ଜୈବ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା ଷ୍ଟାର୍ଟଅପ୍ର ବୈପ୍ଳବିକ ପଦକ୍ଷେପ: ଲୋକାର୍ପିତ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘GelGenius™’
ଭୁବନେଶ୍ୱର, ୧୬ ଜାନୁଆରୀ ୨୦୨୬: ଓଡ଼ିଶାର ଜୈବ-ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଜାତୀୟ ଷ୍ଟାର୍ଟଅପ୍ ଦିବସର ଶୁଭ ଅବସରରେ ଭୁବନେଶ୍ୱରସ୍ଥିତ ‘ଆରଏନଏ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍’ (RNA BIOTECH PVT LTD) ପକ୍ଷରୁ ଭାରତର ପ୍ରଥମ ସମ୍ପୂର୍ଣ୍ଣ ସମନ୍ୱିତ ଏଗାରୋଜ୍ ଜେଲ୍ ଇଲେକ୍ଟ୍ରୋଫୋରେସିସ୍ ପ୍ରଣାଳୀ ‘GelGenius™’ ର ଉନ୍ମୋଚନ କରାଯାଇଛି। ଏହି ଅଭିନବ ଯନ୍ତ୍ରଟି କେବଳ ଏକ ବୈଜ୍ଞାନିକ ଉପକରଣ ନୁହେଁ, ବରଂ ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ସାକାର କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ।
ଡିବିଟି–ଆଇଏଲଏସ୍ ବାୟୋଇନ୍କ୍ୟୁବେଟର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଦେଶର ବହୁ ପ୍ରତିଷ୍ଠିତ ବୈଜ୍ଞାନିକ ଓ ଶିକ୍ଷାବିଦ୍ ଯୋଗ ଦେଇଥିଲେ। ଆଇଏଲଏସ୍ ନିର୍ଦ୍ଦେଶକ ଡ଼. ଦେବାଶିଷ ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜଗନେଶ୍ୱର ଦଣ୍ଡପାଟ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ଲୁନା ସାମନ୍ତ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଏହି ସ୍ୱଦେଶୀ ଉଦ୍ଭାବନର ଉଚ୍ଚ ପ୍ରଶଂସା କରିଥିଲେ। ବିଦେଶୀ ମହଙ୍ଗା ଯନ୍ତ୍ରପାତି ଉପରେ ନିର୍ଭରଶୀଳତା କମାଇ ବିଜ୍ଞାନକୁ କିଭଳି ସାଧାରଣ ଶିକ୍ଷାନୁଷ୍ଠାନ ନିକଟରେ ପହଞ୍ଚାଯାଇପାରିବ, ସେ ନେଇ ଅତିଥିମାନେ ମତ ପ୍ରକାଶ କରିଥିଲେ।
ପାରମ୍ପରିକ ଭାବେ ଡିଏନଏ ପରୀକ୍ଷଣ ପାଇଁ ବ୍ୟବହୃତ ହେଉଥିବା ଇଲେକ୍ଟ୍ରୋଫୋରେସିସ୍ ପ୍ରକ୍ରିୟା ବେଶ୍ ଜଟିଳ ଓ ଅନେକ ପୃଥକ ଯନ୍ତ୍ରପାତି ଉପରେ ନିର୍ଭରଶୀଳ ଥିଲା। ଏଥିରେ ବ୍ୟବହୃତ ହେଉଥିବା ଅଲଟ୍ରାଭାୟୋଲେଟ୍ (UV) ରଶ୍ମି ଗବେଷକମାନଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ମାତ୍ର ‘GelGenius™’ ଏହି ସମସ୍ୟାର ସମାଧାନ କରିଛି। ଏଥିରେ ବ୍ଲୁ-ଲାଇଟ୍ ବା ନୀଳ ଆଲୋକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି, ଯାହା ସମ୍ପୂର୍ଣ୍ଣ ସୁରକ୍ଷିତ। ଏହାସହ ଏକାଧିକ ପୃଥକ ୟୁନିଟ୍ ବଦଳରେ ଏକ ମାତ୍ର କମ୍ପାକ୍ଟ ମେସିନ୍ ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ, ଯାହା ପ୍ରୟୋଗଶାଳାର ସ୍ଥାନ ଓ ଖର୍ଚ୍ଚ ଉଭୟ ସଞ୍ଚୟ କରିବାରେ ସହାୟକ ହେବ।
ଆରଏନଏ ବାୟୋଟେକ୍ର ପ୍ରତିଷ୍ଠାତା ତଥା ବିଶିଷ୍ଟ ବୈଜ୍ଞାନିକ ଡ଼. ଅମରେଶ ପାଣ୍ଡା ଏହି ଅବସରରେ କହିଛନ୍ତି ଯେ, ମୋଲେକ୍ୟୁଲାର ବାୟୋଲୋଜି ପରି ଉନ୍ନତ ଶିକ୍ଷା କେବଳ ବଡ଼ ବଡ଼ ଅନୁଷ୍ଠାନରେ ସୀମିତ ନରହି ଯେପରି ପ୍ରତ୍ୟେକ ଶ୍ରେଣୀଗୃହରେ ପହଞ୍ଚିପାରିବ, ତାହାହିଁ ତାଙ୍କର ମୁଖ୍ୟ ଲକ୍ଷ୍ୟ। କମ୍ପାନୀର ବାଣିଜ୍ୟିକ ମୁଖ୍ୟ ନବୀନ ଧଳ ଓ ଚିଫ୍ ସାଇଣ୍ଟିଫିକ୍ ଅଫିସର ମନୀଷ ହୋତାଙ୍କ ମତରେ, ଏହି ଉପକରଣ ଭାରତର ଆଗାମୀ ପିଢ଼ିର ବୈଜ୍ଞାନିକମାନଙ୍କୁ ସଶକ୍ତ କରିବାରେ ଏକ ମାଇଲଖୁଣ୍ଟ ସଦୃଶ ହେବ।