୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ରାଜ୍ୟ ଟିକସ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ
ଭୁବନେଶ୍ବର: ସ୍ଥାନୀୟ ବେକେରୀ ମାଲିକଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର-୪ ସର୍କଲର ଆସିଷ୍ଟାଣ୍ଟ କମିଶନର ସରିତା ବାରିକଙ୍କୁ ଭିଜିଲାନ୍ସ ଗିରଫ କରିଛି।
ସୂଚନା ଅନୁଯାୟୀ, ଖାଦ୍ୟ ସାମଗ୍ରୀ ବ୍ୟବସାୟ କରୁଥିବା ଅଭିଯୋଗକାରୀଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି)କୁ ପ୍ରତ୍ୟାହାର କରିବା ପାଇଁ ୨,୨୭,୧୪୭ ଟଙ୍କା ଦେବାକୁ ଅଭିଯୁକ୍ତ ଅଧିକାରୀଙ୍କ ଠାରୁ କାରଣ ଦର୍ଶାଅ ନୋଟିସ୍ ଆସିଥିଲା। ବ୍ୟବସାୟୀ ମାଲିକ ଜରିମାନା ଓ ଜରିମାନାରୁ ମୁକ୍ତି ମାଗିବାରୁ ଆସିଷ୍ଟାଣ୍ଟ କମିଶନର ସରିତା ବାରିକ ଛାଡ଼ ଦେବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି।
ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଅଧିକାରୀମାନେ ଜାଲ ବିଛାଇ ଆସିଷ୍ଟାଣ୍ଟ କମିଶନର ସରିତା ବାରିକଙ୍କୁ ତାଙ୍କ କାର୍ ଭିତରେ ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ମଧୁସୂଦନ ନଗରସ୍ଥିତ ଆକାଶ ଇନଷ୍ଟିଚ୍ୟୁଟ୍ ନିକଟରେ ରଙ୍ଗାହାତରେ ଧରିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ସମ୍ପୂର୍ଣ୍ଣ ଜବତ କରାଯାଇଛି।
ଏହି ସଫଳ ଅପରେସନ ପରେ ସମ୍ଭାବ୍ୟ ଆୟ ବହିର୍ଭୂତ ସମ୍ପତ୍ତିର ତଦନ୍ତ ପାଇଁ ଅଭିଯୁକ୍ତ ଅଧିକାରୀଙ୍କ ସହ ଜଡିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।
ଭୁବନେଶ୍ୱର ଭିଜିଲାନ୍ସ ଥାନା କେସ୍ ନଂ ୧୮ ରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏବେ ତଦନ୍ତ ଜାରି ରହିଛି।