ଐତିହାସିକ ଆଇଏନ୍ଏସ ଚିଲିକା ପରିଦର୍ଶନ କଲେ ୪୫୦ରୁ ଊର୍ଦ୍ଧ୍ୱ ନୌସୈନିକ
ଭାରତୀୟ ନୌସେନା ବ୍ୟାଚ୍ (୦୧/୨୦୦୧) ର ରୌପ୍ୟ ଜୟନ୍ତୀ ମହା ମିଳନ
ଭୁବନେଶ୍ୱର : ଭାରତୀୟ ନୌସେନାର ୦୧/୨୦୦୧ ବ୍ୟାଚ୍ର ରୌପ୍ୟ ଜୟନ୍ତୀ ମହା ମିଳନ ଉତ୍ସବ ପବିତ୍ର ପୁରୀ ଠାରେ ଅତ୍ୟନ୍ତ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଗତ ଜାନୁଆରୀ ୩୦ ଏବଂ ୩୧ ତାରିଖରେ ଆୟୋଜିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪୫୦ରୁ ଊର୍ଦ୍ଧ୍ୱ ପୂର୍ବତନ ନୌସୈନିକ ଯୋଗ ଦେଇଥିଲେ। ଦେଶମାତୃକାର ସେବା ନିମନ୍ତେ ନିଜ ଜୀବନ ଓ ଯୌବନ ଅର୍ପଣ କରିଥିବା ଏହି ଯୋଦ୍ଧାମାନେ ସେମାନଙ୍କର ୨୫ ବର୍ଷର ପୁରୁଣା ବନ୍ଧୁତା ଏବଂ ଗୌରବମୟ ସାମରିକ ଅଭିଜ୍ଞତାକୁ ଏହି ଅବସରରେ ପାଳନ କରିଥିଲେ।
କାର୍ଯ୍ୟକ୍ରମର ପ୍ରଥମ ଦିନରେ ସମସ୍ତ ବ୍ୟାଚମେଟ୍ଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ୨୦୦୧ ବ୍ୟାଚ୍ର ପୂର୍ବତନ ପ୍ରଶିକ୍ଷକମାନେ ଉପସ୍ଥିତ ରହି ସୈନିକମାନଙ୍କ ସହ ସ୍ମୃତି ଚାରଣ କରିଥିଲେ। ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସହିଦ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବିୟୋଗ ହୋଇଥିବା ବ୍ୟାଚମେଟ୍ଙ୍କ ବଳିଦାନ ଓ ସ୍ମୃତିକୁ ସମ୍ମାନ ଜଣାଇବା ସମୟରେ ଏକ ଗଭୀର ଭାବପ୍ରବଣ ପରିବେଶ ସୃଷ୍ଟି ହୋଇଥିଲା।
ଉତ୍ସବର ଦ୍ୱିତୀୟ ଦିନରେ ସମସ୍ତ ବ୍ୟାଚମେଟ୍ ଏସିଆର ସର୍ବବୃହତ ନୌସେନା ତାଲିମ କେନ୍ଦ୍ର ‘ଆଇଏନ୍ଏସ ଚିଲିକା’ ପରିଦର୍ଶନ କରିଥିଲେ। ଏହି ସ୍ଥାନରେ ହିଁ ସେମାନେ ନିଜର ପ୍ରାରମ୍ଭିକ ତାଲିମ ଗ୍ରହଣ କରି ଦେଶସେବାର ବ୍ରତ ନେଇଥିଲେ। ଦୀର୍ଘ ୨୫ ବର୍ଷ ପରେ ସେହି ପୁରୁଣା ସ୍ଥାନକୁ ଫେରିବା ସମସ୍ତଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା। ଆଇଏନ୍ଏସ ଚିଲିକାର କମାଣ୍ଡିଂ ଅଫିସର ଏବଂ କର୍ମଚାରୀମାନେ ପୂର୍ବତନ ନୌସୈନିକମାନଙ୍କୁ ସ୍ୱାଗତ ଜଣାଇବା ସହ ସେମାନଙ୍କ ଗୌରବମୟ ସେବା ପାଇଁ ସମ୍ମାନିତ କରିଥିଲେ।
ଏହି ସମଗ୍ର କାର୍ଯ୍ୟକ୍ରମକୁ ଓଡ଼ିଶାର ୦୧/୨୦୦୧ ବ୍ୟାଚ୍ର ପୂର୍ବତନ ନୌସୈନିକମାନେ ଅତି ସୁଚାରୁରୂପେ ପରିଚାଳନା କରିଥିଲେ। ଆୟୋଜକ ଭାବେ ସୁଜିତ ଗିରି, ସୁଶୀଲ କର, ତାରାକାନ୍ତ ବେହେରା, ପ୍ରକାଶ କୁମାର ସ୍ୱାଇଁ, ସୁଜିତ ମିଶ୍ର, ଦେବଦତ୍ତ ଦାସ, ବିଭୁ ଜେନା, ସୁକାନ୍ତ ବେହେରା, ଠାକୁର ଜେନା ଏବଂ ସୁଶୀଲ ପାତ୍ର ପ୍ରମୁଖ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ମହା ମିଳନ ବନ୍ଧୁତା ଓ ଦେଶପ୍ରେମର ଏକ ଜ୍ୱଳନ୍ତ ଉଦାହରଣ ଭାବେ ସ୍ମରଣୀୟ ହୋଇ ରହିବ।