ମୁମ୍ବାଇ: ବଲିଉଡ୍ର ସୁପରଷ୍ଟାର୍ ସଲମାନ ଖାନଙ୍କୁ ପୁଣି ଥରେ ଧମକ ମିଳିଛି। ମୁମ୍ବାଇର ଓ୍ବର୍ଲି ଟ୍ରାଫିକ ବିଭାଗର ହ୍ବାଟ୍ସଆପ୍ ନମ୍ବରକୁ ଏକ ଧମକ ପଠାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ଅଭିନେତାଙ୍କ ଘରେ ପ୍ରବେଶ କରି ତାଙ୍କୁ ହତ୍ୟା କରାଯିବ। କେବଳ ଏତିକି ନୁହେଁ, ସଲମାନ ଖାନଙ୍କ କାର୍କୁ ବୋମାରେ ଉଡ଼ାଇ ଦେବାକୁ ମଧ୍ୟ ଧମକ ଦିଆଯାଇଛି। ଓ୍ବର୍ଲି ଥାନାରେ ଫୋନ୍ କରିଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ଅଭିନେତାଙ୍କୁ ହତ୍ୟା ଧମକ ମିଳିବା ପରେ ପୋଲିସ ସତର୍କ ହୋଇଯାଇଥିଲା। ଅଧିକାରୀମାନେ ଧମକର ଉତ୍ସ ଏବଂ ସତ୍ୟତା ଯାଞ୍ଚ କରିଥିଲେ। ତଦନ୍ତ ପରେ ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଗୁଜରାଟର ଜଣେ ବ୍ୟକ୍ତି ମାନସିକ ରୋଗୀ ବୋଲି ଜଣାପଡିଥିଲା। ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ଗୁଜୁରାଟର ଭଦୋଦରା ଜିଲାର ଏକ ଗାଁରେ ଚିହ୍ନଟ କରାଯାଇଛି ଏବଂ ସେ ମାନସିକ ଭାବରେ ଅସ୍ଥିର ଥିବା ପୁଲିସ କହିଛି। ମୁମ୍ବାଇ ପୁଲିସ ୱାଘୋଡିଆ ତାଲୁକାର ଏକ ଗ୍ରାମର ୨୬ ବର୍ଷୀୟ ଯୁବକଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରିଛି।