ଜଳର ସୁପରିଚାଳନା ବିନା କୃଷି, ଅର୍ଥନୈତିକ ଉନ୍ନତି ଓ ରାଜ୍ୟର ପ୍ରଗତି ଅସମ୍ଭବ
-
ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୬
-
ଓଡିଶାର ୪୦,୩୮୦ ପାଣି ପଞ୍ଚାୟତ ୨୪.୧୨ ଲକ୍ଷ ହେକ୍ଟର ଜମିରେ ପାଣି ପରିଚାଳନା କରୁଛନ୍ତି
-
ଆଗାମୀ ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା,
-
୨୦୩୬ ସୁଦ୍ଧା ୯୦ ପ୍ରତିଶତ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଜଳର ସୁପରିଚାଳନା ବିନା କୃଷି, ଅର୍ଥନୈତିକ ଉନ୍ନତି ଓ ରାଜ୍ୟର ପ୍ରଗତି ଅସମ୍ଭବ। ପାଣି ପଞ୍ଚାୟତ ବ୍ୟବସ୍ଥା ଓଡିଶାର କୃଷି ଓ କୃଷକଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଛି ବୋଲି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଗାମୀ ୫ ବର୍ଷ ମଧ୍ୟରେ ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଲିଫ୍ଟ ଇରିଗେସନ, ମେଗା ଲିଫ୍ଟ ଓ ଆଡିବନ୍ଧ ନିର୍ମାଣ ମାଧ୍ୟମରେ ୧୫ ଲକ୍ଷ ହେକ୍ଟର ଅତିରିକ୍ତ ଜମିକୁ ଜଳସେଚନ ଅନ୍ତର୍ଭୁକ୍ତ କରାଯିବ।
ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ୪୦,୩୮୦ ଗୋଟି ପାଣି ପଞ୍ଚାୟତ ସକ୍ରିୟ ଭାବେ କାର୍ଯ୍ୟ କରୁଥିବାବେଳେ, ସେଗୁଡିକ ମାଧ୍ୟମରେ ୨୪.୧୨ ଲକ୍ଷ ହେକ୍ଟର ଜମିର ଜଳସେଚନ ସଫଳତାର ସହ ପରିଚାଳିତ ହେଉଛି। ଓଡିଶା ପାଣି ପଞ୍ଚାୟତ ଆଇନ-୨୦୦୨ ଓ ତାହାର ସଂଶୋଧନ ମାଧ୍ୟମରେ ମହିଳା, ମତ୍ସ୍ୟଜୀବୀ ଓ ଜଳ ବ୍ୟବହାରକାରୀଙ୍କୁ ସମାନ ଅଧିକାର ଓ ସୁଯୋଗ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ପ୍ରାଚୀନ ଜଳସେଚନ ପଦ୍ଧତିରେ ଜଳର ଅପଚୟ ହେଉଥିବାବେଳେ, ପାଣି ପଞ୍ଚାୟତ ମାଧ୍ୟମରେ ସମତାମୂଳକ ଓ ଦକ୍ଷ ଜଳ ବଣ୍ଟନ ସମ୍ଭବ ହୋଇପାରିଛି।
"ଜଳର ସୁପରିଚାଳନା ବିନା କୃଷି, ଅର୍ଥନୈତିକ ଉନ୍ନତି ଓ ରାଜ୍ୟର ପ୍ରଗତି ଅସମ୍ଭବ। ପାଣି ପଞ୍ଚାୟତ ବ୍ୟବସ୍ଥା ଓଡ଼ିଶାର କୃଷି ଓ କୃଷକଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଛି।" :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha pic.twitter.com/ouPe8yH77d
— CMO Odisha (@CMO_Odisha) January 22, 2026
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ମୟୂରଭଞ୍ଜର ଖଇରିବନ୍ଧନ ବ୍ୟାରେଜ୍, ବଲାଙ୍ଗିରର ଅପରଲାନ୍ଥ ପ୍ରକଳ୍ପ, ସାଣ୍ଡୁଲ ଭୂତଳ ପାଇପଲାଇନ୍, ନୟାଗଡର ବୃତଙ୍ଗ ଜଳସେଚନ ପ୍ରକଳ୍ପ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ଜଳାଶୟ ଓ କେନାଲ ପ୍ରକଳ୍ପ ତ୍ୱରାନ୍ବିତ ଭାବେ ଚାଲୁ ରହିଛି। ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟରେ ୯୦ ପ୍ରତିଶତରୁ ଅଧିକ ଚାଷଯୋଗ୍ୟ ଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ସରକାର ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି।
କୃଷକମାନଙ୍କୁ ଫସଲ ବିବିଧିକରଣ, ପନିପରିବା, ଫଳ ଓ ଫୁଲ ଚାଷ ମାଧ୍ୟମରେ ଆୟ ବୃଦ୍ଧି କରିବାକୁ ଆହ୍ୱାନ ଜଣାଇ ସେ କହିଛନ୍ତି ଯେ, ସମୃଦ୍ଧ କୃଷକ ବିନା ସମୃଦ୍ଧ ଓଡିଶା ଗଠନ ସମ୍ଭବ ନୁହେଁ। କୃଷକ ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି । ଜଳବାୟୁ ସହନଶୀଳ କୃଷି ପାଇଁ ଓଡିଶା ସମନ୍ବିତ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳବାୟୁ ସହନଶୀଳ କୃଷି ଅଭ୍ୟାସ ଏବଂ କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ଫସଲର ବିବିଧତା ଏବଂ ସହନଶୀଳ ବିହନ ବ୍ୟବହାର ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଜି ଲୋକସେବା ଭବନରେ ଅନୁଷ୍ଠିତ 'ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୬ର ଉଦଯାପନୀ ସମାରୋହରେ ଯୋଗଦେଇ ରାଜ୍ୟର କୃଷକମାନଙ୍କ ଉନ୍ନତି ପାଇଁ ଆମ ସରକାରଙ୍କ ଦୂରଦୃଷ୍ଟି ସମ୍ପର୍କରେ ଆଲୋକପାତ କଲି। ଜଳର ସୁପରିଚାଳନା ହିଁ କୃଷି ଓ ସାମଗ୍ରିକ ଅର୍ଥନୈତିକ ପ୍ରଗତିର ଚାବିକାଠି। ଆମର ପାଣି ପଞ୍ଚାୟତଗୁଡ଼ିକ କ୍ଷେତକୁ ସୁରୁଖୁରୁରେ ଜଳ ଯୋଗାଇବାରେ… pic.twitter.com/lQBmitDN3P
— Mohan Charan Majhi (@MohanMOdisha) January 22, 2026
ସେ ଆହୁରି କହିଥିଲେ ଯେ, ଜଳସେଚନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ପାଇଁ ଆଇଓଟି (IOT) ସକ୍ଷମ ଡିଜିଟାଲ ଜଳମାପ ଏବଂ ମୃତ୍ତିକାର ଆଦ୍ରତା ଜାଣିବା ପାଇଁ ସେନ୍ସିଙ୍ଗ୍ ସିଷ୍ଟମ ନିମନ୍ତେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଣ୍ଟକୁ ଅନୁବନ୍ଧିତ କରାଯାଇଛି। ଏଥି ସହିତ ପାଣି ପଞ୍ଚାୟତ ଗୁଡିକର ଦକ୍ଷତା ବୃଦ୍ଧି ପାଇଁ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ସହ ଏମ୍ଓୟୁ କରାଯାଇଛି । ନୂଆପଡା ଜିଲ୍ଲାର ଚାନ୍ଦପାଲାରେ ୨,୫୬୭ ହେକ୍ଟର ଜମିକୁ ଆଧୁନିକ ଜଳ ଦକ୍ଷତା ଏବଂ ଗୋଷ୍ଠୀ ଦ୍ବାରା ପରିଚାଳିତ ଜଳସେଚନ ପରିଚାଳନା ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଚାଷୀ ମାନଙ୍କୁ କିପରି ଉତ୍ତମ ବଜାର ବ୍ୟବସ୍ଥା ଯୋଗାଇଦେବା ସହିତ ସେମାନଙ୍କ ଉତ୍ପାଦିତ ଫସଲକୁ ବାହାରକୁ ଦେଶକୁ ରପ୍ତାନୀ କରାଯାଇ ସେମାନଙ୍କୁ ଉତ୍ତମ ମୂଲ୍ୟ ଦିଆଯାଇ ପାରିବ ସେ ଦିଗରେ ସରକାର ଯୋଜନା କରୁଛନ୍ତି। ଚାଷୀଙ୍କ ଆୟ କିପରି ଦ୍ବିଗୁଣିତ ହୋଇପାରିବ, ତାହା ଆମ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ।
ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆମେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଓ ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛୁ। ଜଳବାୟୁ ସହନଶୀଳ କୃଷି ପ୍ରଣାଳୀ ଏବଂ ଫସଲ ବିବିଧିକରଣ ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି କରିବା ଆମର ଲକ୍ଷ୍ୟ। ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସହ ସହଭାଗିତା ମାଧ୍ୟମରେ ପାଣି… pic.twitter.com/uJmQNHN5Me
— Mohan Charan Majhi (@MohanMOdisha) January 22, 2026
ଏହି ଅବସରରେ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଇଞ୍ଜିନିୟର-ଇନ-ଚିଫ ଶ୍ରୀ ସାଗର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।