ସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଅଛି । ଏହି ଅବସରରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ ମୁଖ୍ୟ ପୁରୋଧା ଭାବେ ଯୋଗ ଦେଇ ବିଜ୍ଞାନର ମହନୀୟତା ଏବଂ ସାମ୍ପ୍ରତିକ ସମାଜରେ ଏହି କାର୍ଯ୍ୟକ୍ରମର ପ୍ରାସଙ୍ଗିକତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ତଥା ବୈଜ୍ଞାନିକ ପ୍ରଫେସର ଓଁକାର ନାଥ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକ ସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଅପରିହାର୍ଯ୍ୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶ୍ବବିଦ୍ୟାଳୟ ବିଜ୍ଞାନ ସମାଜର ଉପସଭାପତି ଡଃ ଜ୍ୟୋତିର୍ମୟୀ ଉଦ୍ଧାତା ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବିଜ୍ଞାନର ଅଗ୍ରଗତିରେ ନାରୀମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିତ୍ତ ନିୟନ୍ତ୍ରିକ ଶ୍ରୀମତୀ ମିତାରାଣୀ ବିଶ୍ବାଳ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ ।
ଏହି ଦିବସ ପାଳନ ପରିପ୍ରେକ୍ଷୀରେ ପୂର୍ବରୁ ଆୟୋଜିତ ବିଜ୍ଞାନ ସମ୍ବନ୍ଧିତ ସାଧାରଣ ଜ୍ଞାନ, ତର୍କ ଏବଂ ଅଭିନବ ପ୍ରକଳ୍ପ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ଡଃ ଆଲୋକ ପ୍ରସାଦ ଦାସ, ଡଃ ରେବତୀ କାନ୍ତି ମହାରଣା ଓ ଡଃ ରାମକ୍ରିଷ୍ଣା ବିନାୟକ ସଂଯୋଜିତ କରିଥିଲେ । ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରିକ ଡଃ ଅନୀତା ମେକାପଙ୍କ ସମେତ ଡଃ ମମତା ମହାନ୍ତି, ପ୍ରଫେସର ଶକ୍ତିକାନ୍ତ ରଥ, ପ୍ରଫେସର ରାଜ୍ କୁମାର ଯୋଶୀ, ପ୍ରଫେସର ସୁଜାତା ମହାନ୍ତି, ଡଃ ମୋନାଲିସା ମହାନ୍ତି, ଡଃ ସସ୍ମିତା କର, ଡଃ ଅଶୋକ ଦିଗଲ୍, ଡଃ ସନ୍ତୋଷ କୁମାର ବିଶ୍ବାଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।
ଏହି ସମାରୋହରେ ବିଭିନ୍ନ ବିଭାଗର ମୂଖ୍ୟ ଏବଂ ବହୁ ସଂଖ୍ୟାରେ ଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜୀବ ବିଜ୍ଞାନ ଛାତ୍ରୀ କସ୍ତୁରୀ ନାୟକ୍ ଏବଂ ଉଭିଦ ବିଜ୍ଞାନ ଛାତ୍ରୀ ସ୍ବାତୀପଦ୍ମା ଲେଙ୍କା ସୂଚାରୁ ରୂପେ ପରିଚାଳନା କରିଥିଲେ । ପରିଶେଷରେ ଡଃ ଛବିରାଣୀ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।