ଆୟୁଷ ଡାକ୍ତରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ବରିଷ୍ଠତା ଭିତ୍ତିରେ ମାସିକ ଦରମା ୨୦ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
ଗ୍ରାମାଞ୍ଚଳରେ ଆୟୁଷ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିବ - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଖୁସି ଖବର ଦେଇଛନ୍ତି। ସେମାନଙ୍କ ଦୀର୍ଘ ଦିନର ଦାବି ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନଙ୍କ ନିରନ୍ତର ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଦରମା ବୃଦ୍ଧି ପାଇଁ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବରିଷ୍ଠତା ଭିତ୍ତିରେ ଏହି ଦରମା ମାସିକ ୨୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନୂତନ ନିଷ୍ପତ୍ତି ଅନୁଯାୟୀ, ୫ ବର୍ଷରୁ କମ୍ ସମୟ ପାଇଁ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ଦରମା ୨୦ ହଜାର ଟଙ୍କା ବୃଦ୍ଧି ପାଇ ୫୬,୯୪୮ ଟଙ୍କା ହୋଇଛି। ସେହିପରି ୫ରୁ ୧୦ ବର୍ଷର ଅଭିଜ୍ଞତା ଥିବା ଡାକ୍ତରଙ୍କ ଦରମା ୨୫ ହଜାର ଟଙ୍କା ବୃଦ୍ଧି ପାଇ ୭୪,୪୬୭ ଟଙ୍କାରେ ପହଞ୍ଚିଛି। ୧୦ରୁ ୧୫ ବର୍ଷ ସେବା କରିଥିବା ଡାକ୍ତରଙ୍କ ପାଇଁ ମାସିକ ୩୦ ହଜାର ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଏହା ଏବେ ୮୦,୪୬୭ ଟଙ୍କା ହୋଇଛି। ସେହିପରି ୧୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ ବରିଷ୍ଠ ଆୟୁଷ ଡାକ୍ତରଙ୍କ ଦରମାରେ ସର୍ବାଧିକ ୪୦ ହଜାର ଟଙ୍କା ବୃଦ୍ଧି କରାଯାଇଛି, ଯାହାଫଳରେ ସେମାନଙ୍କ ମୋଟ ଦରମା ୯୧,୪୬୭ ଟଙ୍କାରେ ପହଞ୍ଚିଛି।
ରାଜ୍ୟରେ ବର୍ତ୍ତମାନ ୨୯୧୨ ଜଣ ଆୟୁଷ ଡାକ୍ତର ନିୟୋଜିତ ଅଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟ କୋଷାଗାର ଉପରେ ବାର୍ଷିକ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ଏହି ପଦକ୍ଷେପ ଦ୍ୱାରା ଡାକ୍ତରମାନେ ଅଧିକ ଉତ୍ସାହର ସହ କାର୍ଯ୍ୟ କରିବେ ଏବଂ ବିଶେଷ କରି ଗ୍ରାମାଞ୍ଚଳରେ ଆୟୁଷ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।