ସରକାରୀ ସୂଚନା ପାଇବାରେ ସଶକ୍ତ, ଦୁର୍ନୀତି ବିରୁଦ୍ଧରେ ଲଢ଼ିବା ପାଇଁ ସବୁଠାରୁ ବଡ଼ ଅସ୍ତ୍ର
ଉତ୍କଳ ବିଶ୍ବବିଦ୍ୟାଳୟରେ ସୂଚନା ଅଧିକାର ଆଇନ ଦିବସ ପାଳିତ
ଭୁବନେଶ୍ୱର: ଦେଶରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେବାର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗରେ ଆରଟିଆଇ (RTI) ଦିବସ ପାଳିତ ହୋଇଯାଇଛି। ସୂଚନା ଅଧିକାର ଅଧିନିୟମ-୨୦୦୫ ହେଉଛି ଏକମାତ୍ର ଆଇନ ଯାହା ନାଗରିକମାନଙ୍କୁ ସରକାରୀ ସୂଚନା ପାଇବାକୁ ସଶକ୍ତ କରିଥାଏ। ଏହା ଜୁନ୍ ୧୫ ତାରିଖରେ ପ୍ରଣୟନ କରାଯାଇଥିଲା ଏବଂ ଅକ୍ଟୋବର ୧୨ ତାରିଖରେ କାର୍ଯ୍ୟକାରୀ ହୋଇଥିଲା।
ସୂଚନା ଅଧିକାର ଆଇନ ଦିବସ ପାଳନ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନାରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ସୂଚନା ଅଧିକାର ଆଇନର କାର୍ଯ୍ୟକାରୀତା ଏବଂ ନାଗରିକମାନଙ୍କର ବ୍ୟବହାର ଉପରେ ଆଶଙ୍କା ପ୍ରକାଶକରି କହିଥିଲେ ଯେ ଏବେ ଅନେକ ଅସ୍ପଷ୍ଟ ଓ ଅବାନ୍ତର ସୂଚନା ପାଇଁ ଆବେଦନ କରାଯାଉଛି ଯାହା ସରକାରୀ ସମ୍ପଦ ନଷ୍ଟ କରିବା ସହ ଆଇନର ମୂଳ ଉଦ୍ଦେଶ୍ୟକୁ କ୍ଷୁର୍ଣ୍ଣ କରୁଛି | ଫଳରେ ଏହା ଅନେକ ନକାରାତ୍ମକ ପରିଣାମ ସୃଷ୍ଟି କରୁଛି ବୋଲି ପ୍ରଫେସର ଚିନାରା ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ରାଜ୍ୟ ସୂଚନା କମିଶନର ଦିଲୀପ ବିଶୋୟୀ ଯୋଗଦେଇ ସୂଚନା ଅଧିକାରୀ ଆଇନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ଗତ ୨୦ ବର୍ଷ ଭିତରେ ବିଭିନ୍ନ ପ୍ରକାରର ସୂଚନା ପାଇବା, ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ଦାୟିତ୍ୱ ଦାବି କରିବା ଏବଂ ପ୍ରଶାସନରେ ସ୍ୱଚ୍ଛତା ଲାଗୁ କରିବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ଦ୍ୱାରା ସୂଚନା ଅଧିକାରର ବ୍ୟାପକ ବ୍ୟବହାର ଦେଖାଯାଇଛି ଏବଂ ଏହାକୁ ଦୁର୍ନୀତି ବିରୁଦ୍ଧରେ ଲଢ଼ିବା ପାଇଁ ସବୁଠାରୁ ବଡ଼ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ଏଥିରେ କେତେକାଂଶରେ ସଫଳତା ମଧ୍ୟ ମିଳୁଛି। ସୂଚନା ଅଧିକାର ଆଇନ ବଳରେ ସାଧାରଣ ଲାେକ ସରକାରୀ ଅଧିକାରୀଙ୍କଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇପାରୁଛି, ଯାହା ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ସହାୟକ ହୋଇପାରୁଛି।
ମାତ୍ର ଆଇନର କାର୍ଯ୍ୟାନ୍ୱୟନ ଏବେ ଦୁର୍ବଳ ହେବାରେ ଲାଗିଛି। ସୂଚନା କମିଶନଗୁଡ଼ିକରେ ବହୁ ସଂଖ୍ୟକ ପଦବୀ ଖାଲି ପଡ଼ିଥିବା ବେଳେ, ଆଜିକାଲି ଅଧିକାଂଶ ଜନ ସୂଚନା ଅଧିକାରୀ (ପିଆଇଓ) ସୂଚନା ପ୍ରଦାନ କରିବାରେ ଇଛା ପ୍ରକାଶ କରୁନାହାନ୍ତି । ସୂଚନା କମିଶନଗୁଡ଼ିକ ସେମାନଙ୍କର ଅନୁମୋଦିତ ସଂଖ୍ୟାର ଅଧାରୁ କମରେ କାର୍ଯ୍ୟ କରୁଛନ୍ତି ଏବଂ ମାମଲା ସମାଧାନର ଗତି ମନ୍ଥର ହୋଇଯାଇଛି। ଯାହା ଶୀଘ୍ର ସୂଚନା ପ୍ରଦାନ କରିବା ଲକ୍ଷ୍ୟକୁ ଅଣଦେଖା କରୁଛି, ବୋଲି ଶ୍ରୀ ବିଶାୟୀ ମତ ରଖିଥିଲେ।
ସୂଚନା ଅଧିକାର ପ୍ରଶିକ୍ଷକ ହର୍ଷ ପରିଛା ସୂଚନା ଅଧିକାରର ଆବେଦନ ଏବଂ ପ୍ରଥମ ଅପିଲ୍ ଦାଖଲ କରିବା ପ୍ରକ୍ରିୟା ବିଷୟରେ କହିଥିଲେ। ଲୋକ ପ୍ରଶାସନ ବିଭାଗର ମୁଖ୍ୟ ଡକ୍ଟର ପ୍ରତିମା ଷଡ଼ଙ୍ଗୀ ସ୍ବାଗତ ଅଭିଭାଷଣ ରଖିଥିବାବେଳେ ସହକାରୀ ପ୍ରଫେସର ଡକ୍ଟର ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଇସିଏସଏସଆର ଡକ୍ଟରାଲ୍ ଫେଲୋ ଏବଂ ଆରଟିଆଇ କ୍ଲିନିକ୍-ଓଡିଶାର ପ୍ରତିଷ୍ଠାତା ମନୋରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।