ଭୁବନେଶ୍ୱର: କେନ୍ଦୁଝରସ୍ଥ ଧରଣୀଧର ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୩ୟ ଓଡିଶା ଅନ୍ତଃ ବିଶ୍ୱବିଦ୍ୟାଳୟ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିଲେ ଓ ଉଦଯାପନୀ ଉତ୍ସବରେ ଅନ୍ତର୍ଜାତୀୟ ଧାବିକା ଦୁତି ଚାନ୍ଦ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ମୋଟ ୧୧ ଟି ବିଭାଗରେ ଉଭୟ ମହିଳା ଓ ପୁରୁଷ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୩ଟି ବିଶ୍ୱବିଦ୍ୟାଳୟ ରୁ ପ୍ରାୟ ୨୦୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ। ଡ଼. ପ୍ରବୀର ମହାନ୍ତି, ଡ଼. ବେଣୁଧର ଦାସ, ଚତୁର୍ଭୁଜ ଜେନା, ଗୀତା ଦାସ ଓ ସୁନିତା ବେହେରାଙ୍କ ନେତୃତ୍ୱରେ ସମୁଦାୟ ୧୮୦ ଜଣ ମହିଳା ଓ ପୁରୁଷ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ପଛରେ ପକାଇ ଉତ୍କଳ ବିଶ୍ୱବିଦ୍ୟାଳୟ ଦଳଗତ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଉତ୍କଳ ମହିଳା ଦଳ ବ୍ୟାଡ଼ମୀଣ୍ଟନ, କବାଡି, କ୍ୟାରମ, ଖୋ ଖୋ, ଫୁଟବଲ, ଟିଟି, ଭଲିବଲରେ ଓ ପୁରୁଷ ଦଳ କବାଡି, ଚେସ, ଟିଟି, ବାସ୍କେଟବଲ ଦଳ ଚାମ୍ପିୟନ ହୋଇଥିବାବେଳେ ମହିଳା ବ୍ୟାଡ଼ମୀମିଣ୍ଟନ ଯୋଡି, ହକି ଓ ପୁରୁଷ ହକି, କ୍ରିକେଟ, ବ୍ୟାଡ଼ମିଣ୍ଟନ ଯୋଡି,ଫୁଟବଲ, ଖୋଖୋ ଦଳ ରନର୍ସ ଅଫ ହୋଇଥିବାବେଳେ ପୁରୁଷ ଭଲି ଓ ହକି ଦଳ ତୃତୀୟ ସ୍ଥାନ ଅଧିକାର କରି ଦଳଗତ ଚାମ୍ପିୟନ ହେବାର ଆଖ୍ୟା ଅର୍ଜନ କରିଥିଲେ। ଏଥିପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଓ କ୍ରୀଡା ପରିଷଦ ନିର୍ଦେଶକ ଡ଼. ବିଜୟ କୁମାର ସୁନ୍ଦରାୟ, ଉପ ସଭାପତି ଡ଼. କୀର୍ତ୍ତି ମଲିକ ବିଜୟୀ ଦଳକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।