ଭୁବନେଶ୍ୱର/ପୁରୀ : ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ବଡ଼ଦାଣ୍ଡରେ ଗହଳି ବଢ଼ିଛି। ପବିତ୍ର ରଥଯାତ୍ରା ଅବସରରେ ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇସାରିଛି। ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ବଡ଼ଦାଣ୍ଡରେ ଭକ୍ତମାନଙ୍କର ଗହଳି ଲାଗିଛି। ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚିବା ଆଶା କରାଯାଉଛି। ରାଜ୍ୟର ଚାରିଆଡୁ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚିଛନ୍ତି।
ଗତକାଲି ସନ୍ଧ୍ୟା ପରେ ସ୍ଥଗିତ ଥିବା ରଥଟଣା କାର୍ଯ୍ୟ ଆଜି ପୁଣି ଥରେ ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ଣ ସାଢ଼େ ୯ଟାରେ ମହାପ୍ରଭୁଙ୍କର ରଥ ଶରଧାବାଲି ଅଭିମୁଖେ ଗଡ଼ିବ। ଆଜି ଅର୍ଥାତ୍ ଶନିବାର ସକାଳ ୯ଟା ୩୦ରେ ପୁଣି ରଥ ଟଣା ହେବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ ଅବକାଶ ନୀତି ପରେ ପୁଣି ରଥଟଣା ଆରମ୍ଭ ହେବ।
ବଡ଼ଦାଣ୍ଡରେ ୩ ରଥ ଅଟକି ରହିଥିବାବେଳେ ରଥାରୂଢ ଚତୁର୍ଦ୍ଧାବିଗ୍ରହ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସକାଳ ୯ଟା ୩୦ରେ ପୁଣି ରଥଟଣା ହେବ। ଶୁକ୍ରବାର ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅଘଟଣଶୂନ୍ୟ ଭାବେ ଅନୁଷ୍ଠିତ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପର୍କିତ ସମସ୍ତ ନୀତିକାନ୍ତି ଠିକଣା ସମୟରେ ସମାପନ ପାଇଁ ସମସ୍ତ ସେବକ ନିଯୋଗ, ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ସମସ୍ତ କର୍ମଚାରୀ, ସରକାରଙ୍କ ବିଭିନ୍ନ ଅନୁଷ୍ଠାନ, ଗଣମାଧ୍ୟମ ଅନୁଷ୍ଠାନ ଏବଂ ଲକ୍ଷାଧିକ ଭକ୍ତଙ୍କୁ ମୁଖ୍ୟ ପ୍ରଶାସକ କୃତଜ୍ଞତା ତଥା ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି।
— Shree Jagannatha Temple Office, Puri (@SJTA_Puri) June 27, 2025
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଗତକାଲି ସନ୍ଧ୍ୟାରେ ରଥଟଣା ସ୍ଥଗିତ ରଖାଯାଇଛି। ବଳଭଦ୍ରଙ୍କ ତାଳଧ୍ବଜ ବଳଗଣ୍ଡି ଠାରେ ଅଟକି ଥିବା ବେଳେ ମରିଚିକୋଟରେ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିଛି। ତେବେ ବିଧି ରଖ ପାଇଁ ଚକେ ଗଡି ମହାବାହୁ ଅଟକିଯାଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସବୁ କିଛି ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି।
ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ସବୁଠାରୁ ବଡ଼ କଥା ହେଲା ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପରିଚାଳନା।
ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଚଳିତବର୍ଷ ପୁଲିସ ବ୍ୟବସ୍ଥାକୁ ୮ଟି ଭାଗରେ ବିଭକ୍ତ କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର ସୁରକ୍ଷା, କର୍ଡନ ଭିତର ସୁରକ୍ଷା, କର୍ଡନ ବାହାର ସୁରକ୍ଷା, ଗହଳି ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, କୋଷ୍ଟାଲ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍ କରାଯାଇଛି। ଏହି ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ରେ ରହି ୨୭୫ଟି ଏଆଇ କ୍ୟାମେରା ମାଧ୍ୟମରେ ଉତ୍ତରା ଛକରୁ ପୁରୀ ସହର, ପୁରୀରୁ କୋଣାର୍କ ଓ ପୁରୀ ସହରାଞ୍ଚଳର କୌଣସିଠାରେ ଟ୍ରାଫିକ୍ ଜାମ୍ ସମସ୍ୟାର ମୁକାବିଲା ପାଇଁ ନିଷ୍ପତ୍ତି ନେଇହେବ। ସେହିପରି ଆଣ୍ଟି ଡ୍ରୋନ୍ ସିଷ୍ଟମ୍, ବହୁ ସଂଖ୍ୟାରେ ଆଣ୍ଟି ସାବୋଟାଜ୍ ଟିମ୍, ଡଗ୍ ସ୍କ୍ବାଡ୍ ମୁତୟନ ରହିଛି।
ସେହିପରି ଚଳିତବର୍ଷ ୨୧ ଆଇପିଏସ୍, ୧୨ଶହ ଅଫିସରଙ୍କ ସହିତ ୨୦୫ ପ୍ଲାଟୁନ୍ ପୁଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି। ଜଳପଥ ତଟ ସୁରକ୍ଷା ପାଇଁ ମେରାଇନ୍ ପୁଲିସ ଟିମ୍, କୋଷ୍ଟଗାର୍ଡ, ନୌବାହିନୀ (ନାଭାଲ୍)ର ପାଟ୍ରୋଲିଂ ରହିବ। କୋଷ୍ଟଗାର୍ଡର ଆଉ ଏକ ଟିମ୍ ଆକାଶମାର୍ଗରୁ ସମୁଦ୍ରକୂଳକୁ ତୀକ୍ଷ୍ଣ ନଜର ରଖିବେ। ଟ୍ରାଫିକ୍ ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବା ପାଇଁ ଏକ ନୂଆ ଆପ୍ ଖୋଲାଯିବ। ଏହି ଆପ୍ ମାଧ୍ୟମରେ ଲୋକମାନେ ଯା’ଆସ କରିବାକୁ ଅନୁରୋଧ କରାଯାଇଛି।