ଭୁବନେଶ୍ୱର : ଜାମ୍ମୁ କାଶ୍ମୀରର ପହଲଗାଓଁଠାରେ ଘଟିଥିବା ବର୍ବୋରଚିତ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଟିଜି ସୁରକ୍ଷା ଟ୍ରଷ୍ଟ ଓ ଅଲ୍ ଓଡ଼ିଶା କିନ୍ନର ସଂଗଠନ ତରଫରୁ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏକ ମହମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା ପରିଡ଼ାଙ୍କ ନେତୃତ୍ୱରେ ଜାମ୍ମୁ କାଶ୍ମୀରରେ ହୋଇଥିବା ବର୍ବୋରଚିତ ହତ୍ୟା ଘଟଣାକୁ ବିରୋଧ କରିବା ସହିତ ମୃତ୍ୟୁ ବରଣ କରିଥିବା ଭାରତୀୟ ନାଗରିକଙ୍କ ସଦ୍ଗତି ନିମନ୍ତେ ମହମ ଶୋଭାଯାତ୍ରା ସହିତ ଶାନ୍ତି ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୋନାଲି କିନ୍ନର, ରିୟା କିନ୍ନର, ପିଙ୍କି କିନ୍ନର, ରାଧା କିନ୍ନର, ଶୁଭ କିନ୍ନର, ପୂଜା କିନ୍ନର, କଣ୍ଢେଇ କିନ୍ନର, ଟିକିନା କିନ୍ନର ଏବଂ ଉପସଭାପତି ପ୍ରତାପ ସାହୁ ପ୍ରମୁଖ ଯୋଗ ଦେଇ ମହମ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ।
ମେନକା ପରିଡ଼ା କହିଛନ୍ତି ଯେ, ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ହାତମଠାକୁ ଟାଣ କରିବା ସହିତ ପାକିସ୍ତାନର ଆତଙ୍କବାଦକୁ ନିପାତ କରି ଦେଶରେ ଶାନ୍ତି ଓ ମୈତ୍ରୀ ବଜାୟ ରଖିବା ଆବଶ୍ୟକ। ଏଥି ସହିତ ଭାରତବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଯେପରି ଖୋଲାଖୋଲି ଚ୍ୟାଲେଞ୍ଜ ଦିଆଗଲା ଏହାକୁ ଆଉ ବରଦାସ୍ତ ନକରି ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ତାନକୁ ଧ୍ୱଂସସ୍ତୁପରେ ପରିଣତ କରିବାକୁ ଦାବି କରାଯାଇଥିଲା। ଦେଶ ପାଇଁ ନିଜ ଜୀବନ ଦେଇ ସମାଜ ସୁରକ୍ଷା କରିବା ଏବଂ ସନାତନ ଧର୍ମକୁ କେହି ଅପମାନ କଲେ ତାର ଉପଯୁକ୍ତ ଜବାବ ଦିଆଯିବ ବୋଲି କହିଥିଲେ। ଦରକାର ପଡ଼ିଲେ ଓଡ଼ିଶାର ହଜାର ହଜାର କିନ୍ନର ଭାରତୀୟ ସେନାମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବା ସହିତ ଦେଶ ପାଇଁ ଜୀବନ ଦେବାକୁ ପଛାଇବେ ନାହିଁ ବୋଲି ଉପସଭାପତି ପ୍ରତାପ ସାହୁ ସୂଚନା ଦେଇଛନ୍ତି।