ଫୁଲବାଣୀ : ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ଦିନିକିଆ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀ ସର୍କିଟ ହାଉସଠାରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ନେତାମାନେ ସ୍ୱାଗତ ଜଣାଇବା ପରେ ସହରର ସମସ୍ୟା ବୁଲି ଦେଖିଥିଲେ। ଉତ୍କଳମଣି ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଧାୟକ ଉମା ଚରଣ ମଲିକଙ୍କ ସହ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ।
ଏହି ଅବସରରେ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସ୍ୱାଗତ କରି ୧୨ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ନାଗରିକ କମିଟିର ଆବାହକ ଅଶୋକ ପରିଡା , ପ୍ରମୋଦ ସାହୁ, ସତ୍ୟପ୍ରିୟ ମହାନ୍ତି, ଭାଗିରାମ ଦିଗାଲ,ବିଶ୍ୱାମିତ୍ର ଦିଗାଲ ପ୍ରମୁଖ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ। ଫୁଲବାଣୀ ପୌରପରିଷଦ ପକ୍ଷରୁ ବେଆଇନ ଅତ୍ୟୁଚ ବର୍ଦ୍ଧିତ ହୋଲଡିଂ ଟିକସ କମାଇବା ଉପରେ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ। ଗତ ଛଅ ବର୍ଷ ଧରି ବେଆଇନ ହୋଲଡିଂ ଟିକସ ଉଛେଦ କରି ଆଇନତଃ ଟିକସ ଲାଗୁ କରିବାକୁ ଅନୁରୋଧ କରିଆସୁଥିଲେ ହେଁ ପ୍ରଶାସନ କିମ୍ବା ସରକାର କର୍ଣ୍ଣପାତ କରୁନଥିବା ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ବାସଗୃହ ନଥିବାରୁ ଜବର ଦଖଲରେ ଥିବା ପରିବାରକୁ ସ୍ଥାୟୀ ବାସଗୃହ ପଟ୍ଟା ପ୍ରଦାନ ସହ ଗତ ବନ୍ଦୋବସ୍ତରେ ହୋଇଥିବା ଅନିୟମିତତା ଯୋଗୁଁ ପୁନଃ ବନ୍ଦୋବସ୍ତ କରିବାକୁ ମନ୍ତ୍ରୀଙ୍କ ଦୃଷ୍ଟି ଗୋଚର କରିଥିଲେ। ପୌର ପରିଷଦ ପକ୍ଷରୁ ରାସ୍ତା ଉପରକୁ ମାଡି ସେଲଫି ପଏଣ୍ଟ ଓ ଗୃହ ନିର୍ମାଣ କରିବା, ବ୍ୟବସାୟୀମାନଙ୍କ ରାସ୍ତା ଅବରୋଧକୁ ପ୍ରୋତ୍ସାହିତ କରୁଥିବା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ରାସ୍ତାରେ ଗାଇଗୋରୁ ଅବାଧ ବିଚରଣର ନିରାକରଣ ଓ ବର୍ଷାଦିନେ ସହରର ବର୍ଷା ଜଳ ,ବର୍ଜ୍ୟବସ୍ତୁ ଓ ପାଇଖାନା ପାଣି ପିଲାସାଲକି ନଦୀଜଳକୁ ପ୍ରଦୂଷିତ କରୁଥିବାରୁ ପ୍ରତିକାର ପାଇଁ ସ୍ୱରେଜ ବ୍ୟବସ୍ଥା କରିବାକୁ ଦାବୀ କରାଯାଇଛି। ଫୁଲବାଣୀ ସହରକୁ ଜଳାଭାବରୁ ସୁରକ୍ଷା ପାଇଁ ପିଅନପଡା ଓ ଡାକପାଲା ଠାରେ ଦୁଇଟି ବ୍ୟାରେଜ ନିର୍ମାଣ କରିବା, ମୁଖ୍ୟ ସହର ମଧ୍ୟରେ ବର୍ଷାଦିନେ ଦୁଇଫୁଟରୁ ଅଧିକ ପାଣି ପ୍ରବାହିତ ହେଉଥିବାରୁ ଡ୍ରେନେଜ ବ୍ୟବସ୍ଥା ଠିକ କରିବା, ସହର ମଧ୍ୟରେ ପାର୍କିଂ ବ୍ୟବସ୍ଥା କରିବା ଓ ଶୌଚାଳୟ କାର୍ଯ୍ୟକ୍ଷମ କରିବା, ଫୁଲବାଣୀ ସହର ମଧ୍ୟରେ ଥିବା ଜିଲା କାରାଗାର ସ୍ତାନାନ୍ତର କରିବା, ପିଅନପଡା ପୋଖରୀର ପୁନଃ ଉଦ୍ଧାର କରି ଓଭର ବ୍ରିଜ, ନୌଚାଳନା ସହ ହୁଡାକୁ ଛାତ ପକାଇ ପାର୍କିଂ ପ୍ଲେସ ଓ ଫୁଡ ଜୋନ ପାଇଁ ପଦକ୍ଷେପ ନେବା, ନବୀନ କ୍ରିଡାବିତଙ୍କ ପାଇଁ ପ୍ରତି ୱ।ଡରେ ଖେଳପଡିଆ ନିର୍ମାଣ କରିବା, ଫୁଲବାଣୀ ସହର ରାସ୍ତା କଡର ସରକାରୀ କାଯ୍ୟାଳୟ ପାଚେରୀ ପଛକୁ ଘୁଞ୍ଚାଇ ଭେଣ୍ଡିଂ ଜୋନ ନିର୍ମାଣ କରିବା, ପୌର ପରିଷଦର ୱ।ଡ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେବା, ନାରାୟଣୀ ପାହାଡ ନିକଟ ବ୍ରାହ୍ମଣୀ ଦେବୀ ପାହାଡ ଉପରକୁ ରାସ୍ତା ନିର୍ମାଣ କରି ଦର୍ଶନୀୟ ସ୍ଥାନରେ ପରିଣତ କରିବାକୁ ପ୍ରସ୍ତାବ ଦେଇଥିଲେ।
ଫୁଲବାଣୀ ସହରର ଭୂଗର୍ଭସ୍ଥ ଜଳସ୍ତର ପ୍ରତିବର୍ଷ ହ୍ରାସ ପାଉଥିବାରୁ ଜଳସ୍ତର ବୃଦ୍ଧି ପାଇଁ ନଦୀପଠା ଓ ସହର ଚାରିପଟେ ପର୍ଯ୍ୟାପ୍ତ ବୃକ୍ଷ ରୋପଣ ପାଇଁ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା।ଏହି ଅବସରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ , ଫୁଲବାଣୀ ବିଧାୟକ ଉମାଚରଣ ମଲିକଙ୍କ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ। ତୁରନ୍ତ ଏକ କାଞ୍ଜିଆ ହୋଦା ନିର୍ମାଣ ସହ ପିଅନପଡା ପୋଖରୀ ନବୀକରଣ, ଡ୍ରେନେଜ ନିର୍ମାଣ, ମାଂସ ମାର୍କେଟ ସ୍ଥାନାନ୍ତରଣ, ଶବଦାହ ଚୁଲା କାର୍ଯ୍ୟକାରୀ କରିବା ଉପରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସକାରାତ୍ମକ ମନୋଭାବ ପୋଷଣ କରିଥିଲେ। ଜିଲାର ପ୍ରଭାରୀ ହିସାବରେ ଅଧିକାରୀମାନଙ୍କୁ ନେଇ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।