ମହିଳାମାନେ ଆତ୍ମନିର୍ଭରଶୀଳ ଓ ସଶକ୍ତ ହୋଇପାରିଲେ ଏକ ସମୃଦ୍ଧ ରାଜ୍ୟର ଭିତ୍ତି ପଡ଼ିବ
-
ସୁଭଦ୍ରା ଏକତା ପଦଯାତ୍ରା ଅନୁଷ୍ଠିତ
-
ଆସନ୍ତାକାଲିଠାରୁ ନୂତନ ପଞ୍ଜିକରଣ ପାଇଁ ଖୋଲିବ ସୁଭଦ୍ରା ପୋର୍ଟାଲ
-
ନୂଆପଡ଼ା ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରେ ଖୋଲିବ ଏହି ପୋର୍ଟାଲ
ଭୁବନେଶ୍ୱର : ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସୁଭଦ୍ରା ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ୍ ଠାରୁ ଆରମ୍ଭ ହୋଇ ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପଦଯାତ୍ରାରେ ସାମିଲ ହୋଇ ମହିଳାମାନଙ୍କୁ ସ୍ୱାବଲମ୍ବୀ କରି ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମହିଳାମାନେ ଆତ୍ମନିର୍ଭରଶୀଳ ଓ ସଶକ୍ତ ହୋଇପାରିଲେ ଏକ ସମୃଦ୍ଧ ରାଜ୍ୟର ଭିତ୍ତି ପଡ଼ିବ ବୋଲି ସେ କହିଥିଲେ ।
ଏହି ଲକ୍ଷ୍ୟରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନା ସରକାରଙ୍କ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ପ୍ରୟାସରେ ଅଦ୍ୟାବଧି ଏକ କୋଟିରୁ ଊଦ୍ଧ୍ୱର୍ ମହିଳାଙ୍କୁ ୧୫ ହଜାର କୋଟିରୁ ଊର୍ଦ୍ଧ୍ୱ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହାର ସୁଫଳ ଏବେ ସବୁକ୍ଷେତ୍ରରେ ପରିଲକ୍ଷିତ ହେଉଛି । ମହିଳାମାନେ ହେଉଛନ୍ତି ବିକଶିତ ଭାରତ ଏବଂ ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲର ଏକ ମହତ୍ୱପୂର୍ଣ୍ଣ ଏବଂ ପ୍ରମୁଖ ମାଧ୍ୟମ, ଯାହା ଆଜି ଏହି ସୁଭଦ୍ରା ଏକତା ପଦଯାତ୍ରାରେ ପରିଲକ୍ଷିତ ହେଉଛି। ବିଭିନ୍ନ ସ୍ଥାନରୁ ମହିଳାମାନେ ଏକତ୍ରିତ ହୋଇ ପାରସ୍ପରିକ ଭାବବିନିମୟ ଓ ନିଜ ଅନୁଭୂତିର ଆଦାନପ୍ରଦାନ ଦ୍ୱାରା ଭିନ୍ନ ଏକ ସମ୍ପର୍କ ସ୍ଥାପନ ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ୨୦୨୫-୨୬ ଆର୍ଥିକ ବର୍ଷରେ ନୂତନ ପଞ୍ଜିକରଣ ପାଇଁ ସୁଭଦ୍ର ପୋର୍ଟାଲ ଖୋଲାଯିବା ନେଇ ସେ ଘୋଷଣା କରିଥିଲେ। ନୂତନ ପଞ୍ଜିକରଣ ପାଇଁ ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ। ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ ଦୃଷ୍ଟିରୁ ନୂଆପଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଏହା ଖୋଲାଯିବ। ନୂତନ ଯୋଗ୍ୟ ମହିଳାମାନେ ଯେଉଁମାନଙ୍କ ବୟସ ୧ ଅପ୍ରେଲ, ୨୦୨୫ ସୁଦ୍ଧା ୨୧ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ହୋଇଥିବ ଏବଂ ଏହି ଯୋଜନା ଅନ୍ତର୍ଗତ ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବେ ସେମାନେ ଏଥିରେ ଆବେଦନ କରିପାରିବେ। ଯେଉଁ ମହିଳାମାନେ ଗତ ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ଥାଇ ମଧ୍ୟ ଆବେଦନ କରିପାରି ନ ଥିଲେ, ସେମାନଙ୍କୁ ପୁଣିଥରେ ଚଳିତ ବର୍ଷ ଆବେଦନ ପାଇଁ ସୁଯୋଗ ଦିଆଯାଇଛି।
ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନାଦେୟରେ ସୁଭଦ୍ରା ଆବେଦନ ପତ୍ର ଉପଲବ୍ଧ ହେବ। ଏତଦ୍ବ୍ୟତୀତ ନିକଟସ୍ଥ ଆମ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ମଧ୍ୟ ଦେୟମୁକ୍ତ ଭାବେ ପଞ୍ଜିକରଣ କରାଯାଇପାରିବ। ଏଥି ପାଇଁ ନିଜର ଆଧାର ନମ୍ବର ଓ ଆଧାର ସହ ଲିଙ୍କ୍ ଥିବା ମୋବାଇଲ୍ ନମ୍ବର ପ୍ରଦାନ କରି ଜଣେ ହିତାଧିକାରୀ ଆବେଦନ କରିପାରିବେ। ସୁଭଦ୍ରା ନିୟମାବଳୀ ଅନୁଯାୟୀ ଯୋଗ୍ୟ ବିବେଚିତ ସମସ୍ତ ଆବେଦନକାରୀଙ୍କୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଦୁଇଟି କିସ୍ତି ପ୍ରଦାନ କରାଯିବ ଏବଂ ଯଦି ସେମାନଙ୍କ ଯୋଗ୍ୟତା ବଜାୟ ରହେ ପରବର୍ତ୍ତୀ ବର୍ଷଗୁଡ଼ିକରେ ମଧ୍ୟ ଏହି ସୁବିଧା ମିଳିବ।
ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ସରକାରଙ୍କର ବିଭିନ୍ନ ଯୋଜନାରେ ଅବଗତ ହୋଇ ହିତାଧିକାରୀମାନେ ସେମାନଙ୍କର ସୁବିଧାର ଲାଭ ନେବାକୁ କହିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସମନ୍ୱିତ ଶିଶୁ ବିକାଶ ସେବା ଓ ସାମାଜିକ କଲ୍ୟାଣ ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀ, ବିଏମ୍ସି କମିଶନର ଚଞ୍ଜଲ ରାଣାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ ସୁଭଦ୍ରା ଯୋଜନାର ହିତାଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।