“ପୂର୍ବ ଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ଜନସାଧାରଣଙ୍କ ଆସ୍ଥା ଜିଣିଛି” – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ଉତ୍ସବ
- କୋଭିଡ୍ ସମୟରେ ଏମ୍ସ ଭୁବନେଶ୍ୱର ପ୍ରଶଂସନୀୟ ଭୂମିକା ନିର୍ବାହ କରିଥିଲା – ରାଜ୍ୟପାଳ
- ସାମଗ୍ରୀକ ବିକାଶ ନିମନ୍ତେ ଏମ୍ସ ଭୁବନେଶ୍ୱରକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦିଆଯିବ – ମୁଖ୍ୟମନ୍ତ୍ରୀ
- ରାଜ୍ୟରେ ଏମ୍ସ ଏବଂ ଅନ୍ୟାନ୍ୟ ଜାତୀୟ ପ୍ରତିଷ୍ଠାନ ସହିତ ମିଳିତ ଗବେଷଣାର ବିପୁଳ ସୁଯୋଗ ରହିଛି – ଧର୍ମେନ୍ଦ୍ର ପ୍ରଧାନ
- ୩୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୯ ସ୍ୱର୍ଣ୍ଣ ପଦକ ପ୍ରଦାନ
- ଚିତଲୁରୀ ନେହା ଏବଂ ମେଧା ମେନନ ଶ୍ରେଷ୍ଠ ଏମ୍ବିବିଏସ ସ୍ନାତକ
- ମୃଣ୍ମୟୀ ମଣ୍ଡଳ ଏବଂ ପ୍ରିୟଙ୍କା ସିଂହ ଶ୍ରେଷ୍ଠ ନର୍ସିଂ ସ୍ନାତକ
ଭୁବନେଶ୍ୱର : ମହାନ ଦୂରଦୃଷ୍ଟିସମ୍ପନ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ୨୦୦୩ ମସିହାରେ ପ୍ରତିଷ୍ଠିତ, ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜନସାଧାରଣଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହୋଇଛି। ଓଡ଼ିଶା ସମେତ ପଡ଼ୋଶୀ ପରବର୍ତ୍ତୀ ରାଜ୍ୟଗୁଡ଼ିକରେ ମଧ୍ୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ଜନସାଧାରଣ ଏମ୍ସ ଭୁବନେଶ୍ୱରର ଏକ ଦଶନ୍ଧିର ସୁବର୍ଣ୍ଣ ଯାତ୍ରାର ସାକ୍ଷୀ ହୋଇଥିବା ପ୍ରକାଶ କରିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ସେବା, ଗବେଷଣା ଏବଂ ତାଲିମରେ ଶ୍ରେଷ୍ଠତା ହାସଲ କରିବା ସହିତ ଏମ୍ସ ଭୁବନେଶ୍ୱର ଭାରତର ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ମଜବୁତ କରିଚାଲିଥିବା ପ୍ରକାଶ କରିଥିଲେ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସଂଗଠନ ଦ୍ବାରା ଏହି ପ୍ରତିଷ୍ଠାନ ସମ୍ମାନୀତ ହେବା ସହିତ ଉତ୍କର୍ଷତା ହାସଲ ଦିଗରେ ଦ୍ରୁତ ବେଗରେ ଗତି କରିଚାଲିଛି। ଗତ ବର୍ଷଗୁଡ଼ିକରେ ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହୋଇଥିବା ଲକ୍ଷ ଲକ୍ଷ ରୋଗୀଙ୍କ ସଂଖ୍ୟା ହିଁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଏହାର ବର୍ଦ୍ଧିତ ପ୍ରଭାବର ଏକ ସ୍ପଷ୍ଟ ପ୍ରମାଣ ବୋଲି ରାଷ୍ଟ୍ରପତି ପ୍ରକାଶ କରିଥିଲେ।
ସ୍ୱାସ୍ଥ୍ୟସେବା, ରୋଗୀ ସେବା ଏବଂ ଚିକିତ୍ସା ଶିକ୍ଷାରେ ପ୍ରତିଷ୍ଠାନର ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୃତି ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ସହିତ ଡିଗ୍ରୀ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଏମ୍ସ ଭୁବନେଶ୍ୱରର ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ୩୧ ଜଣ ଛାତ୍ରଛାତ୍ରୀଙ୍କୁ ୫୯ ଟି ସ୍ୱର୍ଣ୍ଣପଦକ ପ୍ରଦାନ କରିଥିଲେ। ଚିତ୍ଲୁରୀ ନେହା ଏବଂ ମେଧା ମେନନଙ୍କୁ ଶ୍ରେଷ୍ଠ ଏମବିବିଏସ୍ ସ୍ନାତକ ଭାବରେ ପୁରସ୍କୃତ କରାଯାଇଥିବା ବେଳେ, ମୃଣ୍ମୟୀ ମଣ୍ଡଳ ଏବଂ ପ୍ରିୟଙ୍କା ସିଂହଙ୍କୁ ଶ୍ରେଷ୍ଠ ବିଏସସି (ଅନର୍ସ) ନର୍ସିଂ ସ୍ନାତକ ଭାବରେ ସମ୍ମାନୀତ କରାଯାଇଥିଲା।
ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।
ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସ୍ବାଗତ ଅଭିଭାଷଣ ରଖିବା ସହିତ ଏହି ଜାତୀୟ ପ୍ରତିଷ୍ଠାନର ସଫଳତା ଉପରେ ଆଲୋକପାତ କରିଥିଲେ। ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷ ଡ. ଶୈଳେଶ କୁମାର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଡିନ୍ ଡ. ପି ଆର୍ ମହାପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।