ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟା
-
ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ଦ୍ଵାରା ପ୍ରତିଷ୍ଠାତା ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ ଜନ୍ମ ଜୟନ୍ତୀ ପାଳିତ
-
୮୦୦ ରୁ ଅଧିକ ଟାଟା ପରିବାର ସଦସ୍ୟଙ୍କ ଏହି ଉତ୍ସବରେ ସାମିଲ
କଳିଙ୍ଗନଗର: ଜାମସେଟଜୀ ନୁସରୱାନଜୀ ଟାଟା ‘ଭାରତୀୟ ଶିଳ୍ପ ଜଗତର ଜନକ’ ଭାବେ ସର୍ବବିଦିତ। ଏହି ମହାନ ଦୂରଦର୍ଶୀ ପୁରୁଷ ନିଜର ଦୃଢ଼ ଚିନ୍ତାଧାରା ଦ୍ୱାରା ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ। ଦେଶପ୍ରେମ ଏବଂ ସମାଜ ମଙ୍ଗଳ ପାଇଁ ସେ ଛାଡ଼ିଯାଇଥିବା ମହାନ ଆଦର୍ଶ ଆଜି ବି କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ମୁଖ୍ୟ ଉତ୍ସ ହୋଇ ରହିଛି। ୩ ମାର୍ଚ୍ଚ ୧୮୩୯ରେ ଜନ୍ମଗ୍ରହଣ କରିଥିବା ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ପରଲୋକ ୧୯ ମଇ ୧୯୦୪ରେ ହୋଇଥିଲା। ଭାରତର ଇସ୍ପାତ ଓ ଶକ୍ତି ଶିଳ୍ପର ଭିତ୍ତିଭୂମି ସ୍ଥାପନ ସହ ବୈଷୟିକ ଶିକ୍ଷାର ପ୍ରସାର ଏବଂ ଦେଶକୁ ଶିଳ୍ପାୟନ ପଥରେ ଆଗେଇ ନେବାରେ ତାଙ୍କର ଅବଦାନ ଅତୁଳନୀୟ। ମଙ୍ଗଳବାର ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ପରିସରରେ ଆୟୋଜିତ ସ୍ବର୍ଗତ ଜାମସେଟଜୀ ନୁସରୱାନଜୀ ଟାଟାଙ୍କର ୧୮୭ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ ଏହି ମତ ପ୍ରକାଶ କରିଥିଲେ।
ସ୍ବର୍ଗତ ଜାମସେଟଜୀ ନୁସରୱାନଜୀ ଟାଟାଙ୍କର ୧୮୭ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗରଠାରେ କର୍ମଚାରୀମାନଙ୍କ ଦ୍ୱାରା ଏକ ଆନୁଷ୍ଠାନିକ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ଏହି ପ୍ୟାରେଡ୍ ପ୍ରୋଜେକ୍ଟ ଅଫିସ୍ରୁ ବାହାରି ଟିଏସକେ ସେଣ୍ଟର ପର୍ଯ୍ୟନ୍ତ ଯାଇଥିଲା। ସେଠାରେ କମ୍ପାନୀର ବରିଷ୍ଠ ନେତୃତ୍ୱ, ୟୁନିଅନ ପ୍ରତିନିଧି ଏବଂ କର୍ମଚାରୀମାନେ ପ୍ରତିଷ୍ଠାତା ଜାମସେଟଜୀ ଟାଟାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ।
ଏହି ଜନ୍ମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ପୁନର୍ବାସ ଓ ଥଇଥାନ କଲୋନୀ ଏବଂ କମ୍ପାନୀର ଆବାସିକ କଲୋନୀଗୁଡ଼ିକରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଗୋବରଘାଟି, ତ୍ରିଜଙ୍ଗା ଏବଂ ସାନସାଇଲୋ ଅଞ୍ଅଳର ୮୦୦ରୁ ଅଧିକ ଟାଟା ପରିବାର ସଦସ୍ୟ ଏଥିରେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସେହିପରି ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ପ୍ଲାଣ୍ଟ ପରିସରରେ ଥିବା ‘ଏନଆଇଏନଏଲ ହାଉସ’ଠାରେ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଏକତ୍ରିତ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ନୀଳାଚଳ କଲୋନୀରେ ଆୟୋଜିତ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।