ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣରେ ୨୧୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସାଟେଲାଇଟ ବନ୍ଦର
ଭୁବନେଶ୍ବର : ଭାରତର ପୂର୍ବଉପକୁଳରେ ଅବସ୍ଥିତ ଓଡିଶା ଏକ ସାମୁଦ୍ରିକ ରାଜ୍ୟ। ରାଜ୍ୟ। ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟରପ୍ଲାନ୍ ଓ ମାରିଟାଇମ୍ ଇଣ୍ଡିଆ ଭିଜନ-୨୦୩୦କୁ ଦୃଷ୍ଟିରେ ରଖି ରାଜ୍ୟରେ ଅନ୍ତର୍ଦେଶୀୟ ଜଳପଥ ପରିବହନର ବିକାଶ, ବନ୍ଦର ଭିତ୍ତିକ ଶିଳ୍ପ ପାଇଁ ପ୍ରତିଷ୍ଠା କ୍ଷେତ୍ରରେ ଓଡିଶାକୁ ଏକ ପ୍ରମୁଖ ରାଜ୍ୟ ରୂପେ ପରିଗଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଗୁଜୁରାଟର ଭାବାନଗର ଠାରେ ଅନୁଷ୍ଠିତ Transforming Maritime Sector Conclaveରେ ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣ ଠାରେ ପ୍ରାୟ ୨୧୫୦୦ କୋଟି ଟଙ୍କା ବ୍ୟୟରେ ୧୫୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ ପରିବହନ କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ଫିଲ୍ଡ୍ ସାଟେଲାଇଟ ବନ୍ଦର ନିର୍ମାଣ ନିମନ୍ତେ ପାରାଦ୍ଵୀପ ବନ୍ଦର ଓ ଓଡିଶା ସାମୁଦ୍ରିକ ପରିଷଦ (Odisha Maritime Board) ଏବଂ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଅଧୀନସ୍ତ Sagarmala Finance Corporation Limited ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।
ସେହିଭଳି ଓଡିଶାକୁ ଜାହାଜ ନିର୍ମାଣ କ୍ଷେତ୍ରରେ ବିଶ୍ୱସ୍ତରୀୟ କେନ୍ଦ୍ର ରୂପେ ପରିଣତ କରିବା ତଥା ୨୦୪୭ ସୁଧା ଭାରତକୁ ବିଶ୍ଵର ଶୀର୍ଷ ୫ଟି ଜାହାଜ ନିର୍ମାଣକାରୀ ଦେଶମଧ୍ଯରେ ସ୍ଥାନ ପ୍ରଦାନ କରିବା, ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଆନ୍ତର୍ଜାତୀୟ ନିବେଶକାରୀଙ୍କୁ ଆକର୍ଷଣ କରିବା ଏବଂ ସବୁଜ ଓ ସ୍ଥାୟୀ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବାପାଇଁ କେନ୍ଦ୍ରାପଡା ଜିଲ୍ଲାରେ ମହାନଦୀର ଉତ୍ତର କୂଳରେ ଏକ ଜାତୀୟ ଜାହାଜ ନିର୍ମାଣ କ୍ଲଷ୍ଟର ବିକାଶ ନିମନ୍ତେ ପାରାଦ୍ଵୀପ ପୋର୍ଟ ଓ ଓଡିଶା ମାରିଟାଇମ୍ ବୋର୍ଡ ମଧ୍ୟରେ ଦ୍ଵିପାକ୍ଷୀକ ବୁଝାମଣା ସ୍ବାକ୍ଷରିତ ହୋଇଛି।
ଏହି କ୍ଲଷ୍ଟର୍ଟି ପ୍ରତିବର୍ଷ ୧.୦ ରୁ ୧.୨ ନିୟୁତ ଟନ୍ କ୍ଷମତାର ବଡଜାହାଜ ନିର୍ମାଣ, ଗବେଷଣା ଓ ଉନ୍ନୟନ କେନ୍ଦ୍ର ସହ ସହାୟକ ଶିଳ୍ପ ଗଠନ ଓ ପ୍ରଶିକ୍ଷଣ ସୁବିଧାରେ ତଥା ସାମାଜିକ ବିକାଶରେ ସହାୟକ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶାରେ ବନ୍ଦର ଭିତ୍ତିକ ଶିଳ୍ପ ତଥା ସୁଗମ ଜଳପଥ ପରିବହନ ବିକାଶ ପାଇଁ ପାରାଦ୍ଵୀପ ଠାରେ ଏକ ବୃହତ୍ ବନ୍ଦର, ଧାମାରା ଓ ଗୋପାଳପୁର ଠାରେ ୨ଟି ଅଣବୃହତ କାର୍ଯ୍ୟକ୍ଷମ ଥିବାବେଳେ ସୁବର୍ଣ୍ଣରେଖା ମୁହାଣ ଓ ଅସ୍ତରଙ୍ଗ ଠାରେ ଦୁଇଟି ଅଣବୃହତ୍ ବନ୍ଦର ପ୍ରତିଷ୍ଠା ନିର୍ମିତ କାର୍ଯ୍ୟ ଜାରି ରହିଅଛି ।
ଏତତ୍ ବ୍ୟତୀତ ଜଗତସିଂହପୁର ଜିଲ୍ଲାର ଜଟାଧାର ମୁହାଣଠାରେ M/s JSW Utkal Steel Limited ଦ୍ଵାରା ଏକ ନିଜସ୍ବ ଜେଟିର ସ୍ଥାପନା ପାଇଁ ବୁଝାମଣା ପତ୍ର ସ୍ବାକ୍ଷର ହୋଇସାରିଛି ଏବଂ ସମ୍ପ୍ରତି Transforming Maritime Conclaveରେ ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣଠାରେ ଗ୍ରୀନ୍ଫିଲ୍ଡ ସାଟେଲାଇଟ୍ ବନ୍ଦର ୧୫୦ MMT କ୍ଷମତା ବିଶିଷ୍ଟ ଓ ମହାନଦୀରେ ଜାହାଜ ନିର୍ମାଣ କ୍ଲଷ୍ଟର୍ ପାଇଁ ସ୍ବାକ୍ଷରିତ ବୁଝାମଣାପତ୍ର ଭାରତବର୍ଷରେ ଓଡିଶାକୁ ସାମୁଦ୍ରିକ ଭିତିଭୂମି ବିକାଶ ସହ ଦେଶର ୩୩% ଭାଗ Cargo ପରିବହନ କ୍ଷମତା ରାଜ୍ୟରେ ପହଞ୍ଚାଇବା ସଙ୍ଗେ ସଙ୍ଗେ ବିଶ୍ୱସ୍ତରୀୟ ଜାହାଜ ନିର୍ମାଣ କେନ୍ଦ୍ରରୂପେ ପରିଗଣିତ କରିବାରେ ସହାୟକ ହେବ।