ସାହିତ୍ୟ ସାଂସ୍କୃତିକ ସ୍ମୃତିର ଅଭିଲେଖାଗାର ଓ ସାମାଜିକ ବାସ୍ତବତାର ଦର୍ପଣ
ଉତ୍କଳ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ପକ୍ଷରୁ "ତଥ୍ୟ ଏବଂ କାଳ୍ପନିକ ଆଲୋଚନା: ସାହିତ୍ୟ ମାଧ୍ୟମରେ ଇତିହାସ ଅଧ୍ୟୟନ" ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଉଦଘାଟିତ
ଭୁବନେଶ୍ବର: ଅତୀତ ଘଟଣାବଳୀକୁ ନେଇ ଇତିହାସ ଲିଖନ ଏବଂ କଳ୍ପନାକୁ ଜୀବନ୍ତ ରୂପ ଦେଇ ସାହିତ୍ୟ ସୃଷ୍ଟି ଉଭୟ ଭାଷା କ୍ଷେତ୍ର ସହିତ ଜଡିତ। ଐତିହାସିକଙ୍କ ଆଲେଖ୍ୟ ତଥ୍ୟ ସମ୍ବଳିତ ନିରପେକ୍ଷ ପାଣ୍ଡୁଲିପି ହୋଇଥିବାବେଳେ ସାହିତ୍ୟ ସାଂସ୍କୃତିକ ସ୍ମୃତିର ଅଭିଲେଖାଗାର ଓ ସାମାଜିକ ବାସ୍ତବତାର ଦର୍ପଣ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ପକ୍ଷରୁ “ତଥ୍ୟ ଏବଂ କାଳ୍ପନିକ ଆଲୋଚନା: ସାହିତ୍ୟ ମାଧ୍ୟମରେ ଇତିହାସ ଅଧ୍ୟୟନ” ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଉଦଘାଟନ ଉତ୍ସବରେ ମତପ୍ରକାଶ ପାଇଛି।
ଉଦଘାଟନ ଉତ୍ସବରେ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ପୂବର୍ତନ ଅଧ୍ୟକ୍ଷ ତଥା ରାଜୀବ ଗାନ୍ଧୀ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ଡାଭିଡ୍ ରେଡ୍ ସିମଲିହା ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ତର-ପୂର୍ବ ଇତିହାସର ସମୟସୀମାର ଗୁରୁତ୍ୱ ଏବଂ ଜଣେ ଐତିହାସିକଙ୍କ ବସ୍ତୁନିଷ୍ଠ ହେବା ନୈତିକ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ସାହିତ୍ୟ ପ୍ରତି ଐତିହାସିକଙ୍କ ଦୃଷ୍ଟିକୋଣ ଏବଂ ଇତିହାସର ଗତିପଥକୁ ସାହିତ୍ୟ କିପରି ତାହା ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ ସେ ସମ୍ପର୍କରେ ପ୍ରଫେସର ଡାଭିଡ୍ ରେଡ୍ ସିମଲିହା ନିଜ ବକ୍ତବ୍ୟର ପ୍ରକାଶ କରିଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନ୍ନାରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମୟ ସହିତ ସାହିତ୍ୟ ଓ ଇଂରାଜୀ ଉଭୟ ଭାଷା ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ବିଷୟରେ ଆଲୋକପାତ କରିବା ସହିତ ଶୀର୍ଷକ ପଛରେ ଆୟୋଜକଙ୍କ ଚିନ୍ତାଧାରା ଏବଂ ପାଠ୍ୟଚକ୍ରର ବିଷୟବସ୍ତୁକୁ ପ୍ରଶଂସା କରିଥିଲେ।
ଜାତୀୟ ଆଲୋଚନାଚକ୍ରର ନିର୍ଦ୍ଦେଶକ ତଥା ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଅସୀମ ରଞ୍ଜନ ପାଢ଼ୀ ବିଷୟବସ୍ତୁ ଉପରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଦେଇଥିଲେ। ଏହି ଅବସରରେ ସେ ସାହିତ୍ୟ ଏବଂ ଇତିହାସ ମଧ୍ୟରେ ନିରନ୍ତର ସମ୍ପର୍କ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ।
ସହକାରୀ ପ୍ରଫେସର ଏସ୍. ଦୀପିକା ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂଯୋଜକ ଶ୍ରୀ ପୁଲସ୍ତ୍ୟ ଜାନି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସେକ୍ସପିଅରଙ୍କ କ୍ଲାସିକ୍, ମ୍ୟାକବେଥ୍ ଏବଂ ସାହିତ୍ୟରେ ଥିବା ସୃଜନଶୀଳତାକୁ ଅତି ନିଆରା ଓ ଆକର୍ଷଣୀୟ ଢଙ୍ଗରେ ପରିବେଷିତ ହୋଇଥିଲା।