ ସଂସ୍କୃତିର କ୍ଷୁଦ୍ରସ୍ୱପ୍ନଟି ଆଜି ଓଡ଼ିଶାର ଶିକ୍ଷାୟତନର ବୃହତ୍ ଜ୍ଞାନଭଣ୍ଡାରରେ ପରିଣତ ହୋଇଛି। ସେଦିନ କଳା, ବିଜ୍ଞାନ, ଆଇନ ଏବଂ ଶିକ୍ଷା ଆଦି ୪ଟି ବିଭାଗକୁ ନେଇ ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ ଏବେ ୩୦ ରୁ ଊର୍ଦ୍ଧ୍ବ୍ୱ ବିଭାଗରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଦଶଟି ଉତ୍କର୍ଷ କେନ୍ଦ୍ର, ଦୁଇଟି ସହବନ୍ଧିତ ଆଇନ ମହାବିଦ୍ୟାଳୟ ଏବଂ ଗୋଟିଏ ଦୂର ନିରନ୍ତର ନିର୍ଦ୍ଦେଶାଳୟ(ଡିଡିସିଇ) ରହିଛି।
ବିଶ୍ୱବିଦ୍ୟାଳୟ ପରିସରରେ ପପୁଲେସନ୍ ଷ୍ଟଡିଜ୍ ସେଣ୍ଟର, ସ୍କୁଲ ଅଫ୍ ୱମେନ୍ସ ଷ୍ଟଡ଼ିଜ୍ ସେଣ୍ଟର, ଆମ୍ବେଦକର ଷ୍ଟଡ଼ି ସେଣ୍ଟର ଏବଂ ସୋସିଆଲ୍ ଏକ୍ସକ୍ଲୁଜିଅନ୍ ଆଣ୍ଡ ଇନ୍କ୍ଲୁସିଭ୍ ପଲିସି ଷ୍ଟଡ଼ି ସେଣ୍ଟର, ଏକାଡେମିକ୍ ଷ୍ଟାଫ୍ କଲେଜ, ପ୍ରି ସ୍କୁଲ ‘ଡାର୍ସି’ ଏବଂ ୟୁନିଭର୍ସିଟି ହାଇସ୍କୁଲ ଖୋଲାଯାଇଛି। ବର୍ତ୍ତମାନ ୧୫ଟି ସ୍ୱୟଂଶାସିତ କଲେଜ ସମେତ ୩୬୫ଟି ଅନୁବନ୍ଧିତ ମହାବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ରହିଛି। ସମୟପଯୋଗୀ ‘ସେଲ୍ଫ ଫାଇନାନ୍ସିଂ’ ଏବଂ ‘ଇନୋଭେଟିଭ୍’ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି।ବାଣୀବିହାର କ୍ୟାମ୍ପସରେ ପ୍ରାୟ ୪୫୦୦ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଗ୍ରହଣ କରୁଥିବାବେଳେ ଉତ୍କଳ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟରେ ୨.୭ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।
ନିଜର ଗୁଣାତ୍ମକ ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଓ ଗବେଷଣା ପାଇଁ ରାଜ୍ୟର ଏକମାତ୍ର ସରକାରୀ ବିଶ୍ୱବିଦ୍ୟାଳୟ ଭାବେ କ୍ରମାଗତ ଦ୍ବିତୀୟ ଥର ପାଇଁ ନାକ୍ ଏ+ ମାନ୍ୟତା ପାଇବାର ବିରଳ କୃତିତ୍ୱ ହାସଲ କରିଛି। ବିଶ୍ୱବିଦ୍ୟାଳୟର ପରିସରରେ ବୃହତ୍ ‘ଦୀକ୍ଷାନ୍ତ ଭବନ’, ଅହିଂସା ସ୍ଥଳ ନାମରେ ଆକର୍ଷଣୀୟ ଉଦ୍ୟାନ, ପରିଜା ପାଠାଗାର, ଇ-ଲାଇବ୍ରେରୀର ପ୍ରତିଷ୍ଠା, ଭାରତ ସରକାରଙ୍କ ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଏବଂ ବୃହତ୍ତର ସ୍ୱୟଂଶାସିତା ପ୍ରାପ୍ତି, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଉତ୍କର୍ଷ ଓ ସମାନତା ପରିଯୋଜନା ଅଧୀନରେ ଭିତ୍ତିଭୂମି ବିକାଶ ପାଇଁ ଅନୁଦାନ(ରୁସା ଓ ବିଶ୍ୱବ୍ୟାଙ୍କ-ଓଏଚ୍ଇପିଇଇ) ସହାୟତା, ଓଡ଼ିଶା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ସଚେତନତା ଶିବିର ଆୟୋଜନ ସହ‘ବାର୍କ ଟେକ୍ନୋଲୋଜି’ର ବିସ୍ତାର, ସର୍ଜନଶୀଳ ଦକ୍ଷତାର ବିକାଶ, ନୂତନ ଔଦ୍ୟଗିକ ଜ୍ଞାନ ଆହରଣ, ବିଶ୍ୱବିଦ୍ୟାଳୟ ଓ ଆଞ୍ଚଳିକ ସ୍ତରରେ ବୃହତ୍ତର ଗବେଷଣା ପାଇଁ ପ୍ରଶିକ୍ଷଣର ‘ସେଣ୍ଟର ଫର ଇନୋଭେସନ ଆଣ୍ଡଇନ୍କ୍ୟୁବେସନ(ସିଆଇଆଇ)’ କାର୍ଯ୍ୟକ୍ଷମ, ଋାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)ର ଆର୍ଥିକ ଅନୁଦାନ ସହାୟତାରେ ଆଠଟି ଏବଂ ବିଶ୍ୱ ବ୍ୟାଙ୍କର ଆର୍ଥିକ ଅନୁଦାନ ସହାୟତାରେ ଦୁଇଟି ଉତ୍କର୍ଷ ଗବେଷଣା କେନ୍ଦ୍ରସ୍ଥାପନ, ବିଦ୍ୟାର୍ଥୀଙ୍କ ପାଇଁ ଛାତ୍ରାବାସଗୁଡ଼ିକର ନବୀକରଣ ଆଦିକୁ ଦେଖିଲେ ଏହି ସମୟାବଧି ଭିତରେ ଯେ ବ୍ୟାପକ ଉନ୍ନତି ହୋଇଛି, ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ।

ଏହା ଏବେ ରାଜ୍ୟର ସର୍ବବୃହତ୍ ଅନୁବନ୍ଧନ ପ୍ରଦାନ କରୁଥିବା ବିଶ୍ୱବିଦ୍ୟାଳୟ।ବିଭିନ୍ନ ବିଭାଗରେ ଅତିରିକ୍ତ ୩୦ଟି ସ୍ମାର୍ଟ କ୍ଲାସ୍ ରୁମ୍ର ସୁବିଧା ସାଙ୍ଗକୁ ଇ-ଲାଇବ୍ରେରୀ ସୁବିଧାଶିକ୍ଷା ପ୍ରଦାନର ଧାରାକୁ ଅଧିକ ପ୍ରଭାବଶାଳୀ କରିଛି।ଇ-ରିସୋର୍ସର ବିକାଶ ପାଇଁ ଏକ ଉଚ୍ଚ-କ୍ଷମତାସମ୍ପନ୍ନ ଭର୍ଚୁଆଲ୍ ଟ୍ୟୁଟୋରିଆଲ୍ ଲ୍ୟାବ୍ର ସୁବିଧା ଏବଂ ଉଚ୍ଚସ୍ତରୀୟ-ଯନ୍ତ୍ରପାତି ଏବଂ କମ୍ପ୍ୟୁଟିଂ ସୁବିଧା ଥିବା ଏକ ଉତ୍ସର୍ଗୀକୃତ ‘କେନ୍ଦ୍ରୀୟ ଯନ୍ତ୍ରପାତି ସୁବିଧା କେନ୍ଦ୍ରର ବିକାଶରେ ଅଗ୍ରଗତି ପ୍ରଗତି ପଥରେ ଉତ୍କଳ ବିଶ୍ୱବିଦ୍ୟାଳୟର ପଥ ପ୍ରଦର୍ଶନ କରୁଛି।ଉଦ୍ୟୋଗୀକ ଇକୋ-ସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବର୍ଷ ୨୦୨୦ରୁ ଭାରତ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ରୁସା ପରିଯୋଜନା ସହାୟତାରେ ଏବଂ ଉତ୍କଳ ଏଣ୍ଟରପ୍ରିନରସିପ୍ ଆଣ୍ଡ କ୍ୟାରିୟର ହବ୍ ଅଧୀନରେ ସେଣ୍ଟର ଫର ଇନୋଭେସନ ଆଣ୍ଡ ଇନକ୍ୟୁବେସନ(ସିଆଇଆଇ)ର ସ୍ଥାପନା କରାଯାଇଛି।
ଇ-ଅଫିସ୍ମାଧ୍ୟମରେ ପ୍ରଶାସନିକ କାର୍ଯ୍ୟଧାରାକୁ ଅଧିକ ସହଜ ଓ ଶୀଘ୍ର କରାଯାଉଛି।ଶିକ୍ଷାଗତ ବିନିମୟ ଏବଂ ଅଧିକ ଗବେଷଣାତ୍ମକ ସହଭାଗିତା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ସହିତ ଚୁକ୍ତିପତ୍ର ସ୍ୱାକ୍ଷର କରିଛି ।ଆନ୍ତର୍ଜାତିକ ବିଦ୍ୟାର୍ଥିଙ୍କୁ ଆକର୍ଷିତ କରିବାପାଇଁ ସ୍ୱତନ୍ତ୍ରଭାବେ ଆନ୍ତର୍ଜାତୀକ କକ୍ଷ ବା କାର୍ଯ୍ୟାଳୟ ଖୋଲାଯାଇଛି। ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତାରେ ବହୁ ଉତ୍କର୍ଷ ଓ ପ୍ରୋତ୍ସାହନଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ସଂପ୍ରତି ଛାତ୍ରଛାତ୍ରୀଙ୍କ ଭିତରେ ଉତରଦାୟିତ୍ୱ ବହନକରିବାର ନୈତିକ ଭାବବୋଧକୁ ନିର୍ମାଣ କରାଯାଉଛି।

ବିଶ୍ୱସ୍ତରୀୟ ଭିତ୍ତିଭୂମି, ବିଶ୍ୱବିଦ୍ୟାଳୟର ପରିସରର ଚତୁପାର୍ଶ୍ୱରୁ କ୍ରମାଗତ ପରିବର୍ଦ୍ଧିତ ସହରୀ ପରିବେଶର ଚାପ, ନୂତନ ଶିକ୍ଷାନୀତିକୁ ଲାଗୁକରିବାରେ ଆସୁଥିବା ସମ୍ଭାବ୍ୟ ଆହ୍ୱାନକୁ ଦେଖିଲେ, ବିଶ୍ୱବିଦ୍ୟାଳୟର ସାମଗ୍ରିକ ଉନ୍ନତିରେ ଏହାର ପ୍ରତ୍ୟେକ ହିତାଧିକାରୀଙ୍କୁ ଯେ ସଂପ୍ରତି କାୟମନୋବାକ୍ୟରେ ସହଯୋଗ ଓ ସମର୍ପିତ ହେବାକୁ ପଡ଼ିବ, ଏଥିରେ ଦ୍ୱୀମତ ନାହିଁ। ଆମକୁ ଶିକ୍ଷା, ଗବେଷଣା, ଭିତ୍ତିଭୂମି, ବ୍ୟବସାୟ, ସର୍ବୋପରି ନୈତିକ ମୂଲ୍ୟବୋଧ ସବୁଦିଗରେ ଉତ୍କର୍ଷ ପ୍ରତିପାଦନ କିରବାକୁ ହେବ। ଶିକ୍ଷାୟତନର ସିମିତି ପରିଧି ଭିତରେ ନୁହେଁ ବରଂ ସମଗ୍ର ବିଶ୍ୱର ଆଭାସୀ ସାମାଜିକ ଓ ସାଂସ୍କୃତିକ ପରିସ୍ଥିତି ଓ ପରିବେଶକୁ ବିଶ୍ୱବିଦ୍ୟାଳୟର ଅଧ୍ୟୟନ କ୍ଷେତ୍ରଭାବେ ବିବେଚନା କରିବାକୁ ହେବ। ଏହା ହେଲେ ହିଁ ଉତ୍କଳୀୟ ଶିକ୍ଷାର ପରମ ଧେୟବାକ୍ୟ ‘ସତ୍ୟମ୍, ପରମ୍ ଧିଃମହି..’ ସାକାର ହେବ।
ସଫଳତାର ପଦାଙ୍କରେ ଉତ୍କଳ ବିଶ୍ବବିଦ୍ୟାଳୟ..
-
କ୍ରମାଗତ ‘ନାଜ୍-ଏ+ ମାନ୍ୟତା ଏବଂ ଜାତୀୟ ସଂସ୍ଥାଗତ ଗ୍ୟାଙ୍କି ଫ୍ରେମ୍ଓ୍ବାର୍କ (NIRF) ତରଫରୁ ଇଣ୍ଡିଆ ଗ୍ୟାଙ୍କିଙ୍ଗ୍ସ-୨୦୨୫: ରାଜ୍ୟ ସରକାରୀ ବିଶ୍ଵବିଦ୍ୟାଳୟ’ ତାଲିକାରେ ଉତ୍କଳ ବିଶ୍ଵବିଦ୍ୟାଳୟ ୪୮ତମ ସ୍ଥାନରେ।
-
ବିଦ୍ୟାର୍ଥୀମାନଙ୍କୁ ସାମଗ୍ରିକ ଶିକ୍ଷା ପ୍ରଦାନର ଅଭିଲକ୍ଷ୍ୟରେ ବିଶ୍ବବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ବାସ୍ଥ୍ୟର ବିକାଶ ପାଇଁ ମନୋ-ପରାମର୍ଶଦାତାଙ୍କ ନିଯୁକ୍ତି ଏବଂ ସଚେତନତା କାର୍ଯ୍ୟକ୍ରମର ଆୟୋଜନ।
-
ଦକ୍ଷତା ବିକାଶ ଏବଂ ଉଦ୍ୟମିତା ପ୍ରୋତ୍ସାହନ ପାଇଁ ବୋଷ୍ଟନ୍ର ନର୍ଥଇଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟ ସହଭାଗିତାରେ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଉଦ୍ୟୋଗ ଆବିଷ୍କାର ପାଠ୍ୟକ୍ରମ (Venture Discovery course)ର ପାଠ୍ୟକ୍ରମ ପ୍ରଚଳନ।
-
ଜାତୀୟ ଶିକ୍ଷାନୀତି-୨୦୨୦ ଅନୁକ୍ରମେ ପାଠ୍ୟକ୍ରମର ପ୍ରଚଳନ ; ଏବଂ ବିଶ୍ଵବିଦ୍ୟାଳୟର ଶିକ୍ଷାଗତ ଓ ଆବାସିକ ପରିବେଶରେ ଉନ୍ନତି ପାଇଁ ବିଶ୍ବବିଦ୍ୟାଳୟ ପ୍ରଶାସନ ତରଫରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ।
-
‘ଅଖିଳ ଭାରତୀୟ ପ୍ରଯୁକ୍ତି ଶିକ୍ଷା ପରିଷଦ’ (AICTE), ନୂଆଦିଲ୍ଲୀ ତରଫରୁ ଆୟୋଜିତ ‘ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍ (Smart India Hackathon) -୨୦୨୪ରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାକ୍ତନ-ବିଦ୍ୟାର୍ଥୀଙ୍କ ବିରଳ ସଫଳତା।
-
ନୀତି ଆୟୋଗ (NITI Aayog), ନୂଆଦିଲ୍ଲୀ ତରଫରୁ ଗବେଷଣା, ଉଦ୍ଭାବନ ଓ ଉଦ୍ୟମିତା ପାଇଁ ରାଜ୍ୟ ସରକାରୀ ବିଶ୍ଵବିଦ୍ୟାଳୟଗୁଡ଼ିକର ଜାତୀୟ ଅଧ୍ୟୟନରେ ଉତ୍କଳ ବିଶ୍ବବିଦ୍ୟାଳୟର ସହଭାଗିତା।
-
‘BARC Technology’ ର ବିସ୍ତାର ଏବଂ ବିଶ୍ବବିଦ୍ୟାଳୟ ପରିସରରେ ‘ସଜୀବ ପ୍ରୟୋଗଶାଳା (Living Lab)’ ମାଧ୍ୟମରେ ଗ୍ରାମାଞ୍ଚଳର ଦ୍ରବ୍ୟ, ସେବା ଓ ଉତ୍ପାଦକୁ ପ୍ରୋତ୍ସାହନ।
-
ବିଶ୍ବବିଦ୍ୟାଳୟ ପରିସରରେ ଅତ୍ୟାଧୁନିକ ‘ଇନ୍ଡୋର୍ ବ୍ୟାଡ୍ମିଣ୍ଟନ୍ କୋର୍ଟ’ର ସ୍ଥାପନା ସାଙ୍ଗକୁ ଅନ୍ୟ କ୍ରୀଡ଼ା ଭିତ୍ତିଭୂମିରେ ନିରନ୍ତର ବିକାଶ; ଏବଂ ୩ୟ ଓଡ଼ିଶା ଅନ୍ତଃ ବିଶ୍ବବିଦ୍ୟାଳୟ ଖେଳ ପ୍ରତିଯୋଗିତା- ୨୦୨୫ରେ ଉତ୍କଳ ବିଶ୍ଵବିଦ୍ୟାଳୟ ଦଳଗତ ଚମ୍ପିଆନ
-
ଭାରତୀୟ ଭାଷାରେ ଉଚ୍ଚଶିକ୍ଷା ପାଇଁ ଭାରତୀୟ ଭାଷା ସମିତି, ନୂଆଦିଲ୍ଲୀ ତରଫରୁ ଉତ୍କଳ ବିଶ୍ବବିଦ୍ୟାଳୟକୁ ‘ଓଡ଼ିଆ ଭାଷା ସମ୍ବର୍ନ୍ଧନ ସମିତି’ର ‘ନୋଡାଲ କେନ୍ଦ୍ର’ ଚୟନ ଏବଂ ଓଡ଼ିଆ ଭାଷାରେ ବିଭିନ୍ନ ଅଧ୍ୟୟନ କ୍ଷେତ୍ରର ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ଲେଖକୀୟ କର୍ମଶାଳାର ସଫଳ ଆୟୋଜନ।
-
ବିଶ୍ବବିଦ୍ୟାଳୟରେ ପ୍ରାୟୋଗିକ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ‘ଗବେଷଣା କ୍ଲବ୍’, ‘ସାଂସ୍କୃତିକ କ୍ଲବ୍’, ‘ପରିବେଶ-କ୍ଲବ୍’ ଆଦିର ସ୍ଥାପନ ଏବଂ ‘School of Multidisciplinary Research’ର ପ୍ରସ୍ତାବ।
ଓଡ଼ିଶାର ପ୍ରଥମ, ସର୍ବ ବୃହତ୍ ଏବଂ ଜନନୀ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଉତ୍କଳ ବିଶ୍ୱବିଦ୍ୟାଳୟର ଗବେଷଣାତ୍ମକ ପ୍ରବନ୍ଧମାନଙ୍କ ଆକଳନ ଅତ୍ୟନ୍ତ ଉତ୍ସାହଜନକ। ଏହି ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନର ଜଣେ ଏବଂ ପଦାର୍ଥ ବିଜ୍ଞାନ ବିଭାଗର ୩ଜଣ ପ୍ରାକ୍ତନ ଛାତ୍ର ସମ୍ମାନଜନକ ଭଟ୍ଟନାଗର ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ। ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜ୍ଞାନୀ ଛାତ୍ର ଏବେ ବି ଆଣବିକ ଗବେଷଣା କେନ୍ଦ୍ରରେ ସର୍ବାଦୃତ। ଏଠାକାର ୫୦ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ପଦ ଅଳଙ୍କୃତ କରିଛନ୍ତି। ସେହିପରି ଭାରତୀୟ ରାଷ୍ଟ୍ରଦୂତ, ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦେଶକ, ବିଶିଷ୍ଟ ବୈଜ୍ଞାନିକ ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଛି।
ରାଜନୀତି କ୍ଷେତ୍ରରେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ବେଶ୍ ସକ୍ରିୟ। କେନ୍ଦ୍ରମନ୍ତ୍ରୀଠାରୁ ଆରମ୍ଭ କରି ଲୋକସଭା ବାଚସ୍ପତି, ବିଧାନସଭା ବାଚସ୍ପତି, ରାଜ୍ୟ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଲୋକସଭା ସଦସ୍ୟ, ବିଧାନସଭାସଦସ୍ୟ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ପଦପଦବୀରେ ଅଧିଷ୍ଠିତ ହୋଇଛନ୍ତି। ସେହିପରି ଏଠାକାର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ପଦ୍ମ ସମ୍ମାନ ବିଜେତା। ସେହିପରି ଏଠାକାର ପୂବର୍ତନ ଛାତ୍ରଛାତ୍ରୀ ନବରତ୍ନ କମ୍ପାନୀରେ ମୁଖ୍ୟ କାର୍ଯ୍ୟନିର୍ବାହୀ, ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକରେ ପରିଚାଳନା ନିର୍ଦେଶକ, ଡାକ୍ତର, ଇଞ୍ଜିନିୟର, ମେଜର ଜେନେରାଲ୍, କବି, ଲେଖକ, କଳାକାର, ଶିଳ୍ପୋଦ୍ୟୋଗୀ, ଶିକ୍ଷକ, ବିଶିଷ୍ଟ ସାମ୍ବାଦିକ ତଥା ସମାଜସେବୀ ଭାବେ ବିଭିନ୍ନ କ୍ଷେତ୍ରରେ ଦେଶବିଦେଶରେ ସୁଖ୍ୟାତି ଅର୍ଜନ କରିଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟର ସଫଳ ଛାତ୍ରଛାତ୍ରୀଙ୍କ ତାଲିକା ଅସରନ୍ତି। ସରକାରୀ ହେଉ ଅବା ଘରୋଇ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ସବୁଠାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ ସହ ପ୍ରଭାବ ବିସ୍ତାର କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ସମସ୍ତ ଅଂଶୀଦାର ତଥା ସର୍ବୋପରୀ ଅଭିଭାବମାନେ ଧନ୍ୟବାଦର ପାତ୍ର। ଶିକ୍ଷାର ସୁବ୍ୟବସ୍ଥା, ଅଧ୍ୟୟନର ଅନୁକୂଳ ପରିବେଶ, ଉଚ୍ଚତର ଗବେଷଣା ଲାଗି ଉପଯୁକ୍ତ କ୍ଷେତ୍ର ଅନୁଧ୍ୟାନ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଛାତ୍ରଛାତ୍ରୀମାନଙ୍କର ପ୍ରଥମ ପସନ୍ଦ ପାଲଟିଛି।

ଉତ୍କଳ ବିଶ୍ଵବିଦ୍ୟାଳୟର ଚିହ୍ନଟପାଇଁ ଯେଉଁ ପ୍ରତୀକଟି ବ୍ୟବହୃତ ହେଉଛି ସେଥରେ ରହିଛି ବାଣିଜ୍ୟ ବ୍ୟବସାୟର ସ୍ମୃତି ଚିହ୍ନ, ପର୍ବତର ଛବି ଯାହା ଆମ ଖଣିଜ ସଂପଦର ସ୍ମାରକୀ, ପର୍ବତ ଉପରେ ରହିଛି ଦୁର୍ଗ, ଯାହା ଆମ ଅତୀତ ସାମରିକ ସାମର୍ଥ୍ୟର ଚିହ୍ନ, ପୋଥ୍ ଏବଂ ଦ୍ଵୀପ ଯାହା ଶିକ୍ଷା ଏବଂ ଆଧ୍ୟାତ୍ମିକ ଜ୍ଞାନାଲୋକର ପ୍ରତୀକ ଭାବେ ବିଶ୍ବବିଦ୍ୟାଳୟର ପ୍ରାଧାନ୍ୟକୁ ବୃଦ୍ଧି କରୁଛି।
ଉତ୍କଳ ବିଶ୍ଵବିଦ୍ୟାଳୟ ବାଣୀବିହାର ମୁଖ୍ୟ ପ୍ରବେଶ ଦ୍ବାରରେ ଦେବୀ ସରସ୍ୱତୀଙ୍କର ମୂର୍ତ୍ତି ଅବସ୍ଥାପିତ ହେବା ଦ୍ୱାରା ବାଣୀବିହାରର ନାମର ଯଥାର୍ଥତା ପ୍ରତିପାଦିତ ହେଉଛି।
ପ୍ରବେଶ ଦ୍ୱାରର ଦୁଇପାର୍ଶ୍ଵରେ ଦୁଇଜଣ ସାହିତ୍ୟରଥୀ, ଯଥା – ବ୍ୟାସକବି ଫକୀରମୋହନ ଏବଂ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛନ୍ତି । ପ୍ରବେଶ ପଥଟି ବାଣୀବିହାରର ମହତ୍ତ୍ବକୁ ପ୍ରତିପାଦନ କରିବା ସହିତ ଜ୍ଞାନପ୍ରେମୀ ଛାତ୍ର-ଛାତ୍ରୀ ଏବଂ ଜନସାଧାରଣଙ୍କୁ ଆକୃଷ୍ଟ କରୁଛି।
ଉଚ୍ଚତର ଶିକ୍ଷା ପ୍ରଦାନ ସହିତ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଆତ୍ମବଳ, ଆତ୍ମବିକାଶ ତଥା ଆତ୍ମଶୁଦ୍ଧି ନିମିତ୍ତ ଗୁରୁତ୍ଵପୂର୍ଣ ଭୂମିକା ନିର୍ବାହ କରୁଅଛି । ବାଣୀଆରାଧନାର ପୀଠ ଉତ୍କଳ ବିଶ୍ଵବିଦ୍ୟାଳୟ ଆଜି କେବଳ ଓଡ଼ିଶାରେ ନୁହେଁ, ଭାରତରେ ନୁହେଁ, ସମଗ୍ର ବିଶ୍ବରେ ବିଦିତ । ଏହି ପୀଠର ସୁରଭିରେ ସମଗ୍ର ବିଶ୍ବର ବାତାବରଣ ଆଜି ସୁରଭିଯୁକ୍ତ।
ସର୍ବୋପରି ନିଜର ସୃଷ୍ଟି, ପ୍ରତିଷ୍ଠିତ ପ୍ରାକ୍ତନ ଛାତ୍ରମଣ୍ଡଳୀ, ସ୍ୱତନ୍ତ୍ର ଦୃଢ଼ ନେତୃତ୍ୱ ଯୋଗୁଁଁ ପ୍ରତିଷ୍ଠିତ ପରମ୍ପରା ଓ ପରିଚାଳନା ବ୍ୟବସ୍ଥା, ଅଙ୍ଗୀକାରବଦ୍ଧ ପରିବାରର ସଦସ୍ୟ ଯଥା କର୍ମଚାରୀ, ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ଆଗକୁ ବଢ଼ିଚାଲିଛି ଏହି ଅନୁଷ୍ଠାନ ସମାଜରେ ଏକ ସ୍ୱତନ୍ତ୍ର ସମ୍ମାନଷ୍ପଦ ବିଶ୍ୱବିଦ୍ୟାଳୟ ହିସାବରେ। ସମସ୍ତଙ୍କ ସହଯୋଗ ଓ ସହାୟତା ପାଇଲେ ଏହା ଆଗକୁ ବଢ଼ିବ ଏବଂ ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିଣତ ହେବ। ବର୍ତ୍ତମାନର ନେତୃତ୍ବ ତଥା ସୁଦୂର ପ୍ରସାରି ଯୋଜନା ଏହି ସର୍ବ ପୁରାତନ ବିଶ୍ବବିଦ୍ୟାଳୟ ପାଇଁ ଏକ ଉଜ୍ଜ୍ବଳ ଭବିଷ୍ୟତ ଆଣିଦେବ।
ଏହି ପବିତ୍ର ପୀଠର ଶୁଭ ଜନ୍ମ ଲଗ୍ନରେ ଏହାକୁ କୋଟି ପ୍ରଣାମ।
