କର୍ତ୍ତବ୍ୟ, କରୁଣା ଏବଂ ପ୍ରଥମେ ଭାରତ ପ୍ରତିବଦ୍ଧତାର ପ୍ରତୀକ ହୋଇ ରହିବ ‘ସେବା ତୀର୍ଥ: ପ୍ରଧାନମନ୍ତ୍ରୀ
-
‘ନାଗରିକ ଦେବୋ ଭବ’ ଭାବନାରେ ଅନୁପ୍ରାଣିତ ‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
-
ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ନିଷ୍ପତ୍ତିରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା
-
ମହିଳା, ଯୁବକ ଓ ବଞ୍ଚିତ ନାଗରିକଙ୍କ ପାଇଁ ଜରୁରୀ ନିଷ୍ପତ୍ତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଫାଇଲରେ ସ୍ୱାକ୍ଷର କଲେ ପ୍ରଧାନମନ୍ତ୍ରୀ
ନୁଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସେବା ତୀର୍ଥକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହିତ ଦେଶବାସୀଙ୍କ ସେବା କରିବା ପାଇଁ ନିଜର ଅତୁଟ ସଂକଳ୍ପକୁ ଦୋହରାଇଛନ୍ତି। ଏହି ଅବସରରେ ସେ ‘ନାଗରିକ ଦେବୋ ଭବ’ର ପବିତ୍ର ଭାବନାକୁ ଏହାର ମାର୍ଗଦର୍ଶକ ଶକ୍ତି ଭାବରେ ଆଲୋକପାତ କରିଛନ୍ତି।
ଶ୍ରୀ ମୋଦୀ କହିଛନ୍ତି, ସେବା ତୀର୍ଥର ଲୋକାର୍ପଣ ଜନସେବା ଏବଂ ନାଗରିକଙ୍କ କଲ୍ୟାଣ ପ୍ରତି ଏକ ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ‘ସେବା ତୀର୍ଥ’ କର୍ତ୍ତବ୍ୟ, କରୁଣା ଏବଂ ପ୍ରଥମେ ଭାରତ ନୀତି ଲାଗି ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଏବଂ ଶକ୍ତିଶାଳୀ ପ୍ରତୀକ ଭାବରେ ଠିଆ ହୋଇଛି। ଏହା ଆଗାମୀ ପିଢ଼ିକୁ ସମସ୍ତଙ୍କ କଲ୍ୟାଣ ପାଇଁ ନିଃସ୍ୱାର୍ଥପର ସେବା ଏବଂ ଅକ୍ଳାନ୍ତ ସମର୍ପଣର ପଥରେ ଚାଲିବାକୁ ପ୍ରେରଣା ଦେବ। ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଭାବରେ ଆଗକୁ ବଢ଼ିବା ନିମନ୍ତେ ଲୋକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ; ‘‘ଦେଶବାସୀଙ୍କୁ ସେବା କରିବାର ଅତୁଟ ସଂକଳ୍ପ ସହିତ ଏବଂ ନାଗରିକ ଦେବୋ ଭବ ର ପବିତ୍ର ଭାବନା ନେଇ ଆଜି ସେବା ତୀର୍ଥକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର ସୌଭାଗ୍ୟ ମିଳିଲା। ‘ସେବା ତୀର୍ଥ’ କର୍ତ୍ତବ୍ୟ, କରୁଣା ଏବଂ ଭାରତ ପ୍ରଥମ ନୀତି ଲାଗି ଆମ ପ୍ରତିବଦ୍ଧତାର ଏକ ଶକ୍ତିଶାଳୀ ଉଦାହରଣ।
ଏହା ଆଗାମୀ ପିଢ଼ିକୁ ସମସ୍ତଙ୍କ କଲ୍ୟାଣ ପାଇଁ ନିଃସ୍ୱାର୍ଥପର ସେବା ଏବଂ ଅକ୍ଳାନ୍ତ ସମର୍ପଣର ପଥରେ ଚାଲିବାକୁ ପ୍ରେରଣା ଦେବ ତଥା ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଭାବରେ ଆଗକୁ ବଢ଼ିବା ନିମନ୍ତେ ଲୋକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ମୁଁ ଆଶା କରୁଛି।’’
ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ପିଏମ ରାହତ ଯୋଜନା, ଲକ୍ଷପତି ଦିଦିଙ୍କ ଲକ୍ଷ୍ୟକୁ ଦ୍ୱିଗୁଣିତ କରି ୬ କୋଟି କରାଗଲା, କୃଷି ଭିତ୍ତିଭୂମି ପାଣ୍ଠିକୁ ଦ୍ୱିଗୁଣିତ କରି ୨ ଲକ୍ଷ କୋଟି ଟଙ୍କା କରାଗଲା, ୧୦,୦୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ୍ ଅଫ୍ ଫଣ୍ଡସ୍ ୨.୦କୁ ମଞ୍ଜୁରି
ସେବା ତୀର୍ଥରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେ ଅତି ଜରୁରୀ ଫାଇଲରେ ସ୍ୱାକ୍ଷର କରିଛନ୍ତି ଯାହା ତାଙ୍କର ସେବା ଭାବନାକୁ ପ୍ରତିଫଳିତ କରୁଛି। ସେ ଆଜି ନେଇଥିବା ନିଷ୍ପତ୍ତି ଦେଶର ଚାଷୀ, ମହିଳା, ଯୁବବର୍ଗ ଏବଂ ବଞ୍ଚିତ ନାଗରିକଙ୍କ ସମେତ ସମାଜର ପ୍ରତ୍ୟେକ ବର୍ଗକୁ ଲାଭାନ୍ୱିତ କରିବ।
୧. ପିଏମ ରାହତ ଯୋଜନା: ପ୍ରତ୍ୟେକ ନାଗରିକଙ୍କ ପାଇଁ ଜୀବନ ରକ୍ଷାକାରୀ ସୁରକ୍ଷା
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପିଏମ ରାହତ ଯୋଜନା ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି।
ଏହି ପଦକ୍ଷେପ ଅଧୀନରେ, ଦୁର୍ଘଟଣା ପୀଡିତମାନେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦମୁକ୍ତ ବା କ୍ୟାସଲେସ୍ ଚିକିତ୍ସା ପାଇବେ, ଯାହାଦ୍ୱାରା ତୁରନ୍ତ ଚିକିତ୍ସା ସହାୟତା ଅଭାବରୁ କେହି ଜୀବନ ହରାଇବେ ନାହିଁ।
୨. ଲକ୍ଷପତି ଦିଦିଙ୍କ ଲକ୍ଷ୍ୟକୁ ଦ୍ୱିଗୁଣିତ କରି ୬ କୋଟି କରାଗଲା।
ସରକାର ମାର୍ଚ୍ଚ ୨୦୨୭ର ଧାର୍ଯ୍ୟ ସମୟସୀମାଠାରୁ ଗୋଟିଏ ବର୍ଷରୁ ଅଧିକ ସମୟ ପୂର୍ବରୁ ୩ କୋଟି ଲକ୍ଷପତି ଦିଦିଙ୍କ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏବେ ମାର୍ଚ୍ଚ ୨୦୨୯ ସୁଦ୍ଧା ୬ କୋଟି ଲକ୍ଷପତି ଦିଦିଙ୍କ ଏକ ନୂତନ ଏବଂ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛନ୍ତି, ଯାହା ଏହି ପଦକ୍ଷେପର ବ୍ୟାପକତା ଏବଂ ମହତ୍ୱାକାଂକ୍ଷା ଉଭୟକୁ ଦ୍ୱିଗୁଣିତ କରିଛି।
୩. କୃଷକମାନଙ୍କ ପାଇଁ ବଡ଼ ଉପହାର: କୃଷି ଭିତ୍ତିଭୂମି ପାଣ୍ଠିର ଋଣ ଲକ୍ଷ୍ୟକୁ ଦୁଇ ଗୁଣ ବୃଦ୍ଧି କରି ୨ ଲକ୍ଷ କୋଟି ଟଙ୍କା କରି ଦିଆଯାଇଛି।
ଭାରତର ସମଗ୍ର କୃଷି ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ଲକ୍ଷ୍ୟରେ, ପ୍ରଧାନମନ୍ତ୍ରୀ କୃଷି ଭିତ୍ତିଭୂମି ପାଣ୍ଠିର ଋଣ ଲକ୍ଷ୍ୟକୁ ୧ ଲକ୍ଷ କୋଟିରୁ ୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।
୪. ୧୦,୦୦୦ କୋଟି ଟଙ୍କାର କର୍ପସ ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍ ୨.୦: ନବସୃଜନର ପରବର୍ତ୍ତୀ ଧାରା
ଭାରତର ନବସୃଜନ ଇକୋସିଷ୍ଟମକୁ ସଶକ୍ତ କରିବା ପାଇଁ, ବିଶେଷକରି ଡିପ୍ ଟେକ୍, ପ୍ରାରମ୍ଭିକ ପର୍ଯ୍ୟାୟ ଉପାୟ, ଉନ୍ନତ ଉତ୍ପାଦନ ଏବଂ ବ୍ରେକ୍ ଥ୍ରୁ ଟେକ୍ନୋଲୋଜି କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ୧୦,୦୦୦ କୋଟି ଟଙ୍କାର କର୍ପସ ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍ (ଏଫଓଏଫ) ୨.୦ କୁ ଅନୁମୋଦନ କରିଛନ୍ତି।