ସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହ
ଭୁବନେଶ୍ବର: ୨୦୨୬ ମସିହା ଫେବୃଆରି ୨୮ ତାରିଖରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ଆକାଶରେ ଏକ ଅତି ବିରଳ ମହାଜାଗତିକ ଦୃଶ୍ୟ ‘ପ୍ଲାନେଟ୍ ପରେଡ୍’ ବା ‘ଗ୍ରହ ସମାବେଶ’ ଦେଖିବାକୁ ମିଳିବ। ଏହି ସମୟ ମଧ୍ୟରେ ସୌରମଣ୍ଡଳର ଛଅଟି ଗ୍ରହ – ଶୁକ୍ର, ବୁଧ, ନେପଚୁନ, ଶନି, ୟୁରାନସ୍ ଏବଂ ବୃହଷ୍ପତି – ଆକାଶର ଏକ ନିର୍ଦ୍ଦିଷ୍ଟ ଭାଗରେ ଏକତ୍ର ଦୃଶ୍ୟମାନ ହେବେ। ସୂର୍ଯ୍ୟାସ୍ତର ପ୍ରାୟ ୩୦ ରୁ ୬୦ ମିନିଟ୍ ମଧ୍ୟରେ ଏହି ଦୃଶ୍ୟକୁ ଉପଭୋଗ କରିହେବ। ପଶ୍ଚିମ ଆକାଶର ଦିଗବଳୟ ନିକଟରେ ଶୁକ୍ର, ବୁଧ, ନେପଚୁନ ଏବଂ ଶନି କ୍ରମାନ୍ବୟରେ ରହିଥିବା ବେଳେ, ସେମାନଙ୍କ ଠାରୁ ପ୍ରାୟ ୪୫ ଡିଗ୍ରୀ ଉପରେ ୟୁରାନସ୍ ଏବଂ ମୁଣ୍ଡ ଉପରକୁ ବୃହଷ୍ପତି ଗ୍ରହ ଅବସ୍ଥାପିତ ହେବେ ବୋଲି ଜନବିଜ୍ଞାନୀ ଡଃ ଶୁଭେନ୍ଦୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଦେଇଛନ୍ତି।
ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଛଅଟି ଗ୍ରହ ମଧ୍ୟରୁ ଚାରୋଟି ଗ୍ରହ ଯଥା ଶୁକ୍ର, ବୁଧ, ବୃହଷ୍ପତି ଏବଂ ଶନିକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବ। ମାତ୍ର ୟୁରାନସ୍ ଓ ନେପଚୁନ ଅତି ଦୂରରେ ଥିବାରୁ ଏମାନଙ୍କୁ ଦେଖିବା ପାଇଁ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ବା ଟେଲିସ୍କୋପ୍ର ଆବଶ୍ୟକତା ପଡ଼ିବ। ଏଠାରେ ସୂଚନାଯୋଗ୍ୟ ଯେ, ବୁଧ ଏବଂ ଶନିଙ୍କ ଉଜ୍ଜଳତା କମ୍ ଥିବାରୁ ଅଧିକ ଆଲୋକ ପ୍ରଦୂଷଣ ଥିବା ସହରାଞ୍ଚଳରେ ଏହାକୁ ସ୍ପଷ୍ଟ ଭାବେ ଦେଖିବା କଷ୍ଟକର ହୋଇପାରେ। ସେଥିପାଇଁ ଗ୍ରାମାଞ୍ଚଳ ବା କମ୍ ଆଲୋକ ଥିବା ଖୋଲା ପଡ଼ିଆରୁ ଏହି ଦୃଶ୍ୟ ଅଧିକ ମନୋରମ ଲାଗିବ। କେତେକ ଗଣମାଧ୍ୟମରେ ଏହାକୁ ଏକ ‘ସରଳ ରେଖା’ର ସମାବେଶ ବୋଲି କୁହାଯାଉଥିଲେ ମଧ୍ୟ ପ୍ରକୃତରେ ଏହା ସରଳ ରେଖା ନୁହେଁ, ବରଂ ଆକାଶର ଏକ ନିର୍ଦ୍ଦିଷ୍ଟ କୋଣରେ ଗ୍ରହମାନଙ୍କର ଏକତ୍ରିକରଣ ମାତ୍ର।
ଏହି ମହାଜାଗତିକ ଘଟଣାର କୌଣସି ଜ୍ୟୋତିଷ ଶାସ୍ତ୍ରୀୟ ପ୍ରଭାବ ମାନବ ସମାଜ ଉପରେ ନାହିଁ, ଏହା କେବଳ ମହାକାଶର ଏକ ପ୍ରାକୃତିକ ପ୍ରକ୍ରିୟା। ଓଡ଼ିଶା ତଥା ସମଗ୍ର ଭାରତର ଆକାଶ ଯଦି ମେଘମୁକ୍ତ ଏବଂ ପ୍ରଦୂଷଣ ମୁକ୍ତ ରହେ, ତେବେ ଜନସାଧାରଣ ଏହି ସୁନ୍ଦର ଦୃଶ୍ୟକୁ ଦେଖିବାର ସୁଯୋଗ ପାଇବେ। ଡଃ ପଟ୍ଟନାୟକଙ୍କ ମତରେ ଏଭଳି ସୁଯୋଗ ବାରମ୍ବାର ଆସେ ନାହିଁ, ତେଣୁ ବିଜ୍ଞାନପ୍ରେମୀ ଓ ଛାତ୍ରଛାତ୍ରୀମାନେ ଏହା ପଛରେ ଥିବା ରହସ୍ୟକୁ ବୁଝିବା ସହ ଏହି ସୁନ୍ଦର ମୁହୂର୍ତ୍ତକୁ ଉପଭୋଗ କରିବା ଉଚିତ। ଏହା କେବଳ ଏକ ସାଧାରଣ ଦୃଶ୍ୟ ନୁହେଁ, ବରଂ ପ୍ରକୃତିର ଏକ ବିରଳ ଉପହାର ଯାହା ଆମକୁ ବିଶ୍ୱବ୍ରହ୍ମାଣ୍ଡର ବିଶାଳତା ବିଷୟରେ ଅବଗତ କରାଇଥାଏ।