ପେଶା ସ୍ବାସ୍ଥ୍ୟସେବା, ନିଶା ଫଟୋଗ୍ରାଫୀ
ଭୁବନେଶ୍ବର: ଏମ୍ସ ଭୁବନେଶ୍ବର କାର୍ଯ୍ୟରତ ସ୍ବାସ୍ଥ୍ୟସେବା ବୃତ୍ତିଧାରୀମାନଙ୍କଠାରେ ମଧ୍ୟ ଫଟୋଗ୍ରାଫୀ ଭଳି ନିଶା ରହିଛି, ତାହା ଏମ୍ସ ଭୁବନେଶ୍ୱରର ତ୍ରୟୋଦଶ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ଫଟୋପ୍ରଦର୍ଶନୀରୁ ସ୍ପଷ୍ଟ ହୋଇଯାଇଥିଲା। ଏମ୍ସ ଭୁବନେଶ୍ୱରର ତ୍ରୟୋଦଶ ବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ଫଟୋଗ୍ରାଫି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଏମ୍ସ ଭୁବନେଶ୍ୱରର ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ତେବେ ବିଭିନ୍ନ ସମୟରେ ନିଜ ମୋବାଇଲ୍ ଫୋନ ଓ କ୍ୟାମେରାରେ ଉତ୍ତୋଳନ କରିଥିବା ସୁନ୍ଦର ଓ ଆକର୍ଷଣୀୟ ଫୋଟୋଗୁଡ଼ିକ ପ୍ରତିଯୋଗୀମାନେ ଦାଖଲ କରିଥିଲେ। ସେଥିମଧ୍ୟରୁ ପ୍ରତିଯୋଗିତା ପାଇଁ ଦାଖଲ କରିଥିବା ପ୍ରତିଯୋଗୀମାନଙ୍କ ଶ୍ରେଷ୍ଠ ୫୦ ଫଟାକୁ ବିଚାରକମଣ୍ଡଳୀ ମନୋନୀତ କରିଥିଲେ ଏବଂ ସେମାନଙ୍କ ଦ୍ବାରା ମନୋନୀତ ହୋଇଥିବା ଶ୍ରେଷ୍ଠ ୫୦ ଫଟୋକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଯାହାକୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ।
ଏମ୍ସ ଭଳି ଅନୁଷ୍ଠାନରେ ରହିଥିବା ଏପରି ସୃଜନଶୀଳ ପ୍ରତିଭାମାନଙ୍କୁ ସମସ୍ତେ ପ୍ରଶଂସା କରିଥିଲେ। ସେହିପରି ଗତ ଏକ ବର୍ଷରେ ଏମ୍ସରେ ହୋଇଥିବା ଏକାଧିକ ସଫଳତା ସମ୍ବଳିତ ଏକ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।