ଫୁଲବାଣୀ ଓ ଭୁବନେଶ୍ଵର ୟୁନିଟ୍ ମଧ୍ୟରେ ଚାଲିଥିବା ଓଏସ୍ଆର୍ଟିସି ବସ୍ କଳି ମଧ୍ୟରେ ଯାତ୍ରୀମାନେ କାହିଁକି ବଳି ପଡିବେ ?
ଫୁଲବାଣୀ-କଟକ ରୁଟ୍ରେ ଯାତ୍ରୀ ଭୋଗୁଛନ୍ତି ଦୁର୍ଦ୍ଦଶା
ଫୁଲବାଣୀ : ଫୁଲବାଣୀରୁ କଟକ ଯାଉଥିବା ଏକମାତ୍ର ଓଏସ୍ଆର୍ଟିସି ବସ୍ ସବୁବେଳେ ଅଧାବାଟରେ ଯାତ୍ରୀଙ୍କୁ ହଟହଟା କରୁଛି। ଏହି ବସ୍ (ଓଡ଼ି୦୨ ସିଭି୯୨୦୮)ଟି ସକାଳ ୬ଟାରୁ ଫୁଲବାଣୀ ଛାଡ଼ି ଦିନ ୧୨ଟାରେ କଟକରେ ପହଞ୍ଚିଥାଏ। ମାତ୍ର ଏହି ଗାଡ଼ିଟିର ଅବସ୍ଥା ଭଲ ନଥିବାରୁ ପ୍ରାୟ ସବୁଦିନ ବାଟରେ ଅଚଳ ହେଉଛି ଏବଂ ଗନ୍ତବ୍ୟସ୍ଥଳ କଟକରେ ପହଞ୍ଚି ପାରୁନି, ସପ୍ତାହରେ ଏଭଳି ପାଞ୍ଚଦିନ ଘଟୁଥିବାରୁ ଯାତ୍ରୀଙ୍କ ମନରେ ନାହିଁ ନଥିବା ଅସନ୍ତୋଷ ପ୍ରକାଶ ପାଇଛି। ରବିବାର ଏହି ବସ୍ଟି ଫୁଲବାଣୀରୁ ନିର୍ଦ୍ଧାରିତ ସମୟରେ ଛାଡ଼ିଥିଲା। କିନ୍ତୁ ଭୁବନେଶ୍ଵରର ୪୦ କିଲୋମିଟର ପୂର୍ବରୁ ଏହାର ଚକ ଫାଟି ଯାଇଥିଲା।
ସରକାରୀ ବସ୍ ହୋଇଥିବାରୁ ନାନା ନୀତିନିୟମ ମାନିବାକୁ ପଡ଼ିଥାଏ। ରବିବାର ସରକାରୀ ଛୁଟି ଦିନ ଥିବାରୁ ନୂଆ ଚକ ଲଗାଇବାକୁ କର୍ତ୍ତୃପକ୍ଷଙ୍କ ଅନୁମତି ଆଣିବା ଏବଂ ଚକ ଲଗାଇବା ଭିତରେ ଭୁବନେଶ୍ଵରରେ ପହଞ୍ଚିବାକୁ ସନ୍ଧ୍ୟା ୫ଟା ହୋଇଯାଇଥିଲା। ଏଣୁ ଏ ବସ୍ଟି କଟକରେ ପହଞ୍ଚି ପାରି ନଥିଲା। ଖୋର୍ଦ୍ଧା ପୂର୍ବରୁ ବସ୍ଟି ଅଚଳ ହୋଇପଡ଼ିବାରୁ ଯାତ୍ରୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ଶେଷରେ ବସ୍ଟି ଆଉ କଟକ ଯାଇ ନଥିଲା।
ଏମିତି ଘଟଣା ଦୁଇଦିନ ତଳେ ମଧ୍ୟ ଘଟିଥିଲା। ମଝି ରାସ୍ତାରେ ବସ୍ ଅଚଳ ହୋଇ ପଡିବାରୁ ଯାତ୍ରୀମାନେ କ’ଣ କରିବେ ଦ୍ବନ୍ଦ୍ବରେ ପଡୁଛନ୍ତି। ଦୀର୍ଘ ସମୟ ଅପେକ୍ଷା କରି କ୍ଳାନ୍ତ ହୋଇ ପଡ଼ିବା ପରେ ସେମାନେ ବାଧ୍ୟ ହୋଇ ଅନ୍ୟ ବସ୍ ଧରୁଛନ୍ତି । ସବୁଠୁ ବଡ଼ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି, ଆଜି ଫୁଲବାଣୀର ଜଣେ ମହିଳା ପ୍ରଜ୍ଞା ପାରମିତା ବାରିକ୍ ତାଙ୍କ ଝିଅଙ୍କ ପାଖକୁ କିଛି ଜରୁରୀ ଔଷଧ, ସାର୍ଟିଫିକେଟ୍ ଓ ଶୀତବସ୍ତ୍ର ବସ୍ରେ ପଠାଇଥିଲେ ଶ୍ରୀମତୀ ବାରିକ୍ଙ୍କ ଝିଅ ସମୀକ୍ଷା କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ପାଠ ପଢ଼ନ୍ତି ଏବଂ ହଷ୍ଟେଲରେ ରହନ୍ତି ଏହି ବସ୍ କଟକ ବସ୍ଷ୍ଟାଣ୍ଡରେ ୧୨ଟାରେ ପହଞ୍ଚିବ ବୋଲି ଛାତ୍ରୀ ସମୀକ୍ଷା ଦିନ ୧୧ଟା ୪୫ ମିନିଟ୍ରୁ ବାଦାମବାଡ଼ି ବସ୍ଷ୍ଟାଣ୍ଡରେ ଅପେକ୍ଷା କରି କରି ସନ୍ଧ୍ୟା ହୋଇଥିଲା। ମାତ୍ର ବସ୍ ପହଞ୍ଚି ନଥିଲା।
ଛାତ୍ରୀଜଣକ ବସ୍ର ଡ୍ରାଇଭରଙ୍କୁ ଫୋନ୍ କରିବାରୁ ବସ୍ କଟକରେ କେତେବେଳେ ପହଞ୍ଚିବ କହିହେବନି ବୋଲି କହିଥିଲେ। ଛାତ୍ରୀ ଜଣକ ଅପେକ୍ଷା କରି କରି ଶେଷରେ ସନ୍ଧ୍ୟା ୬ଟା ସମୟରେ ନିଜ ହଷ୍ଟେଲକୁ ଖାଲି ହାତରେ ଫେରିଥିଲେ। ସେ ତାଙ୍କର ପ୍ୟାକେଟ୍ଟି ପାଇ ପାରି ନଥିଲେ।
ସମ୍ପୃକ୍ତ ଛାତ୍ରୀଜଣକ କିଭଳି ତାଙ୍କ ପ୍ୟାକେଟ୍ ପାଇବେ, ସେଥିନେଇ ଓଏସ୍ଆର୍ଟିସି ଫୁଲବାଣୀ ଜିଲ୍ଲା ପରିଚାଳକ ଅଭିଷେକ ସାମନ୍ତରାୟଙ୍କ ସହ ଯୋଗାଯୋଗ କରିବାରୁ ଫୁଲବାଣୀ ୟୁନିଟ୍ର ନିଜସ୍ବ ବସ୍ ଅଚଳ ହୋଇ ପଡ଼ିଥିବାରୁ ଏବେ ଭୁବନେଶ୍ଵର ୟୁନିଟ୍ର ବସ୍ ଚଳାଚଳ କରୁଛି ଭୁବନେଶ୍ଵର ୟୁନିଟ୍ର ଡ୍ରାଇଭର ଓ କଣ୍ଡକ୍ଟର ଯାତ୍ରୀଙ୍କୁ ମନଇଛା ବ୍ୟବହାର କରୁଛନ୍ତି ଏବଂ ତାଙ୍କ କଥା ଶୁଣୁନହାନ୍ତି ବୋଲି ନିଜର ଅସହାୟତା ପ୍ରକାଶ କରିଥିଲେ।
ଏ ନେଇ ଓଏସ୍ଆର୍ଟିସିର ଭୁବନେଶ୍ଵର ଡିଷ୍ଟ୍ରିକ୍ଟ ମ୍ୟାନେଜର ପ୍ରଶାନ୍ତ କୁମାର ହୋତାଙ୍କୁ ଜଣାଇବାରୁ ସେ ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକଙ୍କୁ ପାଲଟା ଯୁକ୍ତି କରିଥିଲେ ଯେ, ଓଏସ୍ଆର୍ଟିସି ବସ୍ରେ କୌଣସି ପ୍ୟାକେଟ୍ ଯିବାର ନିୟମ ନାହିଁ। ସେ କାହିଁକି ଓଏସ୍ଆର୍ଟିସି ବସ୍ରେ ପ୍ୟାକେଟ୍ ପଠାଉଥିଲେ ବୋଲି ପାଲଟା ପ୍ରଶ୍ନ କରିଥିଲେ। ଏଣୁ ସେ ଏ ନେଇ କିଛି କରିପାରିବେ ନାହିଁ ବୋଲି ସିଧା ମନା କରି ଦେଇଥିଲେ।
ଏଠାରେ ପ୍ରଶ୍ନ ଉଠୁଛି, ଫୁଲବାଣୀ ଓ ଭୁବନେଶ୍ଵର ୟୁନିଟ୍ ମଧ୍ୟରେ ଚାଲିଥିବା କଳି ମଧ୍ୟରେ ଯାତ୍ରୀମାନେ କାହିଁକି ବଳି ପଡିବେ ? ବାରମ୍ବାର ଫୁଲବାଣୀ-କଟକ ବସ୍ ଅଚଳ ହେଉଥିବାରୁ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। କେବେ ଫୁଲବାଣୀ-କଟକ ଓଏସ୍ଥାର୍ଟିସି ବସ୍ ଚଳାଚଳ ସ୍ଵାଭାବିକ ହେବ ତାକୁ ନେଇ ଯାତ୍ରୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।