BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶନରେ ବିଳମ୍ବ, ଅନିଶ୍ଚିତତାରେ ଛାତ୍ର ସଂସଦ ନିର୍ବାଚନ

ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶନରେ ବିଳମ୍ବ, ଅନିଶ୍ଚିତତାରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର : ନୂଆ ସରକାର ଆସିଲା, ଦୀର୍ଘ ବର୍ଷ ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ହେବ ବୋଲି ଆଶା ଉଇଁଲା। ମାତ୍ର ହାତରେ ଖୁବ୍ କମ୍ ସମୟ ଥିବାରୁ ସରକାର ଚଳିତ ବର୍ଷ ନୁହେଁ ଆର ବର୍ଷ ନିର୍ବାଚନ ହେବ ବୋଲି କହିଲେ। ପୁଣି ନୂଆ ଶିକ୍ଷାବର୍ଷ ଆରମ୍ଭ ହେଉ ହେଉ ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ନେଇ ସଂକେତ ଦେଲେ। ଫଳରେ ଛାତ୍ରନେତାଙ୍କ ମଧ୍ୟରେ ଉତ୍ସାହ ଖେଳିଲା। ସେମାନେ କ୍ୟାମ୍ପସରେ ହେଲ୍ପ ଡେସ୍କଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ, ସାମ୍ବାଦିକ ସମ୍ମିଳନୀ କଲେ। କିଛି ସ୍ଥାନରେ ଛାତ୍ର ସଂଗଠନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଲା I ନିୟମ ଅନୁଯାୟୀ ଦଶହରା ପୂର୍ବରୁ ନିର୍ବାଚନ ହେବା କଥା। କିନ୍ତୁ ଦଶହରାକୁ ଆଉ ମାତ୍ର ମାସେ ରହିଲା। ହେଲେ ଏଯାବତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ବାଚନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ । ଏପରିକି ଚଳିତବର୍ଷର ଶିକ୍ଷା କ୍ୟାଲେଣ୍ଡର ମଧ୍ଯ ପ୍ରକାଶ ପାଉନି। ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ଅନିଶ୍ଚିତତାରେ ରହିଛି, ସେପଟେ କ୍ୟାମ୍ପସ ଉଷ୍ମ ହେବାରେ ଲାଗିଛି।

ରାଜ୍ୟରେ ୨୦୧୮ରୁ ଛାତ୍ର ସଂସଦ ନିର୍ବାଚନ ହେଉନି। ପ୍ରତିବର୍ଷ ବିଭିନ୍ନ ଛାତ୍ର ସଂଗଠନ ନିର୍ବାଚନ କରିବାକୁ ଦାବି କରୁଥିଲେ ହେଁ ପୂର୍ବ ସରକାର କଲେଜ‌ରେ ବିଶୃଙ୍ଖଳା ହେଉଥିବା ଦର୍ଶାଇ ଏହାକୁ ବନ୍ଦ କରିଥିଲେ। ହେଲେ ନୂଆ ସରକାର କହିଲେ, ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବରରେ ହୁଏ। ଏବେ ଆଉ ସମୟ ନାହିଁ । ଚଳିତବର୍ଷ ଏନେଇ ପୁରା ପ୍ରସ୍ତୁତି କରାଯାଇ ଆସନ୍ତାବର୍ଷ ନିଶ୍ଚିତ ଭାବେ ଛାତ୍ର ସଂସଦ ନିର୍ବାଚନ କରାଯିବ।
ଉଚ୍ଚଶିକ୍ଷା ବିଭାଗ ଚଳିତ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରକାଶ କରିନି। କିନ୍ତୁ କିଛି କଲେଜ, ବିଶ୍ଵବିଦ୍ୟାଳୟ ନିଜସ୍ବ କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି। ବିଜେବି କଲେଜ ପକ୍ଷରୁ ପ୍ରସ୍ତୁତ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଲ୍ଲେଖ ରହିଛି। କିନ୍ତୁ ତାରିଖ ଉଲ୍ଲେଖ କରାଯାଇନି। କେବଳ ଲେଖାଯାଇଛି, ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଏହା କରାଯିବ। ଅନ୍ୟପଟେ ବିଭିନ୍ନ ସଂଗଠନ ଘନ ଘନ ବୈଠକ କରୁଛନ୍ତି । ଛାତ୍ର ସଂସଦ ନିର୍ବାଚନ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି।

ଛାତ୍ର ବିଜେଡି ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ବିଜେପି ସରକାରକୁ
ଆସିବା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନର ପ୍ରତିଶ୍ରୁତି ଦେଇଥିଲା। ପୂର୍ବ ସରକାରଙ୍କୁ ଛାତ୍ର ସଂସଦ ନିର୍ବାଚନ କରାଉନଥିବା ଦୋଷ ଦେଇ ଆସୁଥିବା ବିଜେପି ସରକାରକୁ ଆସିବା ପରେ ମଧ୍ୟ ଗତବର୍ଷ ବିଭିନ୍ନ ଆଳ ଦେଖାଇ ନିର୍ବାଚନ କଲେ ନାହିଁ । ଏପରିକି ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ନିର୍ବାଚନ କରିବେ । କିନ୍ତୁ ଏଯାବତ୍ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କଲେ ନାହିଁ । ସରକାର ନିଜେ ଭୟଭୀତ। ତେଣୁ ଏନେଇ କୌଣସି ବିଜ୍ଞପ୍ତି କି ସ୍ପଷ୍ଟତା ଦେଉନାହାନ୍ତି। ଖୁବ୍ ଶୀଘ୍ର ସ୍ପଷ୍ଟତା ଦିଅନ୍ତୁ ନଚେତ୍ ଆନ୍ଦୋଳନ ଜୋରଦାର ହେବ।

ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜ କହିଛନ୍ତି, ଫକୀର ମୋହନ କଲେଜ ଘଟଣା ପରଠୁ ସରକାର ଭୟଭୀତ ଅଛନ୍ତି। ଜାଣିଛତି ତାଙ୍କ ଦଳୀୟ ସଂଗଠନର ପତିଆରା କଲେଜ କି ବିଶ୍ଵବିଦ୍ୟାଳୟରେ ନାହିଁ । ହାରିବା ଭୟରେ ନିର୍ବାଚନ କରିବା ନେଇ କୌଣସି ବିଜ୍ଞପ୍ତି ପ୍ରକାଶ କରୁନାହାନ୍ତି।

ଏଥର ଛାତ୍ର ସଂସଦ ନିର୍ବାଚନ ନେଇ ସରକାର ପୂର୍ବରୁକହି ସାରିଛନ୍ତି, ଠିକ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହି ପ୍ରକ୍ରିୟା ଏକ ସଂଗଠିତ ଏବଂ ସ୍ୱଚ୍ଛ ଉପାୟରେ କରାଯିବ, ଯାହା ଦ୍ଵାରା ଛାତ୍ରଛାତ୍ରୀମାନେ ପ୍ରତିନିଧିତ୍ୱ ପାଇଁ ସେମାନଙ୍କର ଦୀର୍ଘ ପ୍ରତୀକ୍ଷିତ ପ୍ଲାଟଫର୍ମ ଫେରି ପାଇବେ। ୨୦୧୮ ମସିହାରୁ ଅପେକ୍ଷା କରିଥିବା ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ, ଆଶା ଅଧିକ ରହିଛି, ବର୍ଷ ବର୍ଷର ନୀରବତା ପରେ, ସେମାନଙ୍କର ଗଣତାନ୍ତ୍ରିକ ସ୍ୱରର ପୁନରାବୃତ୍ତି ଶେଷରେ ସେମାନଙ୍କ ନିକଟରେ ପହଞ୍ଚିବ ବୋଲି ସେମାନେ ଆଶାବାଦୀ ରହିଛନ୍ତି।