ଭୁବନେଶ୍ବର: ରମାଦେବୀ ମହିଳା ମହାବିଦ୍ୟାଳୟରେ “ଆଣବିକ ଏବଂ ଅଣୁଜୀବ କୌଶଳ ନୂତନ ଶିକ୍ଷାନୀତି ୨୦୨୦ ପାଠ୍ୟକ୍ରମ ସହିତ ଧାରଣାର ସେତୁ” ଶୀର୍ଷକ ନାମକ ଏକ ତିନିଦିନିଆ କର୍ମଶାଳାର ଉଦଘାଟିତ ହୋଇଯାଇଛି। ଏହି କର୍ମଶାଳାଟି ଜୈବପ୍ରଯୁକ୍ତିବିଦ୍ୟା, ଜୀବନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି।
ଉଦଘାଟନୀ ଅଧିବେଶନରେ ଭାରପ୍ରାପ୍ତ କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ ଯୋଗଦେଇ ଯୁବ ଗବେଷକଙ୍କ ମଧ୍ୟରେ ଦକ୍ଷତା ଆଧାରିତ ଶିକ୍ଷାର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଭାଷଣରେ ସ୍ୱାସ୍ଥ୍ୟ, କୃଷି ଏବଂ ପରିବେଶ ସହିତ ଜଡିତ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ଏବଂ ଏହା ଉପରେ ନୂତନ ଶିକ୍ଷା ନୀତିର ପ୍ରଭାବ ଉପରେ ଆଲୋଚନା କରିଥିଲେ।
ବିଶ୍ବବିଦ୍ୟାଳୟର ବିକାଶ ପରିଷଦର ନିର୍ଦ୍ଦେଶକ ପ୍ରଫେସର ସସ୍ମିତା ମହାନ୍ତି ଓଡ଼ିଶାର ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକରେ ନବସୃଜନଶୀଳ ଶିକ୍ଷା ଉପରେ ଏନଇପି-୨୦୨୦ ର ପ୍ରଭାବ ଉପରେ ଆଲୋକପାତ କରିଥିଲେ। କର୍ମଶାଳାର ସଂଯୋଜକ ପ୍ରଫେସର ରାଜ କୁମାର ଯୋଶୀ ସମ୍ମାନିତ ଅତିଥି ଏବଂ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ।
ଏହି କର୍ମଶାଳାଟି ଆଗାମୀ ତିନିଦିନରେ ଶିକ୍ଷାନୁଷ୍ଠାନ ଏଵଂ ଗବେଷଣା ପ୍ରତିଷ୍ଠାନର ବିଶିଷ୍ଟ ବିଶେଷଜ୍ଞମାନଙ୍କ ମଧ୍ୟରେ ହେବାକୁ ଥିବା ପାରସ୍ପରିକ ଆଲୋଚନା ଅଧିବେଶନ ଏଵଂ ପରୀକ୍ଷାଗାର ଉପରେ ଗୁରୁତ୍ୱାରୋପ କରିବା ସହିତ ଅଂଶଗ୍ରହଣକାରୀମାନଙ୍କୁ ଜୀବନ ବିଜ୍ଞାନରେ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ବିକାଶ ଏବଂ ଗବେଷଣା ଉପରେ ପ୍ରୋତ୍ସାହନ ଯୋଗାଇଦେବ।
ବିଶ୍ୱବିଦ୍ୟାଳୟରେ ହେଉଥିବା ଏହି ତିନିଦିନିଆ ସୈଖିକ କାର୍ଯ୍ୟର ଆରମ୍ଭକୁ ପ୍ରଫେସର ଶିଖା ସିଂହଙ୍କ ଧନ୍ୟବାଦ ପ୍ରସ୍ତାବ ସହିତ ଉଦଘାଟନୀ ଅଧିବେଶନ ଶେଷ ହୋଇଥିଲା।