ଓଡ଼ିଶା ନିରାଶ, ପାଇକ ବିଦ୍ରୋହ ‘ପ୍ରଥମ ସ୍ୱାଧୀନତା ଆନ୍ଦୋଳନ’ ନୁହେଁ: କେନ୍ଦ୍ର
ଭୁବନେଶ୍ୱର: ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କୁହାଯାଇପାରିବ ନାହିଁ। ଦଳମତ ନିର୍ବିଶେଷରେ ରାଜ୍ୟର ସବୁ ବର୍ଗର ଲୋକଙ୍କ ଦାବି ସତ୍ତ୍ୱେ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବାକୁ ମନା କରିଦେଇଛନ୍ତି । ଯାହାକି ଓଡ଼ିଶାକୁ ଶକ୍ତ ଧକ୍କା ଦେଇଛି। ଯଦିଓ ଗତ ୪ମାସ ପୂର୍ବରୁ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଚାରାଧୀନ ରହିଥିଲା ।
୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କୁହାଯାଇପାରିବ ନାହିଁ। ଦଳମତ ନିର୍ବିଶେଷରେ ରାଜ୍ୟର ସବୁ ବର୍ଗର ଲୋକଙ୍କ ଦାବି ସତ୍ତ୍ୱେ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବାକୁ ମନା କରିଦେଇଛନ୍ତି । ଯାହାକି ଓଡ଼ିଶାକୁ ଶକ୍ତ ଧକ୍କା ଦେଇଛି। ଯଦିଓ ଗତ ୪ମାସ ପୂର୍ବରୁ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଚାରାଧୀନ ରହିଥିଲା । ତେବେ ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ବିଜେପି ବିଧାୟକ ତଥା ପାଇକ ବିଦ୍ରୋହର ମୁଖ୍ୟ ନାୟକ ବକ୍ସି ଜଗବନ୍ଧୁଙ୍କ ବଂଶଜ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ।
କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି .କିଷାନ ରେଡ୍ଡୀ ଆଜି ରାଜ୍ୟସଭାରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବା ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କଠୁ ଦାବିପତ୍ର ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ସଂସ୍କୃତି ମନ୍ତ୍ରଣାଳୟକୁ ମିଳିଥିଲା । ଏହା ଉପରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ(ଏବେ ଶିକ୍ଷା ମନ୍ତ୍ରଣାଳୟ)ର ଅଧୀନରେ ଥିବା ଭାରତୀୟ ଐତିହାସିକ ଗବେଷଣା ପରିଷଦ(ଆଇସିଏଚଆର) ସହ ବିଚାରବିମର୍ଶ କରାଯାଇଥିଲା । ଆଇସିଏଚଆରଠାରୁ ପ୍ରାପ୍ତ ମତାମତ ଆଧାରରେ ଓଡ଼ିଶାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଇପାରିବ ନାହିଁ ବୋଲି ଶ୍ରୀ ରେଡ୍ଡୀ ସ୍ପଷ୍ଟ କରିଛନ୍ତି ।
ଏହାସହିତ ସେ କହିଛନ୍ତି ଯେ, ଯଦିଓ ଐତିହାସିକ ଦୃଷ୍ଟିରୁ କୁହାଯାଇପାରେ ଯେ, ୧୮୧୭ ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ୧୮୨୫ ମେ’ ମାସ ପର୍ଯ୍ୟନ୍ତ ଜାରି ଥିବା ଏହି ପାଇକ ବିଦ୍ରୋହ ଦେଶର ଉଭୟ ଆଭିଜାତ୍ୟ ବର୍ଗ ଓ ସାଧାରଣ ଲୋକଙ୍କ ପାଇଁ ଏଭଳି ଏକ ଉଦାହରଣ ପ୍ରସ୍ତୁତ କରିଥିଲା, ଯାହାକୁ ପରେ ଅନୁକରଣ କରାଯାଇପାରିବ । ସେହି ଅନୁସାରେ ଏହାକୁ ଦୃଷ୍ଟିରେ ରଖି ଭାରତରେ ଇଂରେଜ ବିରୁଦ୍ଧରେ ହୋଇଥିବା ଆରମ୍ଭରୁ ହୋଇଥିବା ବିଦ୍ରୋହ ମଧ୍ୟରେ ଏହା ଏକ ଲୋକପ୍ରିୟ ବିଦ୍ରୋହ ଥିଲା । ତେଣୁ ଏନସିଇଆରଟି ଦ୍ୱାରା ଅଷ୍ଟମ ଶ୍ରେଣୀର ଇତିହାସ ପାଠ୍ୟପୁସ୍ତକରେ ୧୮୫୭ ମସିହାର ଘଟଣା ସମ୍ବନ୍ଧିତ ତଥ୍ୟରେ ପାଇକ ବିଦ୍ରୋହକୁ ଏକ ‘କେସ୍ ଷ୍ଟଡି’ ଭାବେ ସାମିଲ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି ।
ତେବେ ଏହା ପୂର୍ବରୁ ୨୦୨୧ ଅଗଷ୍ଟ ୧୦ତାରିଖରେ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଥିଲେ ଯେ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ କରିଥିବା ଅନୁରୋଧ ଉପରେ ଭାରତୀୟ ଐତିହାସିକ ଗବେଷଣା ପରିଷଦ(ଶିକ୍ଷା ମନ୍ତ୍ରଣାଳୟ ଅଧୀନ) ସହ ବିଚାରବିମର୍ଶ କରାଯାଇଛି ଓ ଏହା ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଚାରଧୀନ ରହିଛି । କିନ୍ତୁ ଆଜି ଏହାର ପ୍ରାୟ ୪ମାସ ପରେ କେନ୍ଦ୍ର ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରି ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେଇ ହେବ ନାହିଁ ବୋଲି କହିଛନ୍ତି ।
ଉଲ୍ଲେଖଯୋଗ୍ୟ,୨୦୧୭ ଅଗଷ୍ଟ ୯ତାରିଖରେ ତତକାଳୀନ ରାଜ୍ୟସଭା ସାଂସଦ ଏଭି ସ୍ୱାମୀଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସେତେବେଳର ସଂସ୍କୃତି ମନ୍ତ୍ରୀ ଡଃ ମହେଶ ଶର୍ମା କହିଥିଲେ ଯେ, ସ୍ୱାଧୀନତାର ପ୍ରଥମ ଲଢ଼େଇ ମାନ୍ୟତା ଦେବା ପ୍ରସ୍ତାବ ଏବେ ମନ୍ତ୍ରଣାଳୟର ବିଚାରାଧୀନ ରହିଛି । ଏହାସହିତ ଡଃ ଶର୍ମା ସେହିଦିନ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ପଷ୍ଟ କରିଥିଲେ ଯେ, ଭାରତ ସରକାର ଯେଉଁ ୪୦ଟି ଆନ୍ଦୋଳନକୁ ସ୍ୱାଧୀନତା ସଂଗ୍ରାମର ସ୍ୱୀକୃତି ପ୍ରଦାନ କରିଛନ୍ତି ସେହି ତାଲିକାରେ ପାଇକ ବିଦ୍ରୋହ ସାମିଲ ନଥିବାରୁ ଏହା ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ପେନସନ ଦିଆଯାଇପାରିବ ନାହିଁ ।
ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ଯେ, ପାଇକ ବିଦ୍ରୋହ ହେଉଛି ଇଂରେଜମାନଙ୍କ ବିରୁଦ୍ଧରେ ଦେଶର ପ୍ରଥମ ସଶସ୍ତ୍ର ସଂଗ୍ରାମ । ଏହାକୁ ନେଇ କେହି ଦ୍ୱିମତ ନୁହଁନ୍ତି । ଆଇସିଏଚଆର ଟିମ୍ ଓଡ଼ିଶା ଆସି ଗଭୀର ଅନୁଧ୍ୟାନ କରିଥିଲେ। ସେମାନେ କ’ଣ ମତ ଦେଇଛନ୍ତି ତାହା ସେ ଜାଣନ୍ତି ନାହିଁ । କିନ୍ତୁ କେନ୍ଦ୍ର ସରକାରଙ୍କୁ ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ନିମନ୍ତେ ସେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ହିଁ ବହୁ ବର୍ଷ ପରେ ପାଇକବିଦ୍ରୋହକୁ ଦେଶବ୍ୟାପୀ ପାଳନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେଣୁ ସେ ଆଶାବାଦୀ ଯେ, ନିଷ୍ପତ୍ତିର ପୁନର୍ବିଚାର ହେବ।
ସୂଚନାଯୋଗ୍ୟ, ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ପାଇକ ବିଦ୍ରୋହକୁ ନେଇ ରାଜ୍ୟରେ ଉଭୟ ବିଜେପି ଓ ବିଜେଡି ନିଜ ନିଜର ରାଜନୀତିକ ଫାଇଦା ନେବାକୁ ପ୍ରୟାସ କରିଥିଲେ । ରାଜ୍ୟ କ୍ୟାବିନେଟରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ଲଢ଼େଇର ମାନ୍ୟତା ଦେବା ପାଇଁ ଏକ ସଂକଳ୍ପ ପ୍ରସ୍ତାବ ପାରିତ କରାଇ ବିଜେଡି ସରକାର ଏଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲା । ୨୦୧୭ ଜୁଲାଇ ୧୮ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତତକାଳୀନ ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ଏହି ଅନୁରୋଧ ରଖିଥିଲେ ।
ଅନ୍ୟପକ୍ଷରେ କେନ୍ଦ୍ରରେ ବିଜେପି ସରକାର ମଧ୍ୟ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଇଁ ୨୦୧୭-୧୮ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ ଅର୍ଥ ବ୍ୟବସ୍ଥା ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିଜର ବଜେଟ୍ ଅଭିଭାଷଣରେ ଏହାକୁ ସ୍ଥାନ ଦେଇଥିଲେ । ୨୦୧୭ ଜୁଲାଇ ୨୦ତାରିଖରେ ଦିଲ୍ଲୀଠାରେ ପାଇକ ବିଦ୍ରୋହ ସମାରୋହର ୨୦୦ବର୍ଷ ପୂର୍ତ୍ତି ପାଳନର ଶୁଭାରମ୍ଭ ମଧ୍ୟ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଏସବୁ ସେତେବେଳେ ସମ୍ଭବପର ହୋଇଥିବାବେଳେ ବରୁଣେଇ ପାହାଡ଼ ପାଦଦେଶରେ ପାଇକ ବିଦ୍ରୋହୀ ସ୍ମାରକ ପ୍ରତିଷ୍ଠା ପାଇଁ ୨୦୧୯ ଡିସେମ୍ବର ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଆସି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କିନ୍ତୁ ଗତ ୪ବର୍ଷ ଧରି ପାଇକ ବିଦ୍ରୋହକୁ ନେଇ ଦୁଇ ରାଜନୀତିକ ଦଳ ବିଜେଡି ଓ ବିଜେପି ଚୁପ୍ ବସିଥିବାବେଳେ ଆଗାମୀ ପଂଚାୟତ ନିର୍ବାଚନରେ ଏହା ପୁଣିଥରେ ଉଭୟଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ପାଲଟିବାର ସମ୍ଭାବନା ରହିଛି ।