ଭୁବନେଶ୍ୱର: ଆଗାମୀ ଜୁନ୍ ୨୦ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଶାସନିକ ସ୍ତରରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଆଲୋଚିତ କାର୍ଯ୍ୟସୂଚୀ ଅନୁସାରେ ୨୦ ତାରିଖ ଅପରାହ୍ଣ ୨.୦୫ମି. ସମୟରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶସ୍ଥିତ କୁଶୀନଗର ବିମାନ ବନ୍ଦରରୁ ବାୟୁ ସେନା ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଭୁବନେଶ୍ୱର ବିମାନ ବନ୍ଦରଠାରେ ଅପରାହ୍ଣ ୩.୪୦ମି. ସମୟରେ ପହଞ୍ଚିବେ। ୩.୪୫ରୁ ବିମାନ ବନ୍ଦରରୁ ପ୍ରଧାନମନ୍ତ୍ରୀ ଏକ ରୋଡ ଶୋ ମଧ୍ୟ ଦେଇ ଘ୪.୧୫ମି. ସମୟରେ ଜନତା ମୈଦାନଠାରେ ପହଞ୍ଚିବେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠିତ ଓଡ଼ିଶା ସରକାରଙ୍କ ୧ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ଉପଲବ୍ଧି ସଂପର୍କରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବା ସହିତ ନିର୍ଦ୍ଧାରିତ ବିଭିନ୍ନ କାର୍ଯ୍ୟକ୍ରମ ତାଙ୍କ କରକମଳରେ ସମାହିତ ହେବ।ଏହାପରେ ପ୍ରଧାନମନ୍ତ୍ରୀ ଅପରାହ୍ଣ ୫.୩୫ରେ କାର୍ଯ୍ୟକ୍ରମ ସ୍ଥଳରୁ ପ୍ରତ୍ୟାବର୍ତ୍ତନ କରିବା ସହ୫.୫୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଫେରିବେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସୁରକ୍ଷାଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁଚାରୁ ରୂପେ ସଂପାଦନ କରିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ସମସ୍ତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ୍ୱାଇ.ବି.ଖୁରାନିଆଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ରାଜ୍ୟ ପୁଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀ, ଜିଲ୍ଲାପାଳ, ଖୋର୍ଦ୍ଧାଙ୍କ ସମେତ ଅନ୍ୟ ସଂପୃକ୍ତ ବିଭିନ୍ନ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗଦେଇଥିଲେ।
ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱରରେ ପହଞ୍ଚିବା କ୍ଷଣି ସ୍ୱାଗତ, ପ୍ରତ୍ୟାବର୍ତ୍ତନ ସମୟରେ ସମ୍ବର୍ଦ୍ଧନା, ଗସ୍ତ ପରିପ୍ରେକ୍ଷୀରେ ଆବଶ୍ୟକସ୍ଥଳେ ସାମୟିକ ରହଣି ପାଇଁ ରାଜଭବନରେ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଏବଂ ଆଇ.ଜି.ପୁଲିସ୍ ସାମଗ୍ରିକ ଭାବେ ସୁରକ୍ଷା ବ୍ୟବସ୍ଥା ତଦାରଖରେ ରହିବେ। ଭୁବନେଶ୍ୱର ଅଂଚଳରେ କମିଶନରେଟ୍ ପୁଲିସ ସୁରକ୍ଷା ଦାୟିତ୍ୱରେ ରହିବେ।ବିମାନ ଅବତରଣ ସ୍ଥଳଠାରୁ କାର୍ଯ୍ୟକ୍ରମସ୍ଥଳ ଓ ପଥରେ ବିଭିନ୍ନ କାର୍ଯ୍ୟକ୍ରମସ୍ଥଳରେ ସବୁ ସ୍ଥାନରେ ନିୟମ ଅନୁସାରେ ସୁରକ୍ଷା ବ୍ୟବସ୍ଥା ରହିବ।
ବୈଠକରେ ଅଗ୍ନିଶମ ସେବା ବିଭାଗ ତରଫରୁ ଆନୁଷଙ୍ଗିକ ପ୍ରସ୍ତୁତି, ପ୍ରେସ ସମନ୍ୱୟ , ଡିସିପିଙ୍କ ପକ୍ଷରୁ କାରକେଡ୍ ପ୍ଲାନ୍, ସ୍ୱାସ୍ଥ୍ୟ ଓ ମେଡିକାଲ କେୟାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଆବଶ୍ୟକ ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ସଭାମଞ୍ଚ ପ୍ରସ୍ତୁତି, ଆବଶ୍ୟକ ପାସ୍ ବ୍ୟବସ୍ଥା, ଗଣମାଧ୍ୟମରେ ପ୍ରଚାର ପ୍ରସାର, କାର୍ଯ୍ୟକ୍ରମ ସ୍ଥଳରେ ଇଣ୍ଟରନେଟ୍ ସୁବିଧା କରାଯିବ । ଅତିରିକ୍ତ ଶାସନ ସଚିବ, ଗୃହ (ପ୍ରୋଟକଲ) ଙ୍କ ତତ୍ୱାବଧାନରେ ସବୁଥର ଭଳି ଏଥର ମଧ୍ୟ ଗୃହ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ କାର୍ଯ୍ୟ କରିବ ବୋଲି ବୈଠକରୁ ଜଣାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ସ୍ୱାଗତ ଉଦ୍ଦେଶ୍ୟରେ ବିମାନ ବନ୍ଦରରୁ ଏଜି ଛକ ଦେଇ ରାଜ ଭବନ ଗୃହ, କଳିଙ୍ଗ ଷ୍ଟାଡିୟମ ଛକ, ଜୟଦେବ ବିହାର ଛକ, ଜନତା ମୈଦାନ ମଧ୍ୟରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ ମଞ୍ଚ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ବୈଠକରୁ ଜଣାଯାଇଛି।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେବାକୁ ଥିବାରୁ ଶୃଙ୍ଖଳିତ ଭାବେ ସମସ୍ତ କାର୍ଯ୍ୟ ପରିଚାଳନା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।