କଟକ : ଶନିବାର ବିଳମ୍ବିତ ରାତିରେ ନୂଆ କରି ନାମ ଲେଖାଇ ଇଷ୍ଟ୍ ହଷ୍ଟେଲ୍ରେ ରହୁଥିବା ୟୁଜି ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ଖବର ପାଇ ଚିଫ୍ ୱାର୍ଡେନଙ୍କ ସମେତ ୪ ଜଣ ବରିଷ୍ଠ ଅଧ୍ୟାପକ ବିଳମ୍ବିତ ରାତିରେ ହଷ୍ଟେଲ୍ରେ ପହଞ୍ଚି ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ନେଇ ରବିବାର କୁଳପତି ଆଣ୍ଟି ରାଗିଂ ସେଲ୍ର ବୈଠକ ଡାକିଥିଲେ । ବୈଠକ ପରେ ଘଟଣାରେ ସମ୍ପୃକ୍ତ ୧୦ ଜଣ ସିନିୟର୍ ଛାତ୍ରଙ୍କୁ ହଷ୍ଟେଲ୍ରୁ ନିଲମ୍ବନ କରାଯାଇଥିଲା। ନିଲମ୍ବିତ ଛାତ୍ରମାନଙ୍କୁ ଗୋଟିଏ ରାତି ବିଶ୍ବବିଦ୍ୟାଳୟର ଗେଷ୍ଟ ହାଉସରେ ରହିବା ପାଇଁ ଅନୁମତି ଦିଆଯାଇଥିଲା। ନିୟମାନୁସାରେ ସେମାନଙ୍କ ଅଭିଭାବକମାନଙ୍କୁ ଏ ସଂକ୍ରାନ୍ତରେ ଖବର ଦିଆାଇଥିବା ନେଇ ସୂଚନା ମିଳିଛି।
ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ରାଗିଂ ଘଟଣା କଟକ ସହର ସମେତ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସ୍ନାତକ ପ୍ରଥମ ବର୍ଷର ଜଣେ ଛାତ୍ର ଉପରେ ରାଗିଂ ହୋଇଥିବା ଅଭିଯୋଗ ଆସିଛି। ଖବର ମିଳିଥିବା ପରେ ହଷ୍ଟେଲ ୱାଡେନ ଓ ବରିଷ୍ଠ ଅଧ୍ୟାପକ ରାତି ଅଧରେ ହଷ୍ଟେଲର ଆକସ୍ମିକ ଘଟଣାସ୍ଥଳ ପରିଦର୍ଶନ ସହ ନିରୀକ୍ଷଣ କରିଥିଲେ।
ଅଭିଯୋଗ ସତ୍ୟ ଥିବା ଜଣାପଡ଼ିଥିବା ପରେ ୧୦ ଜଣ ତୃତୀୟ ବର୍ଷର ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲରୁ ନିଲମ୍ବନ କରାଯିବା ନେଇ ଆଣ୍ଟି ରାଗିଂ ସେଲ ବୈଠକ ଡାକି ନିଷ୍ପତ୍ତି ନିଆଯାଇଛି। ଅଭିଭାବକଙ୍କୁ ଡାକି ଆଲୋଚନା କରାଯିବା ସହ ଅଭିଯୋଗର ଗମ୍ଭୀରତା ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।
ରାଗିଂ ଅଭିଯୋଗରେ ଛାତ୍ରଙ୍କୁ ନିଲମ୍ବନ କରାଯିବା ଘଟଣାରେ ପ୍ରତିକ୍ରିୟା ରଖି ଚିଫ୍ ୱାଡେନ୍ ସୁଦର୍ଶନ ମିଶ୍ର କହିଛନ୍ତି ଯେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଥିଲା। ରାଗିଂ ସଂପର୍କରେ ଖବର ପାଇ ହଷ୍ଟେଲ ଓ୍ୱାଡେନ୍ ଓ ବରିଷ୍ଠ ଅଧ୍ୟାପକମାନେ ହଷ୍ଟେଲରେ ପହଞ୍ଚିଥିଲେ। ରାଗିଂ ହୋଇଥିବା ନେଇ ପ୍ରମାଣ ରହିଛି। ଭିଡିଓ ଓ ଫଟୋ ଏଭିଡେନସ ଆଣ୍ଟି ରାଗିଂ କମିଟିକୁ ପଠାଯାଇଛି। ରାତି ୧୨ ଟା ପରେ ଇଷ୍ଟ ହଷ୍ଟେଲର କିଛି ସିନିୟର୍ ଛାତ୍ର ଏକାଠି ହୋଇ ଜୁନିୟର ଛାତ୍ରଙ୍କୁ ଗାଳି ଗୁଲଜ କରୁଥିଲେ। ଆଣ୍ଟି ରାଗିଂ କମିଟିର ତଦନ୍ତ ଶେଷ ହେବା ଯାଏଁ ସସପେଣ୍ଡ ନିର୍ଦ୍ଦେଶ କାଏମ ରହିବ।
ଏହି ଘଟଣା ପୂର୍ବରୁ ମଧ୍ୟ ହଷ୍ଟେଲରେ ଧମକ ଦିଆଯିବା ଓ ମନୋବଳ ଭାଙ୍ଗିବା ଅଭିଯୋଗ ଆଣି ଅନେକ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ସେମାନଙ୍କୁ ସିନିୟର ଛାତ୍ରମାନେ ରାଗିଂ କରୁଥିବା ଅଭିଯୋଗ କରିଥିଲେ। ରେଭେନ୍ସା କ୍ୟାମ୍ପସ ରାଗିଂ ମୁକ୍ତ ଏବଂ ଏଠାରେ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କୁଳପତି କହିବା ସହିତ ଯଦି ରାଗିଂ ଅଭିଯୋଗ ଆସେ ତାହେଲେ ତାହେଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଅପରପକ୍ଷରେ କିଛି ଛାତ୍ର ରେଭେନ୍ସା ହଷ୍ଟଲରେ ରାଗିଂ ହୋଇନଥିବା ସଫେଇ ଦେଇଥିଲେ। ସିନିୟର ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଦାବି କରିଥିଲେ।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ