ଫିରିଙ୍ଗିଆରେ ଜିଲ୍ଲାର ପ୍ରଥମ ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର’ ଉଦଘାଟିତ
ଜନ ଔଷଧି କେନ୍ଦ୍ର ସ୍ଥାନୀୟ ଅଞ୍ଚଳର ଗରିବ ଓ ଅସହାୟ ଲୋକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇବାରେ ସହାୟକ ହେବ-ବିଧାୟକ
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟରେ ଜିଲ୍ଲାର ପ୍ରଥମ ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର’ ଫିରିଙ୍ଗିଆ ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ) ଆନୁକୂଲ୍ୟରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ସମବାୟ ସମିତିର ସଭାପତି ଲାଲନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଫୁଲବାଣୀ ବିଧାୟକ ଉମାଚରଣ ମଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ମଲିକ ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର’ର ସଠିକ ପରିଚାଳନା ଏବଂ ଏହା ଦ୍ୱାରା ଅଞ୍ଚଳର ଜନସାଧାରଣ କିଭଳି ବହୁଳ ପରିମାଣରେ ଉପକୃତ ହୋଇପାରିବେ, ସେ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଏହି ଜନ ଔଷଧି କେନ୍ଦ୍ର ସ୍ଥାନୀୟ ଅଞ୍ଚଳର ଗରିବ ଓ ଅସହାୟ ଲୋକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇବାରେ ସହାୟକ ହେବ ଏବଂ ଏହାର ସୁପରିଚାଳନା ଦ୍ୱାରା ଅଞ୍ଚଳବାସୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁଳ ଭାବେ ଉପକୃତ ହୋଇପାରିବେ ବୋଲି ବିଧାୟକ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସମ୍ପାଦକ ମୁକ୍ତିକାନ୍ତ ମହାନ୍ତି, କନ୍ଧମାଳ ଜିଲ୍ଲା ସମବାୟ ସମିତିର ଉପ-ନିବନ୍ଧକ ସନ୍ତୋଷ କୁମାର ଦାସ, ଫୁଲବାଣୀ ସହକାରୀ ନିବନ୍ଧକ ଲଳିତ ମାଝୀ, ବାଲିଗୁଡା ସହ-ନିବନ୍ଧକ ସୁକାନ୍ତ କୁମାର ପାଢ଼ୀ ଏବଂ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁମନ୍ତ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଲ୍ୟାମ୍ପସର ସଦସ୍ୟ ବିରଞ୍ଚି ଦିଗାଳ, ଏସିଆ କହଁର, ଅରୁଣ ଦିଗାଳ, ପତିତ ପ୍ରଧାନ, ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ଅକ୍ଷୟ କୁମାର କଟା, ସମାଜସେବୀ ସଞ୍ଜୟ କୁମାର ଦିଗାଳ ଏବଂ ଯୁବ ବିଜେପି ନେତା ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ କିସାନ ଦିଗାଳଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସୁଚାରୁରୂପେ ପରିଚାଳନା କରିଥିଲେ। ଏହି ଜନ ଔଷଧି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଲୋକମାନେ ଶସ୍ତା ଏବଂ ଗୁଣାତ୍ମକ ଔଷଧ ପାଇବା ସହ ଜିଲ୍ଲାର ସମବାୟ କ୍ଷେତ୍ରରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।