ରାଜ୍ୟ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ସଂସ୍କୃତି ଅଧିକାରୀଙ୍କ ପାଇଁ ନୂଆ କ୍ୟାଡର, ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ
ଫେବୃଆରୀ ୧୭ ତାରିଖରୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟ ମନ୍ତ୍ରୀମଣ୍ଡଳର ୩୫ତମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ କ୍ୟାବିନେଟ୍ ବୈଠକରେ ମୋଟ ୧୦ଟି ବିଭାଗର ୧୨ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ତନ୍ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶିଳ୍ପ ବିଭାଗ, ଜଳ ସମ୍ପଦ ବିଭାଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ବିଜ୍ଞାନ ଓ କାରିଗରୀ, ଆଇନ, ସମବାୟ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ ଏବଂ ସଂସଦୀୟ ବ୍ୟାପାର ବିଭାଗ ଆଦି ପ୍ରତ୍ୟେକରୁ ଗୋଟିଏ ଲେଖାଏଁ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୨ଟି ପ୍ରସ୍ତାବ ଅନୁମୋଦିତ ହୋଇଛି।
ତନ୍ମଧ୍ୟରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗାମୀ ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ଅନୁମୋଦନ ସମ୍ପର୍କିତ ଥିଲା। ଏହି ନିଷ୍ପତ୍ତିଗୁଡ଼ିକ ରାଜ୍ୟର ବିଭିନ୍ନ ପ୍ରମୁଖ ବିଭାଗର ବିକାଶ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି।
ସଂସ୍କୃତି ବିଭାଗରେ ବୈପ୍ଳବିକ ପରିବର୍ତ୍ତନ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାରକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୀର୍ଘଦିନର ଦାବିକୁ ପୂରଣ କରି “ଓଡ଼ିଶା ସଂସ୍କୃତି ଉନ୍ନୟନ ସେବା ବର୍ଗ” ନାମରେ ଏକ ନୂତନ ସେବା କ୍ୟାଡର ଗଠନ କରାଯାଇଛି। ଏହାଦ୍ୱାରା ୨୦୦୬ ମସିହାରୁ ଲାଗୁ ହୋଇଥିବା ପୁରୁଣା ନିୟମରେ ପରିବର୍ତ୍ତନ ଆସିବା ସହ ଅଧିକାରୀମାନଙ୍କୁ ପଦୋନ୍ନତିର ସୁବିଧା ମିଳିବ। ଏହି ନୂତନ ନିୟମାବଳୀକୁ ଓଡ଼ିଶା ଲୋକ ସେବା ଆୟୋଗ (OPSC) ଏବଂ ଆଇନ ବିଭାଗ ପୂର୍ବରୁ ସ୍ୱୀକୃତି ପ୍ରଦାନ କରିସାରିଛନ୍ତି।
ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ ସହ ସେମାନଙ୍କୁ ପଦୋନ୍ନତିର ସୁବିଧା ପ୍ରଦାନ ପାଇଁ ବିଜ୍ଞପ୍ତି ସଂଖ୍ୟା ୧୩୨୩, ତାରିଖ ୧୯.୦୨.୨୦୨୪ ରିଖରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଅଧୀନରେ ଏକ ନୂତନ ସେବା ବର୍ଗ ଯଥା: “ଓଡ଼ିଶା ସଂସ୍କୃତି ଉନ୍ନୟନ ସେବା ବର୍ଗ” ଗଠନ କରାଯାଇଥିଲା। ଏହି ନିୟମାବଳୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଅର୍ଥ ବିଭାଗ ଏବଂ ଆଇନ ବିଭାଗର ଅନୁମୋଦନ ଲାଭ କରିବା ପରେ ଓଡ଼ିଶା ଲୋକ ସେବା ଆୟୋଗଙ୍କ ଦ୍ଵାରା ସ୍ଵୀକୃତ ହୋଇଛି। ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଅନୁମୋଦନ ପ୍ରାପ୍ତ ହୋଇଛି।
ସାଂପ୍ରତିକ ସମୟରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବିକାଶ ଏବଂ ଏହି ପରିପ୍ରେକ୍ଷୀରେ ହେଉଥିବା ବିଭିନ୍ନ ବିକାଶ ତଥା ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଏହାର ସଫଳ ରୂପାୟନ କରିବା ନିମନ୍ତେ ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା ସଂସ୍କୃତି ସେବା ନିୟମ, ୨୦୦୬ ଅଧୀନରେ ଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ ସହ ସେମାନଙ୍କୁ ପଦୋନ୍ନତିର ସୁବିଧା ପ୍ରଦାନର ଆବଶ୍ୟକତା ରହିଥିବାରୁ, ଉକ୍ତ ପ୍ରସ୍ତାବ ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳଙ୍କ ଅନୁମୋଦନ ଲାଭ କରିଛି।
ଜଳସେଚନ ଓ ସମବାୟ ନୀତିକୁ ମଞ୍ଜୁରୀ
ଚାଷୀଙ୍କ ସୁବିଧା ଓ ଜଳ ପରିଚାଳନା ପାଇଁ ଜଳସମ୍ପଦ ବିଭାଗର ‘ଡାଇଭର୍ସନ ସିଷ୍ଟମ’ ପ୍ରକଳ୍ପ ନିମନ୍ତେ ୩୬୨ କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ସହିତ ରାଜ୍ୟର ଅର୍ଥନୀତିକୁ ସମବାୟ ଭିତ୍ତିରେ ସୁଦୃଢ଼ କରିବା ପାଇଁ “ନୂତନ ସମବାୟ ନୀତି”କୁ ମଧ୍ୟ ସବୁଜ ସଙ୍କେତ ମିଳିଛି।
ବିଧାନସଭା ଅଧିବେଶନ
ଆସନ୍ତା ଫେବୃଆରୀ ୧୭ ତାରିଖରୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ କରିବା ପାଇଁ କ୍ୟାବିନେଟ୍ରେ ସ୍ଥିର କରାଯାଇଛି। ଆଜିର ବୈଠକରେ ବିଜ୍ଞାନ ଓ କାରିଗରୀ, ଇସ୍ପାତ ଓ ଖଣି, ବାଣିଜ୍ୟ ଏବଂ ସଂସଦୀୟ ବ୍ୟାପାର ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ଉନ୍ନତି ପାଇଁ ସରକାର ବଳିଷ୍ଠ ନିଷ୍ପତ୍ତି ନେଇଛନ୍ତି।