ପୁରୀ: ଶରଧାବାଲିରେ ପହଞ୍ଚିଲା ତିନି ରଥ। ତାଳଧ୍ୱଜ , ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ପହଞ୍ଚିଲା। ଶରଧାବାଲିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପହଞ୍ଚିବା ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ତାଳଧ୍ୱଜ ଓ ଦର୍ପଦଳନ ରଥ ପହଞ୍ଚିଥିଲେ। ଆଜି ସକାଳ ସାଢେ ୯ଟାରେ ଶ୍ରୀଜିଉଙ୍କ ରଥଟଣା ଆରମ୍ଭ ହୋଇଥିଲା। ଦିନ ୧୧ଟା ୧୭ ରେ ପହଞ୍ଚିଲା ତାଳଧ୍ୱଜ ରଥ। ୧୨ଟା ୧୬ରେ ପହଞ୍ଚିଲା ଦର୍ପଦଳନ ରଥ। ୧ଟା ୮ମିନିଟ୍ରେ ପହଞ୍ଚିଲା କାଳିଆର ନନ୍ଦିଘୋଷ ରଥ। ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ। ଘଣ୍ଟ , ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଲା ଚତୁଃପାର୍ଶ୍ୱ। ଶେଷରେ ଶରଧାବାଲିରେ ପହଞ୍ଚିଲେ ଭାଇ ଭଉଣୀ ତିନି ଜଣ। ଘଣ୍ଟ, ହୁଳହୁଳି ଓ ହରିବୋଲ ଶବ୍ଦରେ ଲକ୍ଷାଧିକ ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ଯାଏଁ ନେଇଯାଇଥିଲେ।
ଗତକାଲି ରଥଟଣାରେ ବିଳମ୍ବ ଯୋଗୁଁ ଅଧାରେ ଅଟକିଥିଲା ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ। ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ଆରମ୍ଭରୁ ଭୀଷଣ ସମସ୍ୟା ଦେଖାଦେଇଥିଲା। ବାରମ୍ବାର ମୋଡ଼ ନେଇଥିଲା। ଫାଳି ଲାଗିବା ପରେ ବି ବିଶେଷ ପରିବର୍ତ୍ତନ ହୋଇ ନଥିଲା। ସ୍ଥିତି ଏତେ ଗମ୍ଭୀର ହେଲା ଯେ ରାଜନଅର ଛୁଇଁବା ବେଳକୁ ଘଣ୍ଟାଏରୁ ଅଧିକ ସମୟ ଲାଗି ଯାଇଥିଲା। ଆରମ୍ଭରୁ ମୋଡ଼ ନେଇଥିଲା, ବାରମ୍ବାର ଫାଳି ଲାଗିଥିଲା। ରଥ ମରିଚିକୋଟ ଛକ ଅତିକ୍ରମ କରିବା ବେଳକୁ ଅଢ଼େଇ ଘଣ୍ଟା ବିତିଯାଇଥିଲା। ସେହିପରି ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିବା ନିଷ୍ପତ୍ତି ବେଳକୁ ସେତେବେଳକୁ ଭିଡ଼ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡ଼ିଥିଲା ।
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ #RathaJatra2025 #RathaYatra2025 #ShreeJagannathaDhaam pic.twitter.com/CZpyKWzQOs
— Shree Jagannatha Temple Office, Puri (@SJTA_Puri) June 28, 2025
ରଥ କର୍ଡନ୍ ଖାଲି କରାଯାଇପାରିଲା ନାହିଁ ଓ ରଥ ସାମନାରେ ହଜାର ହଜାର ଲୋକଙ୍କ ଭିଡ଼ ସ୍ଥିତିକୁ ଆହୁରି ଜଟିଳ କରିଦେଇଥିଲା। ସେହିପରି ସିଂହଦ୍ବାରରେ ଅଟକିଯାଇଥିଲା ମହାବାହୁଙ୍କ ରଥ। ବିଧିରକ୍ଷା ପାଇଁ ସନ୍ଧ୍ୟା ୭ଟା ୪୫ ମିନିଟ୍ରେ ରଥ ଟଣାଗଲା। ରଥ ଚକେ ଗଡ଼ିବା ପରେ ବନ୍ଦ ହୋଇଥିଲା ରଥଟଣା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘୋଷଣା କରିଥିଲେ ଯେ ଶନିବାର ସକାଳ ସାଢ଼େ ୯ଟାରେ ରଥ ଟଣାଯିବ। ଆଉ ସେହି ଘୋଷଣା ମୁତାବକ ଆଜି ସକାଳେ ରଥଟଣା ଆରମ୍ଭ ହୋଇଥିଲା। ଆଉ ଏବେ ଶରଧାବାଲିରେ ତିନି ରଥ ପହଞ୍ଚିସାରିଛନ୍ତି। ସେପଟେ ସରକାରଙ୍କ ସମସ୍ତ ପ୍ରସ୍ତୁତି ପରେ ବି ରଥଟଣାରେ ହୋଇଥିବା ଅବ୍ୟବସ୍ଥା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଭୀଷଣ ଅସନ୍ତୁଷ୍ଟ କରିଥିଲା । ଝିପିଝିପି ବର୍ଷା ସତ୍ତ୍ବେ ବି ସାରାରାତି ତିନି ଠାକୁରଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ ।