ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଦ୍ୱାରା ଶୁକ୍ରବାର କାର୍ଯ୍ୟସ୍ଥଳରେ ମହିଳାଙ୍କ ଉପରେ ଯୌନ ଉତ୍ପୀଡନ ବିଷୟରେ ଏକ ଦିନିଆ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳା କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ ଉପରେ ଆଧାରିତ ଥିଲା। ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଶିକ୍ଷାନୁଷ୍ଠାନର ଅଭ୍ୟନ୍ତରୀଣ ଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ଯୌନ ଉତ୍ପୀଡନ ବିଷୟରେ ସଚେତନ କରିବା, ଏବଂ ଏହା ସହ ଜଡିତ ଆଇନଗତ ପ୍ରତିକାର ବିଷୟରେ ସୂଚନା ଦେବା।
ଉଚ୍ଚ ଓ ସର୍ବୋଚ୍ଚ ନ୍ୟାୟାଳୟର ଅଭିଜ୍ଞ ଅଧିବକ୍ତା ଓ ବିଚାରପତି ଭାବେ ଦୀର୍ଘ ଅଭିଜ୍ଞତା ରଖିଥିବା ବିଚାରପତି ଉମା ଚରଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ମହିଳାମାନେ ନିଜ ଅଧିକାର ବିଷୟରେ ସଚେତନ ହେବା ଓ ଅନ୍ୟାୟ ବିରୋଧରେ ସ୍ବର ଉଠାଇବା ହେଉଛି ସମାଜ ଓ ଆଇନ ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ସଭାର ଅଧ୍ୟକ୍ଷତା କରୁଥିବା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ ଏହି ପ୍ରକାରର କର୍ମଶାଳା ମହିଳା ସମାଜର ଅଗ୍ରଗତିରେ ସହାୟକ ହୋଇପାରିବବୋଲି ବିବେଚନା କହିଥିଲେ। ସେଥିପାଇଁ ଏହି ଅଭିଯାନକୁ ସମସ୍ତେ ସମର୍ଥନ ଦେବାକୁ ଆହ୍ବାନ ଦେଇଥିଲେ ।
ଅନ୍ୟ ଦୁଇ ବିଶିଷ୍ଟ ବକ୍ତା— ପ୍ରଫେସର ସୁଚେତା ପ୍ରିୟବାଦିନୀ (ରମାଦେବୀ ଚେୟାର ପ୍ରଫେସର) ଓ ରେଜିଷ୍ଟ୍ରାର ସ୍ମୃତି ମନସ୍ୱିନୀ ସାହୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)ର ଭୂମିକା, ଅଭିଯୋଗ ପ୍ରକ୍ରିୟା ଓ ପ୍ରତିକାର ବ୍ୟବସ୍ଥା ବିଷୟରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭ ରେ ପ୍ରଫେସର ଜ୍ୟୋତିର୍ମୟୀ ଆଚାର୍ଯ୍ୟଙ୍କ ସ୍ୱାଗତ ଅଭିଭାଷଣ ରଖିଥିଲେ। ମହିଳାମାନେ କେମିତି ଅନ୍ୟାୟ ଓ ଉତ୍ପୀଡନ ସମ୍ମୁଖୀନ ହୁଅନ୍ତି ଏବଂ ସେହି ସମସ୍ୟାଗୁଡ଼ିକର ତ୍ବରିତ ସମାଧାନ କିଭଳି କରାଯାଇପାରିବ ସେ ସମ୍ପର୍କରେ ଭାନ୍ୱରୀ ଦେବୀ ଆଲୋଚନା କରିଥିଲେ।
ଏହି ଅବସରରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହା ଛାତ୍ରୀମାନଙ୍କର ଆଗ୍ରହ ସୃଷ୍ଟି କରିବାରେ ସହାୟକ ହୋଇଥିଲା। ଶେଷରେ ଡ଼ା. କଲ୍ୟାଣୀ ସାରଙ୍ଗୀ ଧନ୍ୟବାଦ ଜ୍ଞାପନ ପ୍ରଦାନ କରି, ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ପ୍ରତି କୃତଜ୍ଞତା ଜଣାଇଲେ। ଏହି ପ୍ରୟାସ ଭବିଷ୍ୟତରେ ଉତ୍ପୀଡନ ବିରୋଧରେ ଏକ ଶକ୍ତିଶାଳୀ ପ୍ରୟାସ ହେବ ବୋଲି ଆଶା କରାଯାଉଛି ।