କାର୍ତ୍ତିକ ପୂର୍ଣ୍ଣିମାରେ “ସୁପରମୁନ୍“
ଭୁବନେଶ୍ବର: ନଭେମ୍ବର୫ ତାରିଖର କାର୍ତ୍ତିକ ପୂର୍ଣ୍ଣିମାର ପୂର୍ଣ୍ଣ ଚନ୍ଦ୍ର ଟି ୨୦୨୫ ମସିହାର ଦ୍ବୁତୀୟ “ସୁପରମୁନ“ ଭାବରେ ଦେଖାଯିବ। “ସୁପରମୁନ“ଶବ୍ଦ ଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ। ଧୀରେ ଧୀରେ “ସୁପରମୁନ“ ଶବ୍ଦଟି ଖୁବ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହେଉଛି। ଆମେ ଜାଣିଛେ ଯେ ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୭.୫ ଦିନରେ ଥରେ ଏକ ଅଣ୍ଡା କୃତି ପଥରେ ବୁଲିଥାଏ ଓ ପ୍ରାୟ ୨୯ ଦିନରେ ଥରେ ଗୋଟିଏ ପୂର୍ଣ୍ଣମୀ ପଡ଼ିଥାଏ। ଅଣ୍ଡା କୃତି ପଥରେ ବୁଲୁଥିବାରୁ ସବୁଠାରୁ ନିକଟରେ ଥିଲାବେଳ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହୁଥିଲାବେଳେ ସବୁଠାରୁ ଦୂରରେ ୪.୦୬ ଲକ୍ଷ କିଲୋମିଟର ଦୂରରେ ଥାଏ।ଜ୍ୟୋତିଷ ରିଚାର୍ଡ ନଲ୍ଙ୍କ ପରିଭାଷାରେ ଯଦି ଚନ୍ଦ୍ର ଆମଠାରୁ ସାଧାରଣ ଦୂରତା ର ୧୦% ବା ତା’ଠାରୁ କମ ଦୂରତା ରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ ତେବେ ତାହାକୁ ଆମେ ସୁପରମୁନ କହିଥାଉ।
ଅର୍ଥାତ ଯଦି ଚନ୍ଦ୍ର ଅମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ ତା’ହେଲେ ସେହି ଚନ୍ଦ୍ରକୁ “ସୁପରମୁନ “ କୁହାଯାଏ। କାରଣ ସେ ସମୟରେ ତାହା ଆମକୁ ବଡ ଓ ଉଜ୍ଜଳ ଦେଖାଯାଏ। ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ୨ ରୁ ୪ ଥର ଘଟିଥାଏ। ୨୦୨୫ ମସିହାରେ “୩- ସୁପରମୁନ ସିରିଜ” ର ଦ୍ବିତୀୟ “ସୁପରମୁନ “ନଭେମ୍ବର ୫ ଓ ଶେଷ “ସୁପରମୁନ“ଟି ଡିସେମ୍ବର ୪ତାରିଖରେ ଦେଖାଯିବ ।ସେଦିନ ଚନ୍ଦ୍ରଟି ଆମକୁ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୭% ବଡ ସହ ୧୫% ଉଜ୍ଜଳ ଦେଖାଯିବ। ୨୦୨୬ ମସିହାର ଜାନୁଆରି ୩, ନଭେମ୍ବର ୨୪ ଓ ଡିସେମ୍ବର ୨୩ ତାରିଖରେ ୩ ଟି ସୁପରମୁନଦେଖାଯିବ।
ଏହା ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ।ଓଡିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘମୁକ୍ତ ଥିଲେ ଏହାକୁ ଖାଲି ଆଖିରେ ରାତି ସାରା ଦେଖିହେବ। “ସୁପରମୁନ “ ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେନାହିଁ।ଆସନ୍ତୁ ସମସ୍ତେ ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା ସହ ଏହା ପଛରେ ରହିଥିବା କାରଣଗୁଡିକ ଜାଣିବା।