ପୁଲିସ ନିଯୁକ୍ତି ପାଇଁ ନୂଆ ଆୟୋଗ ଗଠନ, ଲଘୁ ଖଣିଜ ପାଇଁ ଅକ୍ସନ ଜାଗାରେ ହେବ ଲଟରି
ରାଜ୍ୟ କ୍ୟାବିନେଟ୍ ବୈଠକ: ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ବର : ୟୁନିଫର୍ମ ସର୍ଭିସ୍ ପାଇଁ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ କରାଯିବ। ପୁଲିସ ,ଅବକାରୀ ଓ ବନ ବିଭାଗର ନିଯୁକ୍ତି ପାଇଁ ଏହି ଆୟୋଗ କାମ କରିବ। ଓଡ଼ିଶା ପୁଲିସର ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ ଓ ଦକ୍ଷ କରାଯିବ। ଗଠନ ହେବ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ (ଓଡ଼ିଶା ୟୁନିଫର୍ମଡ ସର୍ଭିସ ଷ୍ଟାଫ ସିଲେକସନ କମିଶନ)। ଖାଲି ପୁଲିସ ନୁହେଁ, ସମସ୍ତ ୟୁନିଫର୍ମ ସେବା ପାଇଁ ଏହି ଆୟୋଗ ପରୀକ୍ଷା ପରିଚାଳନା କରିବ। ଏହା ମଧ୍ୟରେ ଅଗ୍ନିଶମ, ଜେଲ୍, ଅବକାରୀ, ବନ ବିଭାଗ, ପରିବହନ ବିଭାଗର ସମସ୍ତ ୟୁନିଫର୍ମ ସେବା ନିଯୁକ୍ତି ଅନ୍ତର୍ଭୁକ୍ତ। ଓଡ଼ିଶା ୟୁନିଫର୍ମଡ ସର୍ଭିସ ଷ୍ଟାଫ ସିଲେକସନ କମିଶନରେ ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ରହିବେ। ଏହା ଦ୍ବାରା ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ଆସିବ। ରାଜ୍ୟ କ୍ୟାବିନେଟ ଆଜି ଏହି ବଡ଼ ପ୍ରସ୍ତାବରେ ମୋହର ମାରିଛି।
ପୂର୍ବରୁ ସବୁ ୟୁନିଫର୍ମ ସେବା ପରୀକ୍ଷାକୁ ଷ୍ଟାଫ ସିଲେକସନ କମିଶନ ପରିଚାଳନା କରୁଥିଲା। ୨୦୨୦ରୁ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ପୁଲିସ, ଅଗ୍ନିଶମ, ଜେଲ୍ ବିଭାଗ ନିଯୁକ୍ତି ପାଇଁ ପରୀକ୍ଷା କରି ଆସୁଥିବାବେଳେ ଜଙ୍ଗଲ, ଅବକାରୀ ଓ ପରିବହନ ନିଯୁକ୍ତି ପରୀକ୍ଷା ଷ୍ଟାଫ ସିଲେକସନ କରୁଥିଲା । ବାରମ୍ବାର ଏସବୁ ପରୀକ୍ଷାରେ ଅନିୟମିତତା, ବିଳମ୍ବ ଆଦି ବିଭ୍ରାଟ ଦେଖା ଦେଇଥିଲା। ଏ ଦିଗରେ ଗୁରୁତର ସହ ବିଚାର କରି ୟୁନିଫର୍ମ ନିଯୁକ୍ତି ପରିଚାଳନା ପାଇଁ ମୋହନ ସରକାର ନୂଆ କମିଶନ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ-୨୦୨୫କୁ କ୍ୟାବିନେଟ ମଞ୍ଜୁରି ଦେଇଛି।
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ଉପସ୍ଥିତ ରହିଥିଲେ। ଆଜିର କ୍ୟାବିନେଟ୍ ବୈଠକରେ ୯ଟି ବିଭାଗର ୧୨ଟି ପ୍ରସ୍ତାବ ପାରିତ ହୋଇଛି।
ଲଘୁ ଖଣିଜ ପାଇଁ ଅକ୍ସନ ଜାଗାରେ ହେବ ଲଟରି। କେଉଁ ମାଇନିଙ୍ଗ କେତେ ଦରରେ ବିକ୍ରି ହେବ ସରକାର ନିର୍ଣ୍ଣୟ କରିବେ। ଜଣେ ଲୋକ ଗୋଟେ ଜିଲ୍ଲାରେ ଅତି ବେଶୀରେ ୩ଟି ଓ ରାଜ୍ୟରେ ୫ଟି ଲଘୁ ଖଣିଜ ମାଇନ ନେଇ ପାରିବେ। ଏ ନେଇ ନିୟମରେ ସଂଶୋଧନ ଆଣିଛନ୍ତି ସରକାର। ଅଫ ସିଜିନରେ ଷ୍ଟକୟାର୍ଡରେ ରଖାଯାଇ ପାରିବ ଲଘୁ ଖଣିଜ। ଲଘୁ ଖଣିଜ ଚୋରା କାରବାର ରୋକିବା ପାଇଁ ବଡ ନିଷ୍ପତି ହୋଇଛି।